ଚିକିଟି : ଆସାମରେ ସୋମବାର ଏକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଓଡ଼ିଆ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ଚିକିଟିପେଣ୍ଠର କୃଷ୍ଣଚନ୍ଦ୍ର ପଣ୍ଡା (୪୮)। ସେ ଭାରତୀୟ ସେନାରେ ଆସାମରେ ପାରାଚୁଟର ବିହାର-୧୪ ରେଜିମେଣ୍ଟ୍‌ରେ କାର୍ଯ୍ୟରତ ଥିଲେ। ଆଜି ସକାଳ ୯ଟାରେ ଆସାମର ଏକ ସମ୍ବେଦନଶୀଳ ଫାୟାର୍ ଇଲାକାକୁ ସେନାବାହିନୀ ଗାଡ଼ି ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏଥିରେ କୃଷ୍ଣଚନ୍ଦ୍ରଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ। ତେବ‌େ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା। ଆସାମ ସେନା କାର୍ଯ୍ୟାଳୟ ପକ୍ଷରୁ କୃଷ୍ଣଙ୍କ ମୃତ୍ୟୁ ଖବର ତାଙ୍କ ଜନ୍ମଭୂମିକୁ ଦିଆଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Advertisment
ସେନାବାହିନୀର ଏକ ସ୍ବତନ୍ତ୍ର ବିମାନରେ କୃଷ୍ଣଚନ୍ଦ୍ରଙ୍କ ମରଶରୀରକୁ ଭୁବନେଶ୍ବର ଅଣାଯାଉଛି। ସେଠାରୁ ଗାଡ଼ି ଯୋଗେ ମରଶରୀରର ତାଙ୍କ ଜନ୍ମଭୂମି ଚିକିଟିପେଣ୍ଠରେ ପହଞ୍ଚିବ ବୋଲି ଜଣାପଡ଼ିଛି।
ଚିକିଟିପେଣ୍ଠର ହନୁମାନ ପଣ୍ଡାଙ୍କ ୪ ପୁଅ ମଧ୍ୟରୁ ବଡ଼ ହେଉଛନ୍ତି କୃଷ୍ଣଚନ୍ଦ୍ର। କୃଷ୍ଣଚନ୍ଦ୍ରଙ୍କ ଝିଅ ଶ୍ବେତାଞ୍ଜଳି ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଲେ ଆଦିତ୍ୟ ପିତାତଳି ଆଦର୍ଶ ବିଦ୍ୟାଳୟର ମାଟ୍ରିକ୍ ଛାତ୍ର। କୃଷ୍ଣଚନ୍ଦ୍ର ୧୯୯୧ରେ ସେନାବାହିନୀରେ ତାଲିମ ପାଇବା ପରେ ୧୯୯୨ରେ ସିକନ୍ଦରାବାଦରୁ ଚାକିରି ଜୀବନ ଆରମ୍ଭ କରିଥିଲେ।  ୧୯୯୯ ରେ ଅପରେସନ୍ ‘କାର୍‌ଗିଲ୍’ ଓ ଅପରେସନ ‘ରକ୍ଷକ’ ଭଳି ଯୁଦ୍ଧରେ ସାହସିକତା ପ୍ରଦର୍ଶନ କରିଥିଲେ। ୩୧ ଆରଆର କମାଣ୍ଡୋରେ କାର୍ଯ୍ୟ କରିବା ପରେ ୨୦୧୪ରେ କଙ୍ଗୋମୋନୁଷ୍କ୍ ମିସନରେ ଭାଗ ନେଇଥିଲେ। ସିଆର ରାଷ୍ଟ୍ରୀୟ ରାଇଫଲ୍ ଭଳି କମାଣ୍ଡୋବାହିନୀରେ ସେ କୃତିତ୍ବର ସହ କାର୍ଯ୍ୟ କରି ଦେଶ ମାତୃକାର ସେବା କରିଛନ୍ତି। କୃଷ୍ଣଚନ୍ଦ୍ରଙ୍କ ପାଇଁ ଚିକିଟି ମାଟି ଧନ୍ୟ ବୋଲି ଅଞ୍ଚଳବାସୀ କହିଛନ୍ତି।