ଓଡ଼ିଶା ଇନ୍‌ଫ୍ରାଟେକ୍‌ର ସାରୁଅ ଜମି ଦୁର୍ନୀତି ମାମଲା : କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ

ଜିଲ୍ଲାପାଳ ସୁପାରିସ୍‌ କରିଥିଲେ, ନିର୍ଦ୍ଦେଶ ଦେଲା ରାଜସ୍ୱ ବିଭାଗ

ଭୁବନେଶ୍ୱର : ଖୋର୍ଧା ଜିଲ୍ଲା ବେଗୁନିଆ ତହସିଲ ଅଧୀନସ୍ଥ ସାରୁଅରେ ଓ-ଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଆସିଥିବା ଜମି ଜାଲିଆତି ଅଭିଯୋଗ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଖୋର୍ଧା ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଜି ଏଭଳି ନିର୍ଦେଶ ଜାରି କରିଛି। ଏ ସଂକ୍ରାନ୍ତ ନିର୍ଦେଶନାମା ମୁଖ୍ୟମନ୍ତ୍ରୀ ଦେଇ ସାରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି ଲେଖି ଜଣାଇଛନ୍ତି।

ଜିଲ୍ଲାପାଳ ଗତ ୧୨ ତାରିଖ ଦିନ ରାଜସ୍ବ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଓରଟେଲ୍‌ର ଜଣେ ପୂର୍ବତନ କର୍ମଚାରୀ ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଉପରେ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ କରି ତାଙ୍କ ରିପୋର୍ଟ ଦେଇଛନ୍ତି। ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ଓ ଛଳପୂର୍ଣ୍ଣ ଉପାୟରେ ତଥା ଓଏଲ୍‌ଆର ଆଇନକୁ ଅଣଦେଖା କରି ଏହି ଜମି ନିଆଯାଇଛି। କେବଳ ସେତିକି ନୁହେଁ, ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇ ବେନାମୀ ଜମି କାରବାର ହୋଇଥିବା ଜଣାପଡୁଛି।

ଅତିରିକ୍ତ ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ରବୀନ୍ଦ୍ର ସେଠୀ ଯେଉଁ ଦରଖାସ୍ତ କରିଛନ୍ତି, ସେଥିରୁ ଜଣାପଡିଛି ଯେ ସେ ୨୦୧୫ରୁ ୨୦୧୭ ଯାଏ ଓରଟେଲ୍‌ର ଜଣେ କର୍ମଚାରୀ ଥିଲେ। ସଂପୃକ୍ତ ସଂସ୍ଥାର ନିର୍ଦେଶକ ଓ ଅନ୍ୟ ଦୁଇ ଜଣଙ୍କ ନିର୍ଦେଶରେ ଅନୁସୂଚିତ ଜାତିର ଜଣେ ବ୍ୟକ୍ତିଙ୍କ ଠାରୁ ଜମି କିଣିଛନ୍ତି। ପାଖାପାଖି ୭ଏକର ଜମି କାରବାର ହୋଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଏହି ଜମି କାରବାରରେ ରବୀନ୍ଦ୍ର ସେଠୀ ଓରଫ ରବିଙ୍କୁ ମୋହରା ଭାବେ ବ୍ୟବହାର କରାଯାଇଛି। ଜମି ବିକ୍ରି ଏବଂ ଅନ୍ୟାନ୍ୟ କାଗଜପତ୍ରରେ କ୍ରେତା ରବି ସେଠୀଙ୍କର ଦସ୍ତଖତରେ ତାଳମେଳ ନାହିଁ। ଅଧିକ ଅନୁସନ୍ଧାନ ଅନୁୁସାରେ, ରବୀନ୍ଦ୍ର ନିଜକୁ ବ୍ୟବସାୟୀ ଦର୍ଶାଇଥିବା ବେଳେ ବାସ୍ତବରେ ସେ ଜଣେ ଓଟିଭିର ସହଯୋଗୀ ସଂସ୍ଥା ଓରଟେଲ୍‌ର ସ୍ବଳ୍ପ ବେତନଭୋଗୀ କର୍ମଚାରୀ ଥିଲେ। ବିକ୍ରି କାଗଜପତ୍ରରେ ଅନୁସାରେ ଉଭୟ ବିକ୍ରେତା ଓ କ୍ରେତା ଗୋଟିଏ ଠିକଣା ବ୍ୟବହାର କରିଛନ୍ତି। ବିକ୍ରେତା ତାଙ୍କ ଭଉଣୀ ବାହାଘର ପାଇଁ ଜମି ବିକ୍ରି ଲାଗି ଆଗ୍ରହୀ ଥିବା ଦର୍ଶାଯାଇଥିବା ବେଳେ ଘର ବିକ୍ରି କରିବା ଲାଗି ଜମି ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ଏପଟେ ମିଳିଥିବା ଖବର ଅନୁସାରେ, ବିକ୍ରେତା ହାଲୁରି ପାହାଡସିଂହ ଏବଂ ରବି ସେଠୀ ଉଭୟ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ହାଲୁରିଙ୍କ ପିତା ନରସିଂହ ପାହାଡସିଂହ ଓ ଦାଦା ଚରଣ ପାହାଡସିଂ ଖୋର୍ଧା ସାରୁଅ ଅଞ୍ଚଳର। ରବି ସେଠୀ ଗଞ୍ଜାମ ଅଞ୍ଚଳର। ପାହାଡସିଂହ ପରିବାର ଅଭିଯୋଗ କରିଛନ୍ତି ଯେ, ଏହି ସଂସ୍ଥା ସେମାନଙ୍କୁ ଜମି ବିକିବା ପାଇଁ ଅନୁରୋଧ କରିଥିଲେ। ମନା କରିବା ପରେ ରବି ସେଠୀ ତାଙ୍କୁ ଜମି ବିକ୍ରି କରିବା ପାଇଁ କହିଥିଲେ। ରବି ସେଠୀ ତାଙ୍କ ଜାତିର ହୋଇଥିବାରୁ ସେମାନେ ସମ୍ମତି ପ୍ରକାଶ କରିଥିଲେ।

ହେଲେ ଇତିମଧ୍ୟରେ ସେମାନେ ଜାଣିପାରିଛନ୍ତି, ସେହି ଜମିରେ ପାଚେରି ତିଆରି କରୁଥିବା ଇନ୍‌ଫ୍ରା ସଂସ୍ଥା ହିଁ ସେହି ଜମିକୁ ଖରିଦ୍‌ କରି ପରବର୍ତୀ ସମୟରେ ସେମାନଙ୍କର ଅନ୍ୟ ଚାଷ ଜମିକୁ ଯିବା ଆସିବା ପାଇଁ ବାଧା ସୃଷ୍ଟି କରିଥିଲା। ବଜାର ଦରଠାରୁ କମ୍ ମୂଲ୍ୟରେ ଜମି କିଣିବା ପାଇଁ ବାଧ୍ୟ କରିଥିଲା।

ସେପଟେ ରବି ସେଠୀ ତାଙ୍କ ଦରଖାସ୍ତରେ ଦର୍ଶାଇଛନ୍ତି ଯେ ସେ ଜଣେ ଗରିବ ଲୋକ ଏବଂ ତାଙ୍କ ଦାଦାଙ୍କ ସହ ଗାଁରୁ ଭୁବନେଶ୍ବର ଆସିଥିଲେ। ଗାଡ଼ି ଡ୍ରାଇଭର ଭାବେ ତାଙ୍କୁ କାମ ଦିଆଯାଇଥିଲା। ମାସିକ ୫୬୦୦ ଟଙ୍କାରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ତାଙ୍କର ଦରମା ଥିଲା। ତାଙ୍କୁ ବିଭିନ୍ନ କାଗଜରେ ଦସ୍ତଖତ କରିବାକୁ କୁହାଯାଉଥିଲା। ଏସବୁ ବିଷୟରେ ସେ ଆଦୌ ଜାଣି ନାହାନ୍ତି। ଚାକିରି ବଞ୍ଚାଇବା ପାଇଁ ସେ ଦସ୍ତଖତ କରିଥିଲେ। ତାଙ୍କର ଜମି ଥିବା କିମ୍ବା ତାଙ୍କ ନାଁରେ ଜମି ଖରିଦ ହୋଇଥିବା କଥା ସେ ଆଦୌ ଜାଣି ନାହାନ୍ତି।

ସମ୍ବନ୍ଧିତ ଖବର