ଶାସ୍ତ୍ରୀୟ ମାନ୍ୟତାର ଉତ୍ସାହରେ ଭଟ୍ଟା: ଆଠ ବର୍ଷରେ ଓଡ଼ିଆ ଭାଷା ପାଇଲା କ’ଣ?

ଗବେଷଣା ପାଇଁ ଏଯାଏ ଭିତ୍ତିଭୂମି କଲେନି
ସରକାରରେ ଓଡ଼ିଆ ଭାଷା ଅଧିକ ଅବହେଳିତ
ଉତ୍କର୍ଷ କେନ୍ଦ୍ର, ଭାଷା ଚେୟାର ଅଧପନ୍ତରା

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ୨୦୧୪ ମାର୍ଚ୍ଚ ୧୧। ଏହି ଦିନ ‘ଓଡ଼ିଆ ଭାଷା’ ବିଧିବଦ୍ଧ ଭାବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା। ସରକାର ଉତ୍ସବ ପାଳିଲେ। ରାଜ୍ୟବାସୀ ଖୁସି ହେଲେ। ଜାତୀୟ ଦରବାରରେ ଓଡ଼ିଆ ଭାଷାର ଗୁରୁତ୍ବ ବଢ଼ିଲା। ଶାସ୍ତ୍ରୀୟ ମାନ୍ୟତା ପରେ ଓଡ଼ିଆ ଭାଷାର କିଛି ବଡ଼ ଧରଣର ବିକାଶ ହେବ ବୋଲି ସମସ୍ତେ ଭାବିନେଲେ।

ଏହା ମଧ୍ୟରେ ବିତିଯାଇଛି ୮ ବର୍ଷ। ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଓଡ଼ିଆ ଭାଷାର କି ବିକାଶ ହେଲା? ଭାଷା ଉପରେ ଗବେଷଣା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ ଅଛି ତ? ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେଉଛି କି? ଅତୀତକୁ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଆମ ଭାଷାର ବର୍ତ୍ତମାନ ସ୍ଥିତି କ’ଣ? ଭାଷାର ଭବିଷ୍ୟତକୁ ମଜଭୁତ୍ କରିବା ପାଇଁ ଆମେ ଏବେ ପଦକ୍ଷେପ ନେଉଛୁ ତ ? ଏହି ପ୍ରଶ୍ନ ଏବେ ସାଧାରଣ ଓଡ଼ିଆଟିର ମନକୁ ଆନ୍ଦୋଳିତ କରୁଛି। ଏହି ୮ବର୍ଷ ଭିତରେ ସରକାର ଓ ପ୍ରଶାସନିକ ବ୍ୟବସ୍ଥାର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ସଚେତନ ଓଡ଼ିଆଙ୍କୁ ନିରାଶ ହେବାକୁ ପଡ଼ୁଛି।

ଯାହା ସାଧାରଣ ଲୋକ ସିଧାସଳଖ ଅନୁଭବ କରୁଛନ୍ତି ତାହା ହେଲା ଗତ ୮ ବର୍ଷ ଭିତରେ ଓଡ଼ିଆ ଭାଷା ସର୍ବାଧିକ ଅବହେଳାର ଶୀକାର ହୋଇଛି। ମଝିରେ ମଝିରେ ଭାଷାକୁ ନେଇ ମନ୍ତ୍ରୀ ଓ ଅଧିକାରୀ କିଛି ମନଲୋଭା କଥା କହୁଛନ୍ତି। ଐତିହ୍ୟ କ୍ୟାବିନେଟ୍ ଓ ସରକାରୀ ନିଷ୍ପତ୍ତି ନାଁରେ ଲୋକଙ୍କୁ ନିରୋଳା ଗପ ଶୁଣାଯାଉଛି। କ୍ଷମତାରେ ଥିବା ବ୍ୟକ୍ତିମାନଙ୍କର ଓଡ଼ିଆ ଭାଷା ପ୍ରତି ସର୍ବନିମ୍ନ ଆଦର ନାହିଁ। ଓଡ଼ିଆ ଭାଷାକୁ ରୋଜଗାରର ଭାଷା କରିବା ପାଇଁ କି ପଦକ୍ଷେପ ନିଆଯାଉଛି, ତାହା ଜଣାପଡ଼ୁନି।

ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବାର ବ୍ୟବସ୍ଥା ରହିଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଉତ୍କର୍ଷ କେନ୍ଦ୍ରଟିଏ ପ୍ରତିଷ୍ଠା କରିବାକୁ ୬ ବର୍ଷ ଲାଗିଗଲା। କେତେବେଳେ କେନ୍ଦ୍ରରେ ପ୍ରକ୍ରିୟା ଧିମେଇ ଗଲା ତ କେତେବେଳେ ରାଜ୍ୟ ସରକାର ଅବହେଳା କଲେ। ଶେଷରେ ୨୦୨୦ ଜୁନ୍‌ରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୁରୁଣା କୋଠାରେ କେନ୍ଦ୍ରର କାର୍ଯ୍ୟାଳୟ ଖୋଲିଲା। ତାହା ବି ଅଧପନ୍ତରିଆ ଭାବେ। କେନ୍ଦ୍ର ଖୋଲିବାର ଦେଢ଼ ବର୍ଷ ଧରି ଏଠାରେ କର୍ମଚାରୀ ନିଯୁକ୍ତି ହେଲେ ନାହିଁ। କେନ୍ଦ୍ର ନିର୍ଦ୍ଦେଶକଙ୍କ ବାଦ୍ ୧୦ ଜଣ ସ୍କଲାର୍ ଓ ୫ ଜଣ ଅଫିସ୍ କର୍ମଚାରୀ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲା। ଗତ ନଭେମ୍ବର ମାସରେ ହିଁ ୫ ଜଣ ସ୍କଲାର୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ମାତ୍ର ୨ ଜଣ ଅଫିସ୍ କର୍ମଚାରୀ ଅଛନ୍ତି। କର୍ମଚାରୀ ଅଭାବରୁ କେନ୍ଦ୍ର ପୂଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। କେନ୍ଦ୍ର ସରକାର ତ ଅବହେଳା କଲେ। ରାଜ୍ୟ ସରକାର ବି ହାତବାନ୍ଧି ବସିପଡ଼ିଲେ।

ଓଡ଼ିଆ ଭାଷାକୁ ଅବହେଳା କରିବାରେ ରାଜ୍ୟ ସରକାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା ହେବ ବୋଲି ସରକାର ଘୋଷଣା କଲେ। ଏହା ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସହାୟକ ହେବ। ଏହା ମଧ୍ୟରେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା ହୋଇଛି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଭାଷା ଚେୟାର ପ୍ରତିଷ୍ଠା ହୋଇଥିଲେ ବି ସେଠାରେ ଆବଶ୍ୟକ ପ୍ରକ୍ରିୟା ଏ ଯାଏ ସରିନାହିଁ। ଗୁଜୁରାଟ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭାଷା ଚେୟାର ହେବ ବୋଲି ବହୁ ଦିନ ହେଲା ସରକାର କହୁଥିଲେ ବି ତାହା ଏ ଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସମ୍ଭବତଃ ସଂସ୍କୃତି ବିଭାଗ ଏହି ଘୋଷଣା କଥା ଭୁଲିଗଲାଣି।

ଓଡ଼ିଆ ବିଶ୍ବବିଦ୍ୟାଳୟର ସ୍ଥିତି ଆହୁରି ଚିନ୍ତାଜନକ। ୨୦୧୮ ଜୁଲାଇ ମାସରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବି ଦାୟିତ୍ବରେ ଥିବା ଅଧିକାରୀମାନେ ଅତ୍ୟନ୍ତ ବେପରୱା ଆଚରଣ ପ୍ରଦର୍ଶନ କଲେ। ପାଖାପାଖି ୪ ବର୍ଷ ହୋଇଯାଇଥିଲେ ବି ବିଶ୍ବବିଦ୍ୟାଳୟ କାର୍ଯ୍ୟରେ ଆଖିଦୃଶିଆ ଅଗ୍ରଗତି ହୋଇପାରି ନାହିଁ। ଏହି ବିଶ୍ବବିଦ୍ୟାଳୟ କେବେ କାର୍ଯ୍ୟକ୍ଷମ ହେବ, ତାହାର ଠୋସ୍ ଉତ୍ତର କାହା ପାଖରେ ନାହିଁ।

ଓଡ଼ିଆ ଭାଷାର ଗବେଷଣା ପାଇଁ ତ ଭିତ୍ତିଭୂମି ପ୍ରସ୍ତୁତ ହେଉନି। ତାହା ସହ ଭାଷାର ବ୍ୟବହାରକୁ ମଧ୍ୟ ସଙ୍କୁଚିତ କରିବା ପାଇଁ ପ୍ରଶାସନିକ ସ୍ତରରେ ବେଶ୍ କସରତ୍ ଚାଲିଛି। ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ପାଇଁ ବିଭିନ୍ନ ସମୟରେ ସରକାର ବଡ଼ ବଡ଼ କଥା କହୁଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁ ନାହିଁ। ଦିନକୁ ଦିନ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କମିବାରେ ଲାଗିଛି। ଭାଷାର ବ୍ୟବହାର ପାଇଁ କୌଣସି କଡ଼ା ପଦକ୍ଷେପ ନିଆଯାଉ ନାହିଁ। ଭାଷା କମିସନ୍ ଗଠନ କଥା ତ ସରକାର ଭୁଲିଗଲେଣି। ମଝିରେ ମଝିରେ ସଚେତନ ନାଗରିକମାନେ ଏହି ପ୍ରସଙ୍ଗ ଉଠାଉଥିଲେ ବି ସରକାର ଶୁଣି ନ ଶୁଣିଲା ପରି ରହିଯାଉଛନ୍ତି।

ଜଣେ ଅବସରପ୍ରାପ୍ତ ମୁଖ୍ୟ ସଚିବ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ ଯେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଆଦର ନାହିଁ। ପ୍ରଶାସନର ସର୍ବୋଚ୍ଚ ପଦବିରେ ଥିବା ଜଣେ ବ୍ୟକ୍ତିଙ୍କର ଏହି ସ୍ବୀକାରୋକ୍ତି ହିଁ ଓଡ଼ିଆ ଭାଷାକୁ ସରକାରୀ ଅବହେଳାର ଗମ୍ଭୀରତାକୁ ସୂଚାଉଛି।
ଓଡ଼ିଆ ଭାଷାର ଅତୀତ ଏତେ ସମୃଦ୍ଧ ଥିଲା ଯେ ତାହା ଉପରେ ଗବେଷଣା କରି ବିଦ୍ବାନମାନେ ଶାସ୍ତ୍ରୀୟ ମାନ୍ୟତା ପାଇଁ ସବୁ ପ୍ରକାର ବଳିଷ୍ଠ ଯୁକ୍ତି ପ୍ରସ୍ତୁତ କଲେ। କିନ୍ତୁ ଭାଷାକୁ ଆଗକୁ ନେବା ପାଇଁ ସରକାରୀ ନିଷ୍କ୍ରିୟତା ସଚେତନ ଓଡ଼ିଆମାନଙ୍କୁ ଚିନ୍ତିତ କରିଛି।

ସମ୍ବନ୍ଧିତ ଖବର