ଭୁବନେଶ୍ବର: ପ୍ରତି ବର୍ଷ ମାତୃଭାଷା ଦିବସ ସହ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବ। ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ/ସମ୍ବର୍ଦ୍ଧିତ କରାଯିବ। ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ପୁସ୍ତକ ଯୋଗାଇ ଦିଆଯିବ। ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ। ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ଯାଏ ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସରକାର ଏମିତି ବହୁ ପଦକ୍ଷେପ ହାତକୁ ନେଇଛନ୍ତି। ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଲୋକସେବା ଭବନର ତୃତୀୟ ମହଲା‌ ସମ୍ମିଳନୀ କକ୍ଷରେ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହିସବୁ ସୂଚନା ଦିଆଯାଇଛି। ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Advertisment

ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ କରାଯାଉଥିବା ‘ଅକ୍ଷର ଭୂମି’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରିବେ। ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ/ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକୁ ନେଇ ୧୬ଟି ସମ୍ପାନ ଆୟୋଜନ କରାଯିବ। ଏହା ବାଦ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସମ୍ପାନର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋକାର୍ପିତ ଲୋଗୋକୁ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପ୍ରମୁଖ ସ୍ଥାନ/ କାନ୍ଥରେ ଚିତ୍ରଣ କରାଯିବ। ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ। ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ୟବହାର କରାଯିବ।

ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ ଲାଇଭ୍‌ ୱେବ୍‌କାଷ୍ଟ୍‌ ଦ୍ୱାରା ଯୋଡ଼ାଯିବ। ଏଥିସହିତ ସେମାନଙ୍କର ମତାମତକୁ ଗଣମାଧ୍ୟମରେ ପ୍ରକାଶ କରାଯିବା ସହିତ ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ। ଏହି ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ତଥ୍ୟପୁସ୍ତିକା ମାଧ୍ୟମରେ ପ୍ରକାଶ କରାଯିବ। ଏହି ଅବସରରେ ସମ୍ମିଳନୀ ସ୍ଥଳ ଓ ଭୁବନେଶ୍ୱର ସହରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।