ମହାରାଷ୍ଟ୍ରର ବିପର୍ଯ୍ୟୟ ଆଣିଛି ସୁଯୋଗ: ଏମ୍‌ଏସ୍‌ପିଠୁ ଅଧିକରେ କପା ବିକୁଛି ଓଡ଼ିଆ ଚା‌ଷୀ

ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଆ କପା ଚାଷୀଙ୍କ ପାଇଁ ପୁଷ ମାସ ପଡ଼ିଛି। ସରକାରଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ଠାରୁ ଅଧିକ ଦରରେ ଓଡ଼ିଶା ଚାଷୀ କପା ବିକିବାର ମଉକା ପାଇଛି। ଏମ୍‌ଏସ୍‌ପି ହିସାବରେ କପା ମୂଲ୍ୟ କ୍ବିଣ୍ଟାଲ ପିଛା ୬୦୨୫ ଟଙ୍କା ଥିବା ବେଳେ ଏବେ ଚାଷୀମାନେ କ୍ବିଣ୍ଟାଲ ପିଛା ୭ ହଜାରରୁ ୮ ହଜାର ଟଙ୍କା ଦରରେ ବିକୁଛନ୍ତି। ସମ୍ଭବତଃ ପ୍ରଥମ ଥର ପାଇଁ କିମ୍ବା ଅନେକ ବର୍ଷ ପରେ ଓଡ଼ିଶା ଚାଷୀଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଛି। ଚଳିତ ବର୍ଷ ମହାରାଷ୍ଟ୍ରରେ କପା ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଓଡ଼ିଶା କପା ଚାଷୀଙ୍କ ପାଇଁ ଏହି ମଉକା ମିଳିଥିବା କୁହାଯାଉଛି।

ରାଜ୍ୟ କୃଷି ବିଭାଗ ସୂଚନାନୁସାରେ ଚଳିତ ବର୍ଷ ଓଡ଼ିଶାର ୧୧ଟି ଜିଲ୍ଲାରେ ୧୯୩.୧୧ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି। ଏଥିରୁ ପ୍ରାୟ ୬୮୧.୮୫ ହଜାରରୁ ଅଧିକ ଗାଣ୍ଠି କପା ଉତ୍ପାଦନ ହେବ ବୋଲି ଆକଳନ କରାଯାଉଛି। ଏହା ଗତ ବର୍ଷଠାରୁ ଅଧିକ। ଗତବର୍ଷ କପା ବିକ୍ରି ପାଇଁ ଚାଷୀ ସଂଘର୍ଷ କରୁଥିଲା। ମଣ୍ଡିରେ କପା ଗାଣ୍ଠି ଧରି ହନ୍ତସନ୍ତ ହେଉଥିଲା। କିନ୍ତୁ ଚଳିତ ବର୍ଷ ଚିତ୍ର ବଦଳି ଯାଇଛି। ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କହିବା କଥା ମହାରାଷ୍ଟ୍ରରେ ସର୍ବାଧିକ କପା ଉତ୍ପାଦନ ହୁଏ। ମୁମ୍ବାଇ, ଗୁଜରାଟ ଓ ତାମିଲନାଡ଼ୁର ସୂତାକଳ ମାଲିକମାନେ ଏହି ସମୟରେ ମହାରାଷ୍ଟ୍ରରୁ କପା କିଣିଥାନ୍ତି। ଚଳିତ ବର୍ଷ ମହାରାଷ୍ଟ୍ର‌ରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଛି।

ତେଣୁ କଟନ୍‌ ମିଲ୍ ମାଲିକମାନେ ଚଳିତ ବର୍ଷ ଓଡ଼ିଶା ମୁହାଁ ହୋଇଛନ୍ତି। ଏବେ କମ୍ପାନିମାନଙ୍କ ଏଜେଣ୍ଟମାନେ ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ସୋନପୁର, ବୌଦ୍ଧ, ବରଗଡ଼, ଫୁଲବାଣୀ ଓ ନୂଆପଡ଼ାରେ ଡେରା ପକାଇଛନ୍ତି। ସରକାର ମଣ୍ଡି ଅପେକ୍ଷା ଅଧିକ ଦର ଦେଇ କପା କିଣୁଛନ୍ତି। ଏବେ କ୍ବିଣ୍ଟାଲ୍‌ ପିଛା ହାରାହାରି ୭ ହଜାରରୁ ୭୫୦୦ ଟଙ୍କାରେ ବିକ୍ରି ହେଉଛି। କିଛି ସପ୍ତାହ ପୂର୍ବରୁ ଅନେକ ଚାଷୀ ୮ ହଜାର ଟଙ୍କାରୁ ଅଧିକ ଦରରେ ମଧ୍ୟ କପା ବିକିଥିବା ଜଣାପଡ଼ିଛି। କମ୍ପାନି ଏଜେଣ୍ଟମାନେ ସିଧାସଳଖ ଚାଷୀଙ୍କଠାରୁ କପା କିଣୁଥିବାରୁ ଏବେ ଚାଷୀମାନେ ମଣ୍ଡି ମୁହାଁ ହେଉନାହାନ୍ତି। ସ୍ଥିତି ଏମିତି ହୋଇଛି ଯେ ବର୍ତ୍ତମାନ କପା ମଣ୍ଡି‌ ଖାଁ ଖାଁ ଲାଗୁଛି। ଏହି ସମୟରେ କପା ମଣ୍ଡିରେ ଚାଷୀଙ୍କ ଭିଡ଼ ଲାଗିବା କଥା।

ପ୍ରଥମ ଥର ପାଇଁ ଏଭଳି ସ୍ଥିତି ହୋଇଥିବାରୁ କୃଷି ବିଭାଗ(ତନ୍ତୁ)ର ସହକାରୀ ନିର୍ଦେଶକ ତରୁଣ ବେହେରା ବିଭିନ୍ନ ଜିଲ୍ଲା ଗସ୍ତ କରି ବିକ୍ରି ବ୍ୟବସ୍ଥା ତଦାରଖ କରୁଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଉତ୍ପାଦନ କ୍ଷେତ୍ରରେ ଭାରତରେ ନବମ ସ୍ଥାନରେ ଥିବା ଓଡ଼ିଶାର କପା ଗୁଣାତ୍ମକ ଦୃଷ୍ଟିରୁ ଉନ୍ନତମାନର। ତେଣୁ ଅନେକ ବ୍ୟବସାୟୀ ଓଡ଼ିଶା କପାକୁ ପସନ୍ଦ କରନ୍ତି। ସେହିଭଳି ଅନ୍ତର୍ଜାତୀୟ ବଜାରରେ ସୂତା ମୂଲ୍ୟ ବୃଦ୍ଧି ପାଇଥିବାରୁ ଏହି ସ୍ଥିତି ଉପୁଜିଛି। ଚାଷୀ ସଙ୍ଗଠନ ଅନୁସାରେ, ବର୍ତ୍ତମାନ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ ଦଲାଲମାନେ କାରବାର ନିୟନ୍ତ୍ରଣ କରୁଛନ୍ତି। ଫଳରେ ଚାଷୀ ଯେଉଁ ଲାଭ ପାଇବା କଥା, ତାହା ପାଇପାରୁନାହିଁ। ଏହି ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଖର୍ଚ ଅଧିକ ପଡ଼ୁଥିବାରୁ ବହୁ ସମୟରେ ଚାଷୀମାନେ ସ୍ଥାନୀୟ ବ୍ୟବସାୟୀ ବା ମହାଜନଙ୍କ ସହାୟତା ନିଅନ୍ତି। ଉତ୍ପାଦନ ପରେ ବଜାର ମୂଲ୍ୟଠାରୁ କମ୍‌ରେ ସେମାନଙ୍କୁ ହିଁ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ଫଳରେ ପ୍ରତିବର୍ଷ ଅଧିକାଂଶ ମଣ୍ଡିରେ ଦଲାଲମାନେ ହିଁ କପା ବିକ୍ରୟ କରନ୍ତି। ଚଳିତ ବର୍ଷ ମଧ୍ୟ ଦଲାଲ୍‌ମାନେ ଫାଇଦା ନେଉଛନ୍ତି। ତେଣୁ ଦଲାଲ ନିୟନ୍ତ୍ରଣ ପାଇଁ ସ୍କ୍ବାଡ୍‌ ଗଠନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉଚିତ ବୋଲି ଚାଷୀ ସଂଗଠନମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର