ଭୁବନେଶ୍ବର, (ସୋମନାଥ ପରିଡ଼ା): ୧୯୩୬ ମସିହା ଏପ୍ରିଲ୍ ୨୮ ତାରିଖ ଦିନ ପ୍ରଥମ ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ ପୁରୀର ଲକ୍ଷ୍ମୀ ସିନେମା ହଲ୍ରେ ମୁକ୍ତିଲାଭ କଲା। ଏହାର ୪୦ ବର୍ଷ ପରେ ୧୯୭୬ରେ ଓଡ଼ିଆ ଚଳଚ୍ଚିତ୍ରକୁ ସରକାର ଶିଳ୍ପର ମାନ୍ୟତା ଦେଲେ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ବି ଗଢ଼ା ହେଲା। ଏହା ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ୮୬ ବର୍ଷ ଓ ଶିଳ୍ପର ମାନ୍ୟତା ପାଇବାକୁ ୪୬ ବର୍ଷ ହେଲାଣି। ଓଡ଼ିଶା ଅପେକ୍ଷା ଅନ୍ୟ ରାଜ୍ୟଗୁଡ଼ିକରେ ବହୁ ପଛରେ ଚଳଚ୍ଚିତ୍ର ଶିଳ୍ପ ଗଢ଼ି ଉଠିଥିଲେ ହେଁ ଏବେ ସେମାନେ ଦେଶ ବିଦେଶରେ ରାଜ୍ କରୁଛନ୍ତି। ବଲିଉଡ୍କୁ ଚ୍ୟାଲେଞ୍ଜ ଦେଇ ପୂରା ଭାରତରୁ କୋଟି କୋଟି ଟଙ୍କା ଆଦାୟ କରିବାରେ ସକ୍ଷମ ହୋଇପାରୁଛନ୍ତି। ହେଲେ ଓଡ଼ିଆ ଚଳଚ୍ଚିତ୍ର ମାଟି କାମୁଡ଼ି ପଡ଼ିଛି। ସରକାରୀ ଉଦାସୀନ, ମୌଳିକ କାହାଣୀର ଅଭାବ ଓ ପ୍ରେକ୍ଷାଳୟଗୁଡ଼ିକର ଦୁର୍ଦ୍ଦଶା ଭଳି ବିଭିନ୍ନ କାରଣ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବୁଡ଼ିବାକୁ ବସିଛି।
ସରକାର ଚଳଚ୍ଚିତ୍ର ନିଗମ ଗଢ଼ିଥିଲେ ହେଁ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ସରକାରୀ ପ୍ରୋତ୍ସାହନ, ଅନ୍ୟ ବିଭାଗ ଅପେକ୍ଷା ଗୌଣ। ଦକ୍ଷିଣ ଭାରତର ଗୋଟିଏ ଚଳଚ୍ଚିତ୍ର ନିର୍ମାଣର ବଜେଟ୍ ଓଡ଼ିଶା ସରକାରଙ୍କ ଏହି ବିଭାଗର ବାର୍ଷିକ ବଜେଟ୍ଠାରୁ ଢ଼େର୍ ଅଧିକ ଥିବା ଦେଖିବାକୁ ମିଳୁଛି। ଦକ୍ଷିଣୀ ଚଳଚ୍ଚିତ୍ରର ଗୋଟିଏ ଆଇଟମ୍ ଗୀତରେ ଯେତିକି ଖର୍ଚ୍ଚ ହେଉଛି, ଓଡ଼ିଶାରେ ମୁକ୍ତିଲାଭ କରୁଥିବା ବର୍ଷକର ସିନେମାର ବଜେଟ୍ ସହ ସମାନ। ଗୋଟିଏ ଦକ୍ଷିଣୀ ଚଳଚ୍ଚିତ୍ର ଓଡ଼ିଶାରୁ ଶହେ କୋଟି ଟଙ୍କା ନେଇ ଯାଉଛି। ଅଥଚ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ବଜେଟ୍ କୋଟିଏ ଛୁଇଁବା ‘ଆକାଶ କଇଁଆ ଚିଲିକା ମାଛ’ ସଦୃଶ। ଆର୍ଥିକ ସଂକଟ ଯୋଗୁଁ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ, କଳାକାର ସବୁ କ୍ଷେତ୍ରରେ ସାଲିସ୍ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ରାଜ୍ୟର ଚଳଚ୍ଚିତ୍ର ଶିଳ୍ପ ପରି ନୂତନ ଜ୍ଞାନକୌଶଳ ବ୍ୟବହାର ହେଉନାହିଁ। ଭଲ କ୍ୟାମେରାଠାରୁ ଆରମ୍ଭ କରି ଏଡିଟିଂ, ସୁଟିଂ, ଲୋକେସନ୍, ଷ୍ଟାର୍ କାଷ୍ଟ ସବୁଥିରେ ସାଲିସ୍ କରିବାକୁ ପଡ଼ୁଛି।
ଓଡ଼ିଆ ସିନେମା ଚାଲିବାକୁ ପ୍ରେକ୍ଷାଳୟ ମଧ୍ୟ ନାହିଁ। ୨୦୦୦ ମସିହା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ୧୨୦ରୁ ଅଧିକ ସିନେମା ହଲ୍ ଥିଲା। ୨୦୧୫ ବେଳକୁ ଏ ସଂଖ୍ୟା ୮୫କୁ ଖସି ଆସିଥିଲା। ଆଉ ଏବେ ୬୦ରୁ କମ୍ ସିନେମା ହଲ୍ ଥିବା ସୂଚନା ମିଳିଛି। ବନ୍ଦ ହୋଇଯାଇଥିବା ସିନେମା ହଲ୍ଗୁଡ଼ିକ କେଉଁଠି ମଣ୍ଡପର ରୂପ ନେଇସାରିଲାଣି ତ କେଉଁଠି ଗୋଦାମ ଘର ଚାଲିଛି। ଆଉ କେଉଁଠି ସିନେମା ହଲ୍କୁ ଭାଙ୍ଗି ମାର୍କେଟ୍ କମ୍ପ୍ଲେକ୍ସ କରାଯାଇଛି। ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ବର୍ଷ ବର୍ଷ ଧରି ମନୋରଂଜନ ଖୋରାକ୍ ଯୋଗାଉଥିବା ହଲ୍ ବି ବନ୍ଦ।
ଭୁବନେଶ୍ବରରେ କଳ୍ପନା ଓ ରବି ଟକିଜ୍ କେବେଠାରୁ ବନ୍ଦ ହୋଇଗଲାଣି। କଟକରେ ନିଶାମଣୀ, ହିନ୍ଦ୍ ସିନେମା, ବୃନ୍ଦାବନ ଟକିଜ୍, ଜୟଶ୍ରୀ, ଲକ୍ଷ୍ମୀ, ଗ୍ରାଣ୍ଡ ଭଳି ପୁରୁଣା ସିନେମା ହଲ୍ ବନ୍ଦ ହୋଇଯାଇଛି। ରାଉରକେଲାରେ ମୀରା, ଦୀପକ, କୋଣାର୍କ, ଉମା, ରଜା ଟକିଜ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସମ୍ବଲପୁରରେ ଗେଟି ଟକିଜ୍, ଆଶୋକା ଓ ଲକ୍ଷ୍ମୀ ଟକିଜ୍ ବନ୍ଦ ହୋଇଯାଇଛି। ବାଲେଶ୍ବରରେ ବାଲେଶ୍ବର ଟକିଜ୍, ଓଡ଼ିଆଣୀ ଟକିଜ୍, ନୀଳଗିରି ଓ ଜଳେଶ୍ବରରେ ଥିବା ସିନେମା ହଲ୍ କେବେଠାରୁ ବନ୍ଦ ହୋଇଛି। ଜଟଣୀରେ ଜୟଦୁର୍ଗା ଓ ଚିତ୍ରାଳୟ ବହୁ ଦିନ ହେଲା ବନ୍ଦ। ଏହା ବ୍ୟତୀତ ପ୍ରତି ଜିଲ୍ଲାରେ ୭୦ ପ୍ରତିଶତରୁ ଅଧିକ ସିନେମା ହଲ୍ ବନ୍ଦ ପଡ଼ିଛି। ଯେଉଁସବୁ ସିନେମା ହଲ୍ ଚାଲିଛି, ତା’ର ସ୍ଥିତି ଅତ୍ୟନ୍ତ ଖରାପ। ପ୍ରେକ୍ଷାଳୟ ବର୍ଷକୁ ବର୍ଷ ବନ୍ଦ ହୋଇଯାଉଥିଲେ ମଧ୍ୟ ‘ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ’ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ସରକାର କଳିଙ୍ଗ ଷ୍ଟୁଡିଓ ମୁଖ୍ୟ ଦ୍ବାରକୁ ଚକାଚକ୍ କରି ଦେଇ ବସି ଯାଇଛନ୍ତି। ହେଲେ ଏହା ଚଳଚିତ୍ର ନିର୍ମାତାଙ୍କ କାମରେ ଆସି ପାରୁନାହିଁ। ସରକାରଙ୍କ ପକ୍ଷରୁ ଷ୍ଟେଟ୍ ଲେଭଲ୍ ବ୍ୟାଙ୍କର୍ସ କମିଟି(ଏସ୍ଏଲ୍ବିସି) ବୈଠକ ବସୁଛି। ଏଥିରେ ଅର୍ଥମନ୍ତ୍ରୀ, ସଚିବମାନେ ଉପସ୍ଥିତ ରହୁଛନ୍ତି। ହେଲେ ସିନେମା ନିର୍ମାଣ କରିବା ପାଇଁ ପ୍ରଯୋଜକମାନଙ୍କୁ ଋଣ ଯୋଗାଇ ଦେବାକୁ ଆଲୋଚନା କିମ୍ବା ନିର୍ଦ୍ଦେଶ ଦିଆଯାଉନାହିଁ। ଚଳଚ୍ଚିତ୍ର ନିର୍ମାତାଙ୍କୁ ରିହାତିରେ ଋଣ, ଆବଶ୍ୟକ ଉପକରଣ, ନୂତନ ଜ୍ଞାନ କୌଶଳରେ ନିର୍ମିତ ଷ୍ଟୁଡ଼ିଓ ଭଳି ସୁବିଧା ଯୋଗାଇ ଦିଆଯାଉନାହିଁ। ତେବେ ଏଠି ଶିଳ୍ପ ବଞ୍ଚିବ କେମିତି?
ଗୁରୁତ୍ବର କଥା ହେଲା, ପୁରୁଣା ସିନେମା ହଲ୍ ଓ ବର୍ତ୍ତମାନ ସହରରେ ଖୋଲୁଥିବା ମଲ୍ଟିପ୍ଲେକ୍ସ ସିନେମା ହଲ୍ଗୁଡ଼ିକରେ କଦବା କ୍ବଚିତ୍ ଓଡ଼ିଆ ସିନେମା ଚାଲୁଥିବା ଦେଖିବାକୁ ମିଳୁଛି। ଭୁବନେଶ୍ବର ଓ କେତୋଟି ହାତଗଣତି ସହରକୁ ଛାଡ଼ି ଦେଲେ ଓଡ଼ିଶାର ଗ୍ରାମାଞ୍ଚଳର ଦର୍ଶକ ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ନାହିଁ।
ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଚଳଚ୍ଚିତ୍ର ସୁଟିଂ ପାଇଁ ଏଠାରେ ଅନେକ ଲୋଭନୀୟ ସ୍ଥାନ ରହିଛି। ହେଲେ ଏହାକୁ ଉନ୍ନତୀକରଣ କରାଯାଇନାହିଁ। ଏହା ଯେମିତି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଭାଷଣବାଜିରେ ଅଟକି ଯାଇଛି। ସବୁ ପରେ ମଧ୍ୟ ଓଡ଼ିଶାବାସୀ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ମୁହଁ ମୋଡୁଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ର ଅଧିକ ବଜେଟ୍ରେ ନିର୍ମାଣ ହେଉଛି। ଦେଶ ବିଦେଶରେ ସୁଟିଂ କରାଯାଉଛି। ଉଚ୍ଚ କ୍ଷମତାସଂପନ୍ନ କ୍ୟାମେରା ଲଗାଯାଉଛି। ଉନ୍ନତମାନର ଏଡିଟିଂ, ଗୀତ, କାହାଣୀ, ଫାଇଟ୍ ବସୁଥଇରେ ନିଆରାପଣ ରହିଛି, ଯାହାକୁ ଦର୍ଶକ ଗ୍ରହଣ କରୁଛନ୍ତି।
ଏନେଇ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି ଯେ ଓଡ଼ିଆ ଜନଜୀବନକୁ ପ୍ରଭାବିତ କରୁଥିବା କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉ। ଏଥିସହ ନୂତନ ଜ୍ଞାନ କୌଶଳ ବ୍ୟବହାର, ସରକାରଙ୍କ ପ୍ରୋତ୍ସାହନରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି, ଚଳଚ୍ଚିତ୍ର ନିର୍ମାତାଙ୍କୁ ସହଜ ଓ ରିହାତି ଋଣ ପ୍ରଦାନ କରାଯାଉ। ସିନେ ସମୀକ୍ଷକ ଦିଲ୍ଲୀପ ହାଲି କୁହନ୍ତି, ଏବେ ଅଧିକାଂଶ ନିର୍ଦ୍ଦେଶକ କପି-ପେଷ୍ଟ ସିନେମା ନିର୍ମାଣ କରୁଛନ୍ତି। ଯାହାକୁ ଓଡ଼ିଆ ଦର୍ଶକ ମୁହଁ ମୋଡ଼ୁଛନ୍ତି। ପୂର୍ବରୁ ଦୁର୍ଗାପୂଜା, ରଜ, ନୂଆ ବର୍ଷ ଭଳି ଦିନକୁ ଲକ୍ଷ୍ୟ କରି ଭଲ ଓଡ଼ିଆ ସିନେମା କରାଯାଉଥିଲା। ପୂର୍ବରୁ ହଲ୍ ମାଲିକମାନେ ପ୍ରଯୋଜନା ସଂସ୍ଥାକୁ ଟଙ୍କା ଦେଇ ଆଗୁଆ ବୁକ୍ କରୁଥିଲେ। ଏବେ ସବୁ ଓଲଟା। ପ୍ରଯୋଜନା ସଂସ୍ଥା ହଲ୍ ମାଲିକଙ୍କୁ ସପ୍ତାହକର ଟଙ୍କା ଆଗୁଆ ଦେଉଛନ୍ତି। ଚଳଚ୍ଚିତ୍ର ଉନ୍ନୟନ ନିଗମ ବି ନିରବ। ଅପରିପକ୍ବତା ହିଁ ଓଡ଼ିଆ ସିନେମା ବିପର୍ଯ୍ୟୟର କାରଣ ବୋଲି ଶ୍ରୀ ହାଲି କହିଛନ୍ତି।
ସେହିପରି ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ କହିଛନ୍ତି ଯେ ଓଡ଼ିଆରେ ଭଲ କାହାଣୀ ରହିଛି, ଭଲ ଭଲ ନିର୍ଦ୍ଦେଶକ ବି ଅଛନ୍ତି। କିନ୍ତୁ ସେମାନଙ୍କୁ ସୁଯୋଗ ମିଳୁ ନାହିଁ। ମୌଳିକ ଗଳ୍ପ, କାହାଣୀ, ଉପନ୍ୟାସକୁ ନେଇ ସିନେମା କରାଯାଉ। ସିନେମାକୁ ନେଇ ଅଧିକ ରିସର୍ଚ୍ଚ କରାଯାଉ। ଭଲ ସିନେମା ହେଲେ, ଲୋକମାନେ ନିଶ୍ଚୟ ଦେଖିବେ। ଓଡ଼ିଆ ସିନେମାର ବର୍ଷକର ବଜେଟ୍ ଓଡ଼ିଶାର ଗୋଟେ ମ୍ୟୁନିସିପାଲିଟିର ମାସକ ବଜେଟ୍ ସଙ୍ଗେ ସମାନ। ସରକାର ଭଲ ସିନେମା କରିବାକୁ ପ୍ରୋତ୍ସାହନ ଦିଅନ୍ତୁ। ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଟର୍ମ ଲୋନ୍ ଦିଆଯାଉ। ସମସ୍ତ ବ୍ଲକ୍ରେ ମିନି ସିନେମା ହଲ୍ କରାଯାଉ ବୋଲି କହିଛନ୍ତି।