‘ଭାଷା ନୀତି’ କଥା ଭୁଲିଗଲେ

ଭୁବନେଶ୍ବର : ଭାଷା ଆଇନ କାର୍ଯ୍ୟକାରୀ ହେଲା ବୋଲି ଘୋଷଣା କରିଦେଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୬ ଜଣିଆ ମନ୍ତ୍ରୀଙ୍କୁ ନେଇ ଏକ କମିଟି ବି ଗଠନ କଲେ। ହେଲେ ଏଯାଏଁ ଓଡ଼ିଆ ଭାଷାକୁ ସବୁସ୍ତରରେ କାର୍ଯ୍ୟକାରୀ କରିପାରିଲେ ନାହିଁ। ସରକାରୀ ସ୍ତରରେ ସବୁ ବିଭାଗରେ ନଥିପତ୍ର କାମ ଓଡ଼ିଆରେ ହେଲା ନାହିଁ। ସରକାରୀ, ବେସରକାରୀ ଦପ୍ତର ଏବଂ ବାଣିଜ୍ୟିକ ଅନୁଷ୍ଠାନର ନାମଫଳକ ମଧ୍ୟ ଓଡ଼ିଆରେ ଲେଖାଗଲା ନାହିଁ।

ମିଳିଥିବା ସୂଚନା ମୁତାବକ, ଭାଷା ଆୟୋଗ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷରେ ଏହା ଆପାତତଃ ଗଠନ ହେବା ନେଇ କାମ ଚାଲିଛି। ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କ୍ଲାସିକାଲ୍‌ ଓଡ଼ିଆ ପାଇଁ ନଥିପତ୍ର କାମ ବି ସରିଛି। କେବଳ କେନ୍ଦ୍ର ସରକାରଙ୍କ ନିର୍ଦେଶ ପାଇଁ ଅପେକ୍ଷା ରହିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ମାତ୍ର ଭାଷା ଆଇନ୍‌ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ‘ଭାଷା ନୀତି’ ପାଇଁ ଘୋଷଣା କରିଥିଲେ ସେ ଦିଗରେ ମୁଣ୍ଡ ଖେଳାଉ ନାହାନ୍ତି। ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ କହିବା ମୁତାବକ, ଭାଷା ନୀତି ହିଁ ଭାଷାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ଦିଗରେ ବାଟ ଦେଖାଇବ। ମାତ୍ର ବିଧାନସଭାରେ ୨ ବର୍ଷ ତଳେ ଭାଷା ନୀତି ଘୋଷଣା କରିଥିଲେ ହେଁ ପରେ ଏକଥାକୁ ଭୁଲିଗଲେ। ବାସ୍ତବ‌ରେ ଭାଷା ନୀତି ରହିଲେ ହିଁ ତା’ ଆଧାରରେ ଭାଷା ଆଇନ୍‌ କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ୪ କୋଟି ଓଡ଼ିଆଙ୍କ ଚାପରେ ପଡ଼ି ରାଜ୍ୟ ସରକାର ଗତ ୨୦୧୬ ଅଗଷ୍ଟ ୧୬ରୁ ଭାଷା ଆଇନକୁ କାର୍ଯ୍ୟକାରୀ କରାଗଲା ବୋଲି ଘୋଷଣା କରିଥିଲେ। ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଭାଷା ଡିଭିଜନ ଗଠନ କରାଯାଇଥିଲା। ୬ ମାସରେ ଥରେ ଲେଖାଏ ଭାଷା ଡିଭିଜନର କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଇତି ମଧ୍ୟରେ ପାଖାପାଖି ୨ ବର୍ଷ ପୂରିବାକୁ ବସିଛି। କିନ୍ତୁ ସଚିବାଳୟଠାରୁ ଆରମ୍ଭ କରି ଅଧିକାଂଶ କାର୍ଯ୍ୟାଳୟରେ ନଥିପତ୍ର ଓଡ଼ିଆରେ ଲେଖା ହେଲା ନାହିଁ। ସରକାରୀ ଓ ବେସରକାରୀ ଦପ୍ତର ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀରେ ଲେଖା ହୋଇଥିବା ନାମଫଳକ ବଦଳିଲା ନାହିଁ।

ସମ୍ବନ୍ଧିତ ଖବର