ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଶିଳ୍ପ ବନ୍ଦ ନେଇ ଉଦ୍‌ବେଗ

ଶିଳ୍ପମନ୍ତ୍ରୀ ଗୃହକୁ ବିଭ୍ରାନ୍ତ କରୁଛନ୍ତି: ମୋହନ ମାଝୀ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲାର ପଳାଶପଙ୍ଗାରେ ଥିବା ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍‌ ଲିମିଟେଡ୍‌ ବନ୍ଦ ହୋଇଯାଇଥିବାରୁ ଆଜି ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ତୁରନ୍ତ ଏହି ଶିଳ୍ପକୁ ଚାଲୁ କରିବା ସହ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ।

ଏ ସଂକ୍ରାନ୍ତୀୟ ଶ୍ରୀ ମାଝୀଙ୍କ ମୂଳ ପ୍ରଶ୍ନ‌ର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍‌ ଲିମିଟେଡ୍‌ ୨୦୧୨ ମସିହା ଅକ୍ଟୋବର ୧୪ ତାରିଖଠାରୁ ଉତ୍ପାଦନ ବନ୍ଦ ରଖିଛନ୍ତି। ଉତ୍ପାଦନ ବନ୍ଦ ହେବା ପରେ ୪୦୦ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ‌ଛଟେଇ ହୋଇଛନ୍ତି। ୪୫୪ ଜଣ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ୨୪୭ ଜଣ ଅବସର କିମ୍ବା ମୃତ୍ୟୁବରଣ କରିଛନ୍ତି। ଏହି ସଂସ୍ଥାର କର୍ତ୍ତୃପକ୍ଷ ଆର୍ଥିକ ସହାୟତା ଯୋଗାଇଥିବା ବ୍ୟାଙ୍କଗୁଡ଼ିକ ସହିତ ଏକକାଳୀନ ଋଣ ପରିଶୋଧ ଯୋଜନା ମାଧ୍ୟମରେ ଋଣ ପରିଶୋଧ କରିଛନ୍ତି ଓ କାରଖାନାର ପୁନରୁଦ୍ଧାର ପାଇଁ ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥା ସହିତ ଆଲୋଚନା ଜାରି ରଖିଛନ୍ତି। ଶ୍ରୀ ମାଝୀ କହିଥିଲେ, କାରଖାନା ବନ୍ଦ ହେବା ପରେ କର୍ମଚାରୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। କିଛି ଆନ୍ଦୋଳନରତ କର୍ମଚାରୀଙ୍କ ମୃତ୍ୟୁ ବି ହୋଇଛି। ସରକାର ଏ ଦିଗ‌େର ଅବଗତ ଅଛନ୍ତି ତ? କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଓ କାରଖାନାକୁ ଚାଲୁ କରିବା ପାଇଁ ସରକାର କାହିଁକି ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରୁ ନାହାନ୍ତି ?

ମନ୍ତ୍ରୀ କହିଥିଲେ, ସରକାର ଏ ଦିଗ‌େର ଯତ୍ନବାନ ଅଛନ୍ତି। ଉଭୟ କାରଖାନା ଓ କର୍ମଚାରୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ।

ଶାସକ ଦଳ ସଭ୍ୟ ବଦ୍ରିନାରାୟଣ ପାତ୍ର ବଡ଼ବିଲ୍‌ସ୍ଥିତ କଳିଙ୍ଗ ଆଇରନ୍ ୱାର୍କସ ପୁନଃକାର୍ଯ୍ୟକ୍ଷମ କରିବାକୁ ସରକାର କି ପଦ‌େକ୍ଷପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ, ୨୮.୨.୨୦୧୫ରୁ ଏହି କାରଖାନା ବନ୍ଦ ରହିଛି। ଏହାକୁ ଏକ କେନ୍ଦ୍ରୀୟ ପିଏସ୍‌ୟୁକୁ ହସ୍ତାନ୍ତର କରି ପୁନଃକାର୍ଯ୍ୟକ୍ଷମ କରିବାକୁ ୨୦୧୦ ମସିହାରୁ ପ୍ରଚେଷ୍ଟା ଜାରି ରହିଥିଲା। କିନ୍ତୁ କେନ୍ଦ୍ରୀୟ ପିଏସ୍‌ୟୁ ପରବର୍ତ୍ତୀ ସମୟରେ ଓହରି ଯିବାରୁ ତାହା ଫଳପ୍ରଦ ହେଲା ନାହିଁ। ଏହି ପରିପ୍ରେକ୍ଷୀରେ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ଅନ୍ୟାନ୍ୟ ବିକଳ୍ପ ବିଷୟରେ ଚିନ୍ତା କରାଯାଉଛି।

ଏହି ପ୍ରଶ୍ନ ଉପ‌େର ଆଲୋଚନା ଚାଲିଥିଲା ବେଳେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ ମୂଳ ପ୍ରଶ୍ନକର୍ତ୍ତା ମୋହନ ମାଝୀ। ତାଙ୍କର ମୂଳ ପ୍ରଶ୍ନ ଥିଲା, କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠିତ ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଲିମିଟେଡ୍‌ ସମେତ ଅନ୍ୟ କେଉଁ କେଉଁ ଶିଳ୍ପ ସଂସ୍ଥା କେଉଁ କାରଣରୁ କେବେଠାରୁ ବନ୍ଦ ରହିଛି ? ଏହାର ଉତ୍ତରରେ ମନ୍ତ୍ରୀ ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଲିମିଟେଡ୍‌ ସମେତ କେନ୍ଦୁଝର ଜିଲ୍ଲା‌େର ବନ୍ଦ ହୋଇଥିବା ଅନ୍ୟ ଶିଳ୍ପ ସଂସ୍ଥାର ତଥ୍ୟ ଦେଇଥିଲେ। କିନ୍ତୁ ଶ୍ରୀ ମାଝୀ ଏହାକୁ ବିରୋଧ କରି କହିଥିଲେ, ‘ମୁଁ ସାରା ଓଡ଼ିଶାର ଶିଳ୍ପ ବିଷୟରେ ଜାଣିବାକୁ ଚାହିଁଥିଲି। ମନ୍ତ୍ରୀ କେବଳ କେନ୍ଦୁଝର ଜିଲ୍ଲାର ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି।’ ତେବେ ମନ୍ତ୍ରୀ ଶ୍ରୀ ମିଶ୍ର ଏହାକୁ ଗ୍ରହଣ କରି ନ ଥିଲେ। ବିଧାୟକ ନିର୍ଦ୍ଦିଷ୍ଟ ଭାବେ କେନ୍ଦୁଝର କଥା ପଚାରିଛନ୍ତି ଓ ସେହି ଅନୁଯାୟୀ ଉତ୍ତର ଦିଆଯାଇଛି। ଏହି ସମୟରେ ଶ୍ରୀ ମାଝୀ ନିଜ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରୁଥିଲେ। ବାଚସ୍ପତି ଏଥିରେ ହସ୍ତ‌େକ୍ଷପ କରି ପରେ ଓଡ଼ିଶାର ଶିଳ୍ପ ନେଇ ତଥ୍ୟ ଶ୍ରୀ ମାଝୀଙ୍କୁ ଯୋଗାଇ ଦେବାକୁ ମନ୍ତ୍ରୀଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର