ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ ସଂଶୋଧନ ହେଲା

ଭୁବନେଶ୍ବର : ଘରୋଇ ସୁରକ୍ଷା ଏଜେନ୍ସିଜ୍ (ନିୟନ୍ତ୍ରଣ) ଅଧିନିୟମର ଧାରା ୨୫ଦ୍ବାରା ପ୍ରଦତ୍ତ କ୍ଷମତାକୁ ପ୍ରୟୋଗ କରି ରାଜ୍ୟ ସରକାର ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ,୨୦୦୯ ପରିବର୍ତ୍ତେ ଓଡ଼ିଶାର ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ,୨୦୨୧ର ଚିଠା ପ୍ରସ୍ତୁତ କରିଛନ୍ତି। ଏହି ନୂଆ ନିୟମାବଳୀ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଘରୋଇ ସୁରକ୍ଷା ଏଜେନ୍ସିଜ୍ (ନିୟନ୍ତ୍ରଣ) ଅଧିନିୟମ, ୨୦୦୫ ଅଧୀନରେ ଲାଇସେନ୍ସ ପାଇଁ ଆବେଦନପତ୍ର ଦାଖଲ, ଅନ୍‌ଲାଇନ୍ ମାଧ୍ୟମରେ ଲାଇସେନ୍ସ ଦେୟ ଗ୍ରହଣ ଏବଂ ଇଲେକ୍ଟ୍ରୋନିକ୍ ଡାଟାବେସ୍ ବ୍ୟବହାର କରାଯାଇ ଆବେଦନକାରୀଙ୍କ ଚରିତ୍ର ଓ ପୂର୍ବ କାର୍ଯ୍ୟକଳାପର ସତ୍ୟାପନ ନିମନ୍ତେ ସହାୟକ ହେବ। ଏହାସହ ଏହି ନିୟମାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲାଇସେନ୍ସ ମଞ୍ଜୁରୀ ଓ ଅନାୟାସ ବ୍ୟବସାୟ ପାଇଁ ସୁବିଧା ପ୍ରଧାନ କରିବ। ଏହି ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘରୋଇ ସୁରକ୍ଷା ଏଜେନ୍ସି ଓ କେନ୍ଦ୍ରୀୟ ଆଦର୍ଶ ନିୟମାବଳୀ, ୨୦୨୦ ଡିସେମ୍ବର ୧୫‌େର ପ୍ରଣୟନ କରିଛନ୍ତି। ଏହି ଆଦର୍ଶ ନିୟମାବଳୀକୁ ଭିତ୍ତିକରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ନିଜସ୍ବ ନିୟମାବଳୀ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ରାଜ୍ୟ ସରକାର ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ ସଂଶୋଧନ କରିଛନ୍ତି।

ସମ୍ବନ୍ଧିତ ଖବର