ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସିବିଏସ୍ଇ ଓ ସିଆଇଏସ୍ସିଇ ବୋର୍ଡ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ହ୍ରାସ କରିଛନ୍ତି। ସିବିଏସ୍ଇ ବୋର୍ଡ ୩୦% କମାଇଥିବା ବେଳେ ସିଆଇଏସ୍ସିଇ ବୋର୍ଡ ୨୫% ହ୍ରାସ କରିଛି। ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଉକ୍ତ ଦୁଇ ବୋର୍ଡ ଆଗୁଆ ପଦକ୍ଷେପ ନେବା ସହ ସଂଶୋଧିତ ସିଲାବସ୍ ବି ଜାରି କରିସାରିଛନ୍ତି। ଫଳରେ ଅନ୍ଲାଇନ୍ରେ ଶିକ୍ଷାଗ୍ରହଣ କରୁଥିବା ଏହି ଦୁଇ ବୋର୍ଡର ପିଲାମାନେ ଏବେଠାରୁ ନିଜକୁ ପ୍ରସ୍ତୁତ କରିନେଉଛନ୍ତି। ତେବେ ଓଡ଼ିଆ ମାଧ୍ୟମ ତଥା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି। ପାଠ୍ୟକ୍ରମ ହ୍ରାସ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାରମ୍ବାର କହୁଛନ୍ତି। ତେବେ କେତେ କମିବ? କେଉଁ ବିଷୟ କଟିବ ଆଉ କେଉଁ ବିଷୟ ରହିବ? ନୂତନ ପାଠ୍ୟକ୍ରମ କେବେ ଆସିବ? ସେନେଇ ରାଜ୍ୟ ସରକାର କିମ୍ବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଲକ୍ଷ ପିଲା ଏବେ ଅନ୍ଲାଇନ୍ରେ ପଢ଼ୁଛନ୍ତି। ହ୍ବାଟ୍ସଆପ୍, ଟିଭି, ମୋବାଇଲ୍, ଇ-ମେଲ୍, ଜୁମ୍ ଆପ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ପୁରୁଣା ସିଲାବସ୍ ଅନୁଯାୟୀ ଶିକ୍ଷା ଦେଉଛନ୍ତି। କେତେକ ବିଦ୍ୟାଳୟରେ ଇତି ମଧ୍ୟରେ ଗୋଟିଏ ୟୁନିଟ୍ର ପାଠପଢ଼ା ବି ଶେଷ ହୋଇଗଲାଣି। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବାରୁ ସେମାନେ ଘରେ ରହି ପଢ଼ୁଛନ୍ତି। ଅଭିଭାବକମାନେ ମଧ୍ୟ ବହି ଅନୁଯାୟୀ ପିଲାଙ୍କୁ ପଢ଼ାଉଛନ୍ତି। ଘରୋଇ ବିଦ୍ୟାଳୟ ଯଥା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରି ବିଦ୍ୟାଳୟଗୁଡ଼ିକ ଇତି ମଧ୍ୟରେ ପୁରୁଣା ସିଲାବସ୍ ଅନୁଯାୟୀ ଅନ୍ଲାଇନ୍ରେ ଅଧା ବିଷୟ ପଢ଼ାଇ ସାରିଲେଣି। ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ବି ଆରମ୍ଭ ହୋଇଗଲାଣି।
ପାଠପଢ଼ା ଏତେ ବାଟ ଆଗେଇ ଯାଇଥିବା ବେଳେ ସିଲାବସ୍ କେତେ ହ୍ରାସ ପାଇବ ସେନେଇ ରାଜ୍ୟ ସରକାର କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇପାରୁ ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଆଜି ପୁଣିଥରେ ପୁରୁଣା କଥାର ପୁନରାବୃତ୍ତି କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ସିବିଏସ୍ଇ ଭଳି ଓଡ଼ିଆ ସ୍କୁଲ୍ ପାଠ୍ୟଖସଡ଼ାରେ କମାଯିବ। କରୋନା ପାଇଁ ଏ ବର୍ଷ ସିଲାବସ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି। ପ୍ରଥମରୁ ଦଶମ ଯାଏ କେତେ ପାଠ ପଢ଼ାଯିବ, ଏସ୍ସିଇଆରଟିର ଏକ୍ସପର୍ଟ କମିଟି ଓ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ସିଲାବସ୍ କେତେ କମିବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ। ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷାବର୍ଷ ବାକି ଅଛି ତାହାକୁ ଆଧାର କରି କମିଟିଗୁଡ଼ିକ ନିଷ୍ପତ୍ତି ନେବେ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗୁଆ ଜଣାଇ ଦିଆଯିବ।
ଏଠାରେ ପ୍ରଶ୍ନ ଉଠୁଛି ଅନ୍ୟ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟ ଏପର୍ଯ୍ୟନ୍ତ ଖୋଲିନାହିଁ। କେବେ ଖୋଲିବ ତାହା ବି କହିହେଉ ନାହିଁ। ତା’ପରେ ବି ସେମାନେ ଆଗୁଆ ପଦକ୍ଷେପ ନେଇଛନ୍ତି। ତେବେ ଓଡ଼ିଶା ବୋର୍ଡ ସବୁ କ୍ଷେତ୍ରରେ ପଛୁଆ କ’ଣ ପାଇଁ? ଛୁଟି ସମୟରେ ପିଲାମାନେ ଯେଉଁ ପାଠ ପଢ଼ିଥିବେ ତାହାକୁ ଯଦି କାଟି ଦିଆଯାଏ? ଏହାଦ୍ବାରା ସେମାନଙ୍କର ଯେଉଁ କ୍ଷତି ହେବ, ସେଥିପାଇଁ କିଏ ଦାୟୀ ରହିବ। ରାଜ୍ୟ ସରକାର କାହିଁକି ଆଗୁଆ ପଦକ୍ଷେପ ନେଉନାହାନ୍ତି? ଫଳରେ ସ୍କୁଲ ଖୋଲିବା ବେଳକୁ ପିଲାମାନେ ନୂତନ ସିଲାବସ୍ ଅନୁଯାୟୀ ପଢ଼ିବେ। ସିଲାବସ୍ ସଙ୍ଗେ ସଙ୍ଗେ କାଟିଦେବା ବି ସମ୍ଭବପର ନୁହେଁ? ଏଥିପାଇଁ ବିଚାର ବିମର୍ଶ ବି ଦରକାର। କେଉଁ ବିଷୟ ପିଲାଙ୍କ ଲାଗି ଉପଯୋଗୀ ହେବ? କେଉଁଟି ଆବଶ୍ୟକତା ନାହିଁ? ଏହି ସବୁ ବିଷୟରେ ବି ଧ୍ୟାନ ଦେବା ଜରୁରୀ। ତେଣୁ ଆଉ ବିଳମ୍ବ ନ କରି ପାଠ୍ୟକ୍ରମକୁ ସଂକ୍ଷୀପ୍ତ କରି ତୁରନ୍ତ ପ୍ରକାଶ କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି।