କଟକ : ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଂଗରେ ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ କୁଜଙ୍ଗ ବାର୍ ଆସୋସିଏସନ୍ ସାଧାରଣ ସଂପାଦକ ସଂଜୟ କୁମାର ବେହେରା ଓ କାର୍ଯ୍ୟ ନିର୍ବାହୀ ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କାହିଁକି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ଦୁଇ ସପ୍ତାହ ଭିତରେ ଉତ୍ତର ରଖିବାକୁ ଶ୍ରୀ ବେହେରା ଓ ଶ୍ରୀ ମହାପାତ୍ରଙ୍କୁ କୁହାଯାଇଛି। ଯଦି ଏଥିରେ ଅବହେଳା କରାଯାଏ ତେବେ ଉଭୟଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନା ସଂକ୍ରମଣ ଆଶଙ୍କାରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ସହାୟତା ଆବଶ୍ୟକ କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟିର ଏପ୍ରିଲ ୧ ତାରିଖ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସଂପର୍କିତ ଆବେଦନ ତଥା ତଥ୍ୟ ସ୍ଥାନୀୟ ବାର୍ ଆସୋସିଏସନର ସଭାପତି ଓ ସଂପାଦକ ଯାଞ୍ଚ କରିବା ପରେ ଆର୍ଥିକ ସହାୟତା ମିଳିବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ ସେ ନେଇ କିଛି ଏ ପର୍ଯ୍ୟନ୍ତ କିଛି ସ୍ଥିର କରାଯାଇନାହିଁ। ଏଭଳି ପରିସ୍ଥିତିରେ କୁଜଙ୍ଗ ବାର୍ ଆସୋସିଏସନର ଏହି ଦୁଇ ପ୍ରମୁଖ କର୍ମକର୍ତ୍ତାଙ୍କ ମୋବାଇଲ ଫୋନରୁ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଂଗରେ ହ୍ବାଟ୍ସଆପ୍ ମେସେଜ ବିଭିନ୍ନ ଫୋନକୁ ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଭାଇରାଲ ହୋଇଥିବା ମେସେଜରେ ଉଲ୍ଲେଖ କରାଯାଇଥିଲା ଯେ ଆବଶ୍ୟକ କରୁଥିବା ଆଇନଜୀବୀଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା/ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଛି। ଏହି ଘଟଣା ରାଜ୍ୟ ଆଇନଜୀବୀ ପରିଷଦ ଦୃଷ୍ଟିକୁ ଆସିଥିଲା। ଏଭଳି କାର୍ଯ୍ୟ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ବେଳେ ଆଇନଜୀବୀ ସମାଜକୁ ଭୁଆଁ ବୁଲାଇବା ପାଇଁ ଉଦ୍ୟମ କରାଯାଇଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଉଭୟଙ୍କୁ ଜାରି କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରାଯାଇଛି।
ଆର୍ଥିକ ସହାୟତାର ପରିମାଣ ନେଇ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇ ନଥିବା ବେଳେ ଏପରି ମେସେଜରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସ୍ବତନ୍ତ୍ର କମିଟିରେ ଗୃହୀତ ପ୍ରସ୍ତାବର ବିରୁଦ୍ଧାଚରଣ କରୁଛି। ଆଡଭୋକେଟ୍ସ ଆକ୍ଟର ଧାରା ୩୫ ଅନୁସାରେ ଏହା ପେସାଗତ ଅସଦାଚରଣ (ପ୍ରେଫସନାଲ ମିସ୍କଣ୍ଡକ୍ଟ)। ଏପରି ପରିସ୍ଥିତିରେ କୁଜଙ୍ଗବାରର ଉପରୋକ୍ତ ଦୁଇ କର୍ମକର୍ତ୍ତାଙ୍କ ନିକଟରୁ କୈଫିୟିତ ତଲବ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bar-council.jpg)