ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଆ ଓ ଇତିହାସ ଛାତ୍ରଛାତ୍ରୀଙ୍କ ଦାବିପତ୍ର

ଭୁବନେଶ୍ୱର : ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ବିଭିନ୍ନ ବିଷୟର ୯୭୨ ପଦ ପୂରଣ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଓଡ଼ିଆ ଓ ଇତିହାସ ବିଷୟରେ ଖାଲିଥିବା ଅଧ୍ୟାପକ ପଦ ପୂରଣ ଲାଗି ଉକ୍ତ ତାଲିକାରେ କୌଣସି ସୂଚନା ଦିଆଯାଇ ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ସଞ୍ଚାର ହୋଇଛି। ନିଯୁକ୍ତି ପ୍ରକ୍ରିୟା ହେବ କି ନାହିଁ ତାହାକୁ ନେଇ ଆଶା ଆଶଙ୍କା ରହିଥିବାରୁ ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ସକାଳୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ ଦାବିପତ୍ର ଗ୍ରହଣ କରିବା ସହ ଖୁବ୍‌ଶୀଘ୍ର ଓଡ଼ିଆ ଓ ଇତିହାସ ବିଭାଗରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ବାହାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର