ସ୍କୁଲ ପିଲାଙ୍କୁ ମାଗଣା ବ୍ୟାଗ୍‌ ପାଇଁ ଟେଣ୍ଡର ରହିତାଦେଶ ଉଠିଲା

ଓପେପାର ନିଷ୍ପତ୍ତି ହାଇକୋର୍ଟରେ କାଏମ

କଟକ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ୍‌ ପ୍ରଦାନ ପାଇଁ ଓଡ଼ିଶା ପ୍ରାଇମେରି ଏଜୁକେସନ୍‌ ପ୍ରୋଗ୍ରାମ ଅଥରିଟି(ଓପେପା) ପକ୍ଷରୁ ସାନି ଟେଣ୍ଡର କରାଯିବ। ପୂର୍ବରୁ ଏଥି ପାଇଁ ଓପେପା ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରାଯାଇଥିଲା। ଏହା ପରେ ସାନି ଟେଣ୍ଡର ଆହ୍ଵାନ ପାଇଁ ଓପେପା ନିଷ୍ପତ୍ତି ନେଇଥିଲା। ଓପେପାର ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ଇଣ୍ଟରନ୍ୟାସନାଲ ଟ୍ରେଡ୍‌ ଲିଙ୍କ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ହାଇକୋର୍ଟ ସାନି ଟେଣ୍ଡର ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ମାମଲାରେ ରାଜ୍ୟ ସରକାର, ଓପେପା ଓ ଅନ୍ୟ ପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ମୂଳ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା କେତେକ କମ୍ପାନି ଇଣ୍ଟରଭେନର ହୋଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏ ସଂପର୍କିତ ଆବେଦନକୁ ଖାରଜ କରିଛନ୍ତି। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ଉଠିଛି। ଫଳରେ ସାନି ଟେଣ୍ଡର ପାଇଁ ବାଟ ଫିଟିଛି। ଆବେଦନକାରୀଙ୍କ ପକ୍ଷରୁ ବିଜ୍ଞାନ କୁମାର ଶର୍ମା, ଓପେପା ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ଓ ଅନ୍ୟ ପକ୍ଷମାନଙ୍କ ତରଫରୁ ପି.କେ.ରଥ, ସୁଦର୍ଶନ ନନ୍ଦ ଓ ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଥିଲେ।

ମାମଲର ବିବରଣୀରୁ ପ୍ରକାଶ ଯେ ସରକାରୀ ଓ ଅନୁଦାନପ୍ରପ୍ତ ସ୍କୁଲରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ୍‌ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ବ୍ୟାଗ କିଣିବା ପାଇଁ ଓପେପା ପକ୍ଷରୁ ୧୫ କୋଟି ଟଙ୍କାର ଟେଣ୍ଡର ଆହ୍ଵାନ କରାଯାଇଥିଲା। ୨୭ଟି ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୮ଟି ସଂସ୍ଥା ଅଯୋଗ୍ୟ ଘୋଷିତ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫ ସଂସ୍ଥାକୁ ଅଯୋଗ୍ୟ ବୋଲି ଘୋଷଣା କରାଯିବା ପରେ ଚୂଡାନ୍ତ ପର୍ଯ୍ୟାୟରେ ରହିଥିଲେ ୪ଟି ସଂସ୍ଥା। ଅନ୍ୟପକ୍ଷରେ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ସଂସ୍ଥା ଗୁଡିକ ପ୍ରଦାନ କରିଥିବା ନମୁନା ବ୍ୟାଗ ଗୁଡିକୁ ଯାଞ୍ଜ କରାଯାଇଥିଲା। ଏହି ବ୍ୟାଗ୍‌ ଗୁଡିକ ବିଶେଷଜ୍ଞ କମିଟି ଯାଞ୍ଜ କରିଥିଲେ ମଧ୍ୟ ବ୍ୟାଗର ମାନ ଧାର୍ଯ୍ୟ କରିବା ସମ୍ଭବ ହୋଇ ନଥିଲା। ବ୍ୟାଗର ମାନ ଲାବୋରେଟୋରିରେ ପରୀକ୍ଷା କରିବା ଆବଶ୍ୟକ ବୋଲି ଓପେପା ପରବର୍ତ୍ତୀ ସମୟରେ ଅନୁଭବ କରିଥିଲା। ଅନ୍ୟ ପକ୍ଷରେ ଲାବୋରେଟୋରିରେ ନମୁନା ବ୍ୟାଗ୍‌ ପରୀକ୍ଷା ନେଇ ମୂଳ ଟେଣ୍ଡରରେ ସର୍ତ୍ତ ନଥିଲା। ଏପରି ପିରିସ୍ଥିତିରେ ଉଚ୍ଚ ମାନର ବ୍ୟାଗ୍‌ ହାସଲ ପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରି ନୂଆ ସର୍ତ୍ତ ସହିତ ସାନି ଟେଣ୍ଡର ଆହ୍ଵାନ ପାଇଁ ଓପେପା ନିଷ୍ପତ୍ତି ନେଇଥିଲା। ଏପରି ନିଷ୍ପତ୍ତିକୁ ଚୂଡାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇଥିବା କତେକେ ସଂସ୍ଥା ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର