ଜିଲ୍ଲାର ସବୁ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

ମେ’ ୩୧ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାଉରକେଲା: ସରକାରୀ/ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦେବାକୁ ରାଜ୍ୟ ସରକାର ପୁନର୍ବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଣୁ ଏଣିକି ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଆଦିର ନାମ ଫଳକ ଓଡ଼ିଆରେ ଲେଖାଯିବ। ଏମିତିକି ସଂପୃକ୍ତ ଅନୁଷ୍ଠାନ ଦ୍ବାରା ଜାରି ବିଜ୍ଞାପନ ମଧ୍ୟ ଓଡ଼ିଆରେ ଲେଖାଯିବ। ଏନେଇ ଗତ ୨୬ ତାରିଖରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ନିର୍ଦ୍ଦେଶାନାମାର କଡ଼ା ପାଳନ ପାଇଁ ଜିଲ୍ଲାପାଳ ନିଖୀଳ ପୱନ କଲ୍ୟାଣ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୦ ତାରିଖରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଜିଲ୍ଲାର ବିଭିନ୍ନ ପୌରପାଳିକା, ଯଥା-ରାଉରକେଲା ମହାନଗର ନିଗମ, ସୁନ୍ଦରଗଡ଼ ପୌରପାଳିକା, ରାଜଗାଙ୍ଗପୁର ପୌରପାଳିକା, ବୀରମିତ୍ରପୁର ପୌରପାଳିକା ସମେତ ଜିଲ୍ଲାର ୧୭ଟି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ଦୋକାନ ସଂଘ, ବାଣିଜ୍ୟିକ ଅନୁଷ୍ଠାନକୁ ପତ୍ର ଲେଖିଛନ୍ତି। ନିର୍ଦ୍ଦେଶାନାମାରେ ସ୍ପଷ୍ଟ ଉଲ୍ଲେଖ ହୋଇଛି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଯଥାଶୀଘ୍ର ଏହି ନିୟମର କଡ଼ା ପାଳନ ହେଉ। ଏତଦ୍‌ବ୍ୟତିତ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ। ନିଜ ନିଜ ଅଞ୍ଚଳର ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ, ସାମାଜିକ, ସାଂସ୍କୃତିକ ସଂଗଠନକୁ ଏଥିରେ ସାମିଲ କରାଯାଉ। ଚଳିତ ମାସ ଶେଷ ସୁଦ୍ଧା ଏହାକୁ ଲାଗୁ କରାଯିବା ନିତାନ୍ତ ଆବଶ୍ୟକବୋଲି ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ରାଜ୍ୟ ସରକାର ସମାନ ନିର୍ଦ୍ଦେଶାନାମା ଜାରି କରିଥିଲେ। ସେତେବେଳେ ମଧ୍ୟ ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଥିଲେ। ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ଏହା କେବଳ ଏକ ନିର୍ଦ୍ଦେଶାନାମାରେ ସୀମିତ ରହିଥିଲା। ସମାନ ଚିତ୍ର ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ସହରରେ ଥିବା ଏକାଧିକ ଦୋକାନ, ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଆଜିଯାଏଁ ନିୟମର ପାଳନ ସମ୍ଭବ ହୋଇପାରିନି। କେବଳ ଇଂରାଜୀ ଓ ହିନ୍ଦୀ ଭାଷାକୁ ପ୍ରାଥମିକତା ଦିଆଯାଉଥିବାବେଳେ ଓଡ଼ିଆ ପ୍ରତି ଅବହେଳା କରାଯାଉଛି।

ବିଗତ ଦିନରେ ଏହାକୁ ଏକାଧିକ ସାହିତ୍ୟାନୁଷ୍ଠାନ ପ୍ରତିବାଦ କରିବାସହ ନିୟମର କଡ଼ା ପାଳନ ପାଇଁ ସଚେତନ କରିଥିଲେ; କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିନଥିଲା। ତେବେ ଏଥର ଏହି ନିୟମର କଡ଼ାପାଳନ ହେବ ନା ନାହିଁ ତାହା ସମୟ କହିବ; ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ହେଲେ ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନ କ୍ଷୀଣବୋଲି କିଛି ଭାଷାବିତ୍‌ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର