ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକାରୀ ପରିଷଦ ବୈଠକ : ଓସ୍‌ଡମାରେ ଗଠନ ହେବ ରାଜ୍ୟ କ୍ରାଇସିସ୍‌ ଗ୍ରୁପ୍‌

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଏହି କାର୍ଯ୍ୟ ଯୋଜନାଗୁଡ଼ିକୁ ମିଳିଛି ମଞ୍ଜୁରି। ଏହା ସହିତ ରାଜ୍ୟରେ ରାସାୟନିକ ଓ ଶିଳ୍ପାନୁଷ୍ଠାନ ଆଦିରେ ସଂଘଟିତ ଦୁର୍ଘଟଣା ଜନିତ ବିପର୍ଯ୍ୟୟ ପରିଚାଳନା ପାଇଁ ଓସ୍‌ଡମାରେ ରାଜ୍ୟ କ୍ରାଇସିସ୍‌ ଗ୍ରୁପ୍‌ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ରାଇସିସ୍‌ ଗ୍ରୁପ୍‌ର ଆଭିମୁଖ୍ୟ ଅନୁସାରେ ଏଣିକି ଓସ୍‌ଡମାର ଆପଦକାଳୀନ ସହାୟତା କେନ୍ଦ୍ର ରାସାୟନିକ ଦୁର୍ଘଟଣା ଜନିତ ବିପର୍ଯ୍ୟୟ ପରିଚାଳନା କରିବ। ଫ୍ୟାକ୍ଟ୍ରିଜ୍‌ ଓ ବଏଲର୍‌ ନିର୍ଦେଶାଳୟ ଓ ଓସ୍‌ଡମା ମିଳିତ ଭାବେ ଏହି କାର୍ଯ୍ୟ କରିବେ। ରାସାୟନିକ ଦୁର୍ଘଟଣା ସଂପର୍କିତ ଡାଟା ବ୍ୟାଙ୍କ ସଂଗ୍ରହ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ତଥା ଓସ୍‌ଡମାର ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ରାଜ୍ୟରେ ୮୧୪ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବର୍ଷା, ମରୁଡ଼ି, ମୂର୍ତିକା, ଆର୍ଦ୍ରତା ଆଦି ନେଇ ସଠିକ୍‌ କ୍ଷେତ୍ରସ୍ତରୀୟ ସୂଚନା ସଂଗ୍ରହ ପାଇଁ ପଞ୍ଚାୟତ ସ୍ତରରେ ପାଣିପାଗ ମାପକ ଯନ୍ତ୍ର ଷ୍ଟେସନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ୬ଟି ତଟବର୍ତୀ ଜିଲ୍ଲା ଅନ୍ତର୍ଗତ ୨୨ଟି ବ୍ଲକରେ ପ୍ରାକ୍‌ ବିପର୍ଯ୍ୟୟ ସୂଚନା ପ୍ରସାରଣ ବ୍ୟବସ୍ଥା ସ୍ଥାପନର ଅଗ୍ରଗତି ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ଓ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୭୫.୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର