ଓଡ଼ିଆ ପିଲା ପଢ଼ୁଛନ୍ତି ତେଲୁଗୁ ପାଠ

ଫାଟୁ‌େସ‌ନେରୀରେ ଆନ୍ଧ୍ର ସ୍କୁଲ

ଚାଳିଆରେ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନ
୧୭ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ
ଓଡ଼ିଶାର ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ

କୋରାପୁଟ, (ଶ୍ରୀକାନ୍ତ ସାହୁ): ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ପୁଣି ସାମ୍ନାକୁ ଆସିଛି ଆନ୍ଧ୍ର ସରକାରଙ୍କ ସାଂଘାତିକ ଷଡ଼୍‌ଯନ୍ତ୍ର। ଓଡ଼ିଆ ପିଲାଙ୍କୁ ସଂପୂର୍ଣ୍ଣ ତେଲୁଗୁ ଭାଷୀ କରିବାକୁ ରୀତିମତ କରିଛନ୍ତି ବଡ଼ ଯୋଜନା। ଫାଟୁସିନେରୀରେ ଜବରଦଖଲ କରି ଖୋଲିଛନ୍ତି ପ୍ରାଥମିକ ବିଦ୍ୟାଳୟ। ଜଣେ ଶିକ୍ଷକ ନିଯୁକ୍ତି ଦେଇ ପିଲାଙ୍କୁ ପ୍ରଲୋଭିତ କରିବା ପାଇଁ ଷ୍ଟାଇପେଣ୍ଡ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଅବହେଳା କାରଣରୁ ବନ୍ଦ ହେବା ଅବସ୍ଥାକୁ ଚାଲି ଆସିଛି।

କୋଭିଡ୍ ପ୍ରଭାବ କମିବା ପରେ ଆନ୍ଧ୍ର ସରକାର ବିଦ୍ୟାଳୟ ଶିକ୍ଷା ପାଇଁ ଅନୁମତି ଦେଇଛନ୍ତି। ଏହିକ୍ରମରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭାଗୀୟ ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ଶିକ୍ଷାଦାନ। ଏଠାରେ ଏକ ଚାଳିଆ ଘରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ବ୍ୟବସ୍ଥା କରିଛନ୍ତି। ବିଜୟନଗର ଜିଲ୍ଲା ସାଲୁର ମଣ୍ଡଳ ପକ୍ଷରୁ ଏହି ବିଦ୍ୟାଳୟ ଖୋଲିଥିବାବେଳେ କିଛିଦିନ ହେଲା ନିୟମିତ ଭାବେ ଓଡ଼ିଶାର ୧୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି। ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ବିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୫ମ ଶ୍ରେଣୀରେ କେହି ଛାତ୍ରଛାତ୍ରୀ ନାହାନ୍ତି। ସଂପୂର୍ଣ୍ଣ ତେଲୁଗୁ ଭାଷାରେ ପିଲାଙ୍କୁ ଶିକ୍ଷାଦାନ ହେଉଥିବା ଦେଖିବାକୁ ମିଳିଛି। ଏହା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ପୋଷ୍ଟର ମାରି କ’ଣ ସବୁ ସୁବିଧା ସରକାର ଯୋଗାଇ ଦେଉଛନ୍ତି, ତାହାର ପ୍ରଚାର ବି ଏହି ବିଦ୍ୟାଳୟ କରୁଛି। ସେହିପରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ୧୫ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଟ ସହ ମାଗଣାରେ ବହିପତ୍ର, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି ଦିଆଯାଉଛି।

ଆନ୍ଧ୍ରର ଶିକ୍ଷକ ଜଣକ ଅଧିକାଂଶ ଦିନ ଏଠାରେ ରହି ଶିକ୍ଷାଦାନ କରୁଥିବାବେଳେ ମାସ ଶେଷରେ କିଛିଦିନ ପାଇଁ ଘରକୁ ଯାଉଛନ୍ତି। ଶିକ୍ଷକ ହେଉଛନ୍ତି ଏ.ଗଣେଶ। ତାଙ୍କ କହିବାନୁସାରେ, ‘ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ବିଦ୍ୟାଳୟ ଖୋଲି ଶିକ୍ଷାଦାନ କରାଯାଉଛି। ତେବେ କାହାକୁ ବାଧ୍ୟ କରାଯାଇ ନାହିଁ, ଅଭିଭାବକମାନେ ନିଜେ ପିଲାଙ୍କୁ ବିଦ୍ୟାଳୟରେ ଆଣି ଛାଡ଼ୁଛନ୍ତି।’

ଅନ୍ୟପକ୍ଷଷଣ, କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଏବେ ଅନୁପ୍ରବେଶ ପରେ ଓଡ଼ିଆ ଭାଷାକୁ ବିଲୋପ କରିବାକୁ ଆନ୍ଧ୍ର ସରକାରଙ୍କ ଯୋଜନାବଦ୍ଧ ରଣନୀତିକୁ ବେଶ୍ ସୁହାଉଛି। କାରଣ ଫାଟୁସିନେରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଛି। ଶିକ୍ଷକ ନିଯୁକ୍ତି ଦେଇ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଇଛି। କିନ୍ତୁ ଏହି ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକ ନିୟମିତ ଶିକ୍ଷାଦାନ ପାଇଁ ଆସନ୍ତି ନାହିଁ। ମାସରେ ଦିନେ ଅଧେ ବୁଲି ଆସନ୍ତି। ‌ସେହିପରି ବିଦ୍ୟାଳୟ କେଉଁଭଳି ଚାଲିଛି ତାହାର ନିରୀକ୍ଷଣ ନିୟମିତ ହେଉ ନଥିବାରୁ ଓଡ଼ିଆ ପିଲା ନିଜ ମାତୃଭାଷାକୁ ବି ଭୁଲିବାରେ ଲାଗିଲେଣି। କୋଭିଡ୍ କଟକଣା ପରେ ଏହି ବିଦ୍ୟାଳୟ ପ୍ରାୟ ଗୋଟିଏ ବର୍ଷ ହେଲା ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଏ ନେଇ ଫାଟୁସ‌େନେରୀ ପ୍ରାଥମିକ ବିଦ୍ୟାଳୟ କମିଟି ସଭାପତି କହିଛନ୍ତି ଯେ, ଓଡ଼ିଶା ସରକାର ଏଯାଏ ବିଦ୍ୟାଳୟ ଖୋଲୁ ନାହାନ୍ତି। ଶିକ୍ଷକମାନେ କେବେ ଆସୁଛନ୍ତି ତ କେବେ ନାହିଁ। ଆନ୍ଧ୍ର ସରକାର ସବୁ ସୁବିଧା ଦେଉଥିବାରୁ ଆମେ ପିଲାଙ୍କୁ ସେଠାକୁ ପଢ଼ାଇବା ପାଇଁ ଛାଡ଼ୁଛୁ। ପୁଣି ଓଡ଼ିଶା ସରକାର କେବେ ବିଦ୍ୟାଳୟ ଖୋଲିବେ ସ୍ପଷ୍ଟ ହୋଇପାରୁନୁ। ଏମିତି ସ୍ଥିତିରେ ଆମ ପିଲାଙ୍କୁ କଣ ଅଶିକ୍ଷିତ କରି ରଖିବୁ କି ବୋଲି ପ୍ରଶ୍ନ କରିଥିଲେ। ପିଲାମାନେ ପୂର୍ବରୁ ଓଡ଼ିଆ ସ୍କୁଲରେ ପଢୁଥିଲେ ଏବେ ସ୍କୁଲ ଖୋଲୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଧ୍ର ସ୍କୁଲକୁ ଛାଡ଼ୁଥିବା କହିଥିଲେ।

ସମ୍ବନ୍ଧିତ ଖବର