ଭୁବନେଶ୍ବର: ରାଜ୍ୟରେ ଅଣଓଡ଼ିଆ ଠିକାଦାର ମାଡ଼ିଗଲେଣି। ସେମାନେ କିପରି ସରକାରୀ କାମ ପାଇବେ, ସେଥି ପାଇଁ ସବୁ ବନ୍ଦୋବସ୍ତ କରାଯାଉଛି। ଚଢ଼ା ଦରରେ ସେମାନଙ୍କୁ ଠିକା କାମ ଦିଆଯାଉଛି। କିନ୍ତୁ ଓଡ଼ିଆ ଠିକାଦାରମାନଙ୍କୁ ଅଣଦେଖା କରାଯାଉଛି। ସେମାନେ ଏବେ ହାତ ବାନ୍ଧି ବସିଛନ୍ତି। ହଜାର ହଜାର ଓଡ଼ିଆ ଠିକାଦାରଙ୍କ ଭବିଷ୍ୟତ ଅନ୍ଧାରରେ। ଆଜି ବିଧାନସଭାରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଏମିତି ଆରୋପ ଲଗାଇଛନ୍ତି ବିରୋଧୀ ଦଳ ସଭ୍ୟମାନେ।
ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଠିକାଦାରଙ୍କ ମଧ୍ୟରେ ପାତର ଅନ୍ତର କରାଯାଉଛି। ଦକ୍ଷିଣ ଭାରତର ଠିକାଦାରମାନଙ୍କୁ ଏଠି ଅଧିକ ଗୁରୁତ୍ବ ଦିଆଯାଉଛି। ସେମାନଙ୍କ ମନଇଚ୍ଛା ଚଢ଼ା ଦରରେ କାମ ଦିଆଯାଉଛି। ପୂର୍ତ୍ତ ବିଭାଗରେ ପିସି କାରବାର ବ୍ୟାପକ ମାତ୍ରାରେ ଚାଲିଛି। କାମ ନିମ୍ନମାନର ହେଉଥିଲେ ମଧ୍ୟ ଅସାଧୁ ଓ ଅନଭିଜ୍ଞ କର୍ମଚାରୀମାନେ ଠିକ୍ ଭାବେ ଯାଞ୍ଚ୍ କରୁନାହାନ୍ତି। ଭୁବନେଶ୍ବରରେ ଖାରବେଳ ଭବନର କାମ ଏଲ୍ ଆଣ୍ଡ୍ ଟି ନେଇଥିଲା ବେଳେ ସେହି ସଂସ୍ଥାକୁ କାହିଁକି ବର୍ଗଫୁଟ ପିଛା ୫୫୦୦ ଟଙ୍କା ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଉଭୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ପିସି ବିଭାଗ। ପିସି ନ ମିଳିଲେ ଫାଇଲ୍ ଘୁଞ୍ଚେନି। ବିଭିନ୍ନ ସ୍ଥାନରେ ଠିକାଦାରମାନେ ଅତି ନିମ୍ନ ମାନର ପିଚୁ ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ସୁରେଶ ରାଉତରାୟ କହିଥିଲେ, ଖାରବେଳ ଭବନ କାମ ଚଢ଼ା ଦରରେ ଦିଆଯାଇଥିଲେ ମଧ୍ୟ ସେଠାରେ ଛାତ କଣା ହୋଇଗଲାଣି। ପିସି ନ ମିଳିଲେ ଏ ବିଭାଗରେ ଇଞ୍ଜିନିୟରଙ୍କ ଗାଡ଼ି ଗଡ଼ିବନି। ଅବଶ୍ୟ କିଛି ଇଞ୍ଜିନିୟର ଭଲ କାମ କରୁଛନ୍ତି। ଭୁବନେଶ୍ବରରେ ରିଂ ରୋଡ୍ କାମ ତୁରନ୍ତ ଆରମ୍ଭ କରିବାକୁ ସେ ଦାବି କରିଥିଲେ। ତାରା ପ୍ରସାଦ ବାହିନୀପତି ତାଙ୍କ ଅଞ୍ଚଳର କିଛି ରାସ୍ତା ସମସ୍ୟା ଉତ୍ଥାପନ କରିଥିଲେ।
ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଥିଲେ, ଓଡ଼ିଶାର ଅଧିକ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ପ୍ରଫୁଲ୍ଲ ସାମଲ ଓ ରାଜେନ୍ଦ୍ର ସାହୁ କହିଥିଲେ, ଗତ ୨୨ ବର୍ଷ ଭିତରେ ରାଜ୍ୟରେ ରାସ୍ତା ଓ ପୋଲ ଭିତ୍ତିଭୂମିରେ କିପରି ବିକାଶ ହୋଇଛି ତାହା ସମସ୍ତେ ଦେଖୁଛନ୍ତି। ରାଜ୍ୟର ଯେ କୌଣସି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗଲେ ବିକାଶର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ। ବିରୋଧୀ ଦଳ ପକ୍ଷରୁ ମୁକେଶ ମହାଲିଙ୍ଗ, ଗଣେଶ ରାମସିଂହ ଖୁଣ୍ଟିଆ, ଭବାନୀ ଶଙ୍କର ଭୋଇ, ମକରନ୍ଦ ମୁଦୁଲି, ଶାସକ ଦଳ ପକ୍ଷରୁ ଅଶୋକ ବଳ, ରାଜକିଶୋର ଦାସ ଓ ପ୍ରଣବ ବଳବନ୍ତରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପୂର୍ତ୍ତ ବିଭାଗର ୮୬୭୩ କୋଟି ୨୧ଲକ୍ଷ ୭ହଜାର ଟଙ୍କା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୯୬୬ କୋଟି ୧୩ଲକ୍ଷ ୫୪ହଜାର ଟଙ୍କାର ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ହୋଇଥିଲା। ଆଲୋଚନାର ଉତ୍ତରରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୫୧୦.୩୦ କିମି ରାସ୍ତାକୁ ଜାତୀୟ ରାଜପଥରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଟ୍ରାଫିକ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦ଟି ବାଇପାସ୍ ରୋଡ୍ ନିର୍ମାଣ କରିବାର ଯୋଜନା ଅଛି। ସେଥରୁ ୮ଟି କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁମୋଦନ ଲାଭ କରିଛି ଓ ଏହାର ଟେଣ୍ଡର୍ ପ୍ରକ୍ରିୟା ଚାଲିଛି। ଚଳିତ ବର୍ଷ ଅବଶିଷ୍ଟ ୧୨ଟି ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ୨୦୨୨-୨୩ରେ ୧୭ଟି ନୂଆ ସେତୁ ପ୍ରକଳ୍ପ ହାତକୁ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଲେ, ୨୦୨୨-୨୩ରେ ୨୦୦୦ କିମି ରାସ୍ତା ଓ ୬୦ଟି ସେତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁ ସେତୁ ଯୋଜନାରେ ୩୦୦ଟି ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଏଥି ପାଇଁ ଏହି ଯୋଜନାରେ ୧୭୮୮ କୋଟି ୨ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଆଡ଼ିବନ୍ଧ/ସେତୁ ସହ ଆନିକଟ ନିର୍ମାଣ ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୨-୨୩ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୬୯ଟି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/contracter.jpg)