ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପାଠ୍ୟକ୍ରମ ବନ୍ଦ, ଚୁକ୍ତିନାମାର ଖିଲାପ କରୁଛି ଆନ୍ଧ୍ର

ଛାତ୍ରଛାତ୍ରୀଙ୍କୁ ମିଳୁନି ଓଡ଼ିଆ ପୁସ୍ତକ, ନିଯୁକ୍ତ ହେଉନାହାନ୍ତି ଓଡ଼ିଆ ଶିକ୍ଷକ

ପାରଳାଖେମୁଣ୍ଡି : ଝାଡ଼ଖଣ୍ଡ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳନ ବନ୍ଦ ଭଳି ଏବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବିଚ୍ଛିନ୍ନାଞ୍ଚଳରେ ସମାନ ସ୍ଥିତି। ଏଠାରେ ଥିବା ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷାଦାନ ଧୀରେ ଧୀରେ ବନ୍ଦ କରି ଦିଆଯାଉଛି। ଓଡ଼ିଶା ସୀମାନ୍ତ ଅଞ୍ଚଳ ତଥା ଆନ୍ଧ୍ରରେ ବାସ କରୁଥିବା ଓଡ଼ିଆ ପିଲାଙ୍କୁ ଓଡ଼ିଆ ପଢ଼ାଇବା ପାଇଁ ଉତ୍ସାହ ପ୍ରକାଶ କରୁନାହାନ୍ତି ଆନ୍ଧ୍ର ଗଣଶିକ୍ଷା ବିଭାଗ। ଓଡ଼ିଶା ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ଅଭାବରୁ ଆନ୍ଧ୍ରରେ ଓଡ଼ିଆ ପାଠ୍ୟପୁସ୍ତକ ମଧ୍ୟ ମିଳୁନାହିଁ। ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ନିଜ ଇଚ୍ଛା ମୁତାବକ ଭାଷାରେ ପାଠ ପଢ଼ିବେ ବୋଲି ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଏହି ଚୁକ୍ତିନାମାକୁ ଓଡ଼ିଶା ସରକାର ସଂପୂର୍ଣ୍ଣ ପାଳନ କରୁଛନ୍ତି। ତେଲଗୁ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ଭାଷାରେ ପୁସ୍ତକ ପ୍ରଦାନ ଏବଂ ତେଲଗୁ ଶିକ୍ଷକ ନିଯୁକ୍ତିରେ ଓଡ଼ିଶା ସରକାର କେବେ ଅବହେଳା କରିନାହାନ୍ତି। କାଶୀନଗର, ଗୋଷାଣୀ ବ୍ଲକ୍ ଏବଂ ପାରଳାଖେମୁଣ୍ଡିରେ ତେଲଗୁ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ପଢ଼ାରେ କୌଣସି ବାଧା ସୃଷ୍ଟି ହୋଇନାହିଁ। ହେଲେ ପଡ଼ୋଶୀ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲାର ପୁରୁଣାପାଟଣା, ମେଳିଆପୁଟି, ଟେକିଲି, ମଞ୍ଜୁଷା, ସୋମପେଣ୍ଠ, ଇଚ୍ଛାପୁର, ହୀରମଣ୍ଡଳମ୍‌ ଓ କତ୍ତୁରୁ ଇତ୍ୟାଦି ମଣ୍ଡଳରେ ବହୁ ସଂଖ୍ୟାରେ ଓଡ଼ିଆ ପରିବାର ବାସ କରୁଛନ୍ତି। ଏହି ପରିବାରର ପିଲାମାନେ ଓଡ଼ିଆରେ ଶିକ୍ଷାଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଗତ କିଛିବର୍ଷ ହେଲା ଆନ୍ଧ୍ର ଗଣଶିକ୍ଷା ବିଭାଗ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ପାଠ୍ୟକ୍ରମ ପ୍ରଚଳନ ଜାରି ରଖିବା ଦିଗରେ ଆଉ ଆଗ୍ରହ ଦେଖାଉନାହାନ୍ତି। ତେଣୁ ସୀମାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷକଙ୍କ ନିଯୁକ୍ତି ମଧ୍ୟ ବନ୍ଦ କରିଦେଲେଣି।

ଫଳରେ ଅନେକ ଛାତ୍ରଛାତ୍ରୀ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ତେଲଗୁରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏପରି ସ୍ଥିତି ଲାଗି ରହିଲେ ପଡ଼ୋଶୀ ରାଜ୍ୟମାନଙ୍କରେ ଓଡ଼ିଆ ଭାଷା ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ଉତ୍କଳ ସମ୍ମିଳନୀ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ସମ୍ବନ୍ଧିତ ଖବର