ପରୀକ୍ଷା ଖାତା ମୂଲ୍ୟାୟନ ତାରତମ୍ୟର ଗୁରୁତର ପ୍ରଭାବ : ୮୧% ନମ୍ବର ଥିଲେ ବି ଓଡ଼ିଆ, ସଂସ୍କୃତ ଅନର୍ସରେ ସିଟ୍ ନାହିଁ

କଟକ, (କୃଷ୍ଣପ୍ରସାଦ ଦାସ) : ୮୧ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ କି ସଂସ୍କୃତ ଅନର୍ସ ନେଇ ପଢିବାକୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସିଟ୍ ନାହିଁ। ୯୧ ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କ ପାଇଁ ଯୁକ୍ତ ତିନି ବିଜ୍ଞାନ‌ର କୌଣସି ବି ବିଷୟରେ ଅନର୍ସ ରଖି ପଢିବାର ସୁଯୋଗ ନାହିଁ। କରୋନା କାଳରେ ଚଳିତବର୍ଷ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ) ଅଧୀନରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ରଛାତ୍ରୀ। ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଅନର୍ସ ବିଷୟ ପାଇଁ ପ୍ରଥମ କଟଅଫ୍ ନମ୍ବର ପ୍ରକାଶ ପାଇଥିବାବେଳେ ଏବେ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ ଆଉ ସେମାନଙ୍କର ଅଭିଭାବକ। ୭୦/୮୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଭଲ କଲେଜରେ ନାମ ଲେଖାଇବା କ୍ଷେତ୍ରରେ ଏଭଳି ସମସ୍ୟାର ସାମନା କରିବେ, ତାହା ସେମାନଙ୍କ ପାଇଁ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ କଳ୍ପନାର ବାହାରେ। ପରବର୍ତ୍ତୀ ସିଲେକ୍ସନରେ ଯଦିଓ କଟ୍-ଅଫ୍ ନମ୍ବର ପ୍ରତିଶତ କିଛିଟା ହ୍ରାସ ପାଇପାରେ, କିନ୍ତୁ ସେଥିରେ କେତେ ଛାତ୍ରଛାତ୍ରୀ ଉପକୃତ ହେବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ପରିସ୍ଥିତିରେ ରାଜ୍ୟର ସିଏଚ୍‌ଏସ୍‌ଇ ବୋର୍ଡ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଯେଭଳି ମୂଲ୍ୟାୟନ କରିଛି, ସେଥିରେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି।

‌ରେଭେନ୍ସା ଯୁକ୍ତ ତିନି ନାମଲେଖା ପାଇଁ ଯେଉଁ ପ୍ରଥମ କଟଅଫ୍ ନମ୍ବର ପ୍ରକାଶ ପାଇଛି, ସେଥିରେ ବିଏସ୍‌ସି ଅନର୍ସ ବଟାନିରେ ୯୨.୫ ପ୍ରତିଶତ ନମ୍ବର ରହିଥିବା ବେଳେ ଜୁଲୋଜିରେ ୯୪.୨, ଫିଜିକ୍ସରେ ୯୩.୬, କେମେଷ୍ଟ୍ରିରେ ୯୨.୬, କଂପ୍ୟୁଟର ସାଇନ୍ସରେ ୯୨, ଭୂଗୋଳ ୯୨, ଜିଓଲୋଜିରେ ୯୩.୨, ଇକୋନୋମିକ୍ସରେ ୯୧.୮, ଗଣିତରେ ୯୪.୨ ଓ ଷ୍ଟାଟିଷ୍ଟିକସରେ ରହିଛି ୯୧.୮ ପ୍ରତିଶତ। ଅର୍ଥାତ ଯୁକ୍ତ ଦୁଇ ବିଜ୍ଞାନରେ ଏତିକି ପ୍ରତିଶତ ନମ୍ବର ରଖିଥିବା ସାଧାରଣ ବର୍ଗ ଛାତ୍ରଛାତ୍ରୀ ସଂପୃକ୍ତ ବିଷୟରେ ଅନର୍ସ ନାମଲେଖାର ସୁଯୋଗ ପାଇବେ।

ସେହିଭଳି ବିଏ ଇକୋନୋମିକସ ପାଇଁ ୮୯ ପ୍ରତିଶତ କଟଅଫ ନମ୍ବର ରହିଥିବା ବେଳେ ଏଜୁକେସନରେ ୮୩.୬୬, ଇଂରାଜିରେ ୮୭, ହିନ୍ଦିରେ ୮୩.୧୬, ଇତିହାସରେ ୮୬, ଗଣିତରେ ୮୪.୨, ଓଡ଼ିଆରେ ୮୧.୧୬, ଫିଲୋସୋଫିରେ ୮୩.୬୬, ରାଜନୀତି ବିଜ୍ଞାନରେ ୮୭.୧୬, ମନସ୍ତତ୍ତ୍ବରେ ୮୫.୮୩, ସଂସ୍କୃତରେ ୮୧.୫, ସୋସିଓଲୋଜିରେ ୮୫.୫ ଓ ଷ୍ଟାଟିଷ୍ଟିକସରେ ୮୭.୨ ପ୍ରତିଶତ କଟଅଫ୍ ନମ୍ବର ରହିଛି। ବିକମରେ ୮୭.୨, ବିବିଏରେ ୭୯.୬୬ ପ୍ରତିଶତ ରହିଛି କଟ୍-ଅଫ୍ ନମ୍ବର ରହିଛି।

ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ରାଜ୍ୟ ଟପର ୯୦ ପ୍ରତିଶତ ନମ୍ବର ରଖିଥିବା ବେଳେ ରେଭେନ୍ସା ଟପର ରଖିଛନ୍ତି ୮୬ ପ୍ରତିଶତ ନମ୍ବର। ଅର୍ଥାତ ଯୁକ୍ତ ଦୁଇରେ ରେଭେନ୍ସା ଟପର ରେଭେନ୍ସାରେ ଯୁକ୍ତ ୩ରେ ନାମଲେଖାଇବାକୁ ଚାହିଁଲେ ଅର୍ଥନୀତି, ଇଂରାଜି, ରାଜନୀତି ବିଜ୍ଞାନ, ଷ୍ଟାଟିଷ୍ଟିକସ ଅନର୍ସ ବିଷୟ ପାଇ ପାରିବେ ନାହିଁ। ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ତ ଓଡ଼ିଆ କି ସଂସ୍କୃତ ବିଷୟରେ ପଢିବାକୁ ହେଲେ ବି ୮୧ ପ୍ରତିଶତରୁ ଅଧିକ ନମ୍ବର ଆବଶ୍ୟକ।

ତଥ୍ୟ ଅନୁଯାୟୀ ଚଳିତ ବର୍ଷର କଟଅଫ ନମ୍ବର ଗତ ବର୍ଷ ତୁଳନାରେ ହାରାହାରି ଭାବେ ୧୪ରୁ ୧୫ ପ୍ରତିଶତ ଅଧିକ ରହିଛି।

ଏଭଳି ସ୍ଥିତି ପାଇଁ ୩ଟି ମୁଖ୍ୟ କାରଣ କୁହାଯାଉଥିବା ବେଳେ ରାଜ୍ୟ ସରକାର ଏଯାଏ ସେଥିପ୍ରତି ସତର୍କ ହୋଇ ନାହାନ୍ତି। ପ୍ରଥମ କାରଣ ହେଉଛି ଖାତା ମୂଲ୍ୟାୟନ ପ୍ରକ୍ରିୟା। କରୋନା ସମୟରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାଖାତା ମୂଲ୍ୟାୟନରେ ଅବାସ୍ତବ ନୀତି ଛାତ୍ରଛାତ୍ରୀଙ୍କୁ ସିବିଏସଇ ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କ ତୁଳନାରେ ବହୁ ପଛରେ ପକାଇ ଦେଇଛି। କରୋନା ସମୟରେ ଯେଉଁ ପରୀକ୍ଷା ହୋଇ ନପାରିଲା, ଛାତ୍ରଛାତ୍ରୀ ଦେଇଥିବା ବିଷୟ ମଧ୍ୟରୁ ଯେଉଁ ଦୁଇଟି ବିଷୟରେ ସର୍ବାଧିକ ନମ୍ବର ରଖିଥିବେ, ତାହାକୁ ହାରାହାରି ଭାବେ ବିଚାରକୁ ନେଇ ପରୀକ୍ଷା ଦେଇ ନଥିବା ବିଷୟ ଗୁଡିକରେ ନମ୍ବର ଦିଆଗଲା। କିନ୍ତୁ ଯୁକ୍ତ ଦୁଇ କଳାରେ ଲଜିକ, ସୋସିଓଲୋଜି, ଏଜୁକେସନ, ସାଇକୋଲୋଜି, ‌ଜୋଗ୍ରାଫି ଭଳି ଅଧିକ ନମ୍ବର ରହୁଥିବା ବିଷୟ ପରୀକ୍ଷା ହୋଇ ପାରି ନଥିଲା। କିନ୍ତୁ ଓଡ଼ିଆ, ଇଂରାଜୀ ବିଷୟରେ ଥିବା ହାରାହାରି ନମ୍ବରକୁ ବିଚାରକୁ ନେଇ ଏହି ବିଷୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଗଲା। ଫଳରେ ସିଏଚଏସଇ ଛାତ୍ରଛାତ୍ରୀଙ୍କ ମୋଟ ନମ୍ବର ପ୍ରତିଶତ ହ୍ରାସ ପାଇଲା। ଦ୍ବିତୀୟ କାରଣ ହେଉଛି, ସିବିଏସଇ ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲ ଇଣ୍ଟରନାଲ୍ ଆସେସମେଣ୍ଟ ଅନୁଯାୟୀ ନମ୍ବର ଦିଆଗଲା। ସ୍କୁଲ ପକ୍ଷରୁ ଏହା ଦିଆଯାଇଥିବାରୁ ମୋଟ ନମ୍ବର ବହୁ ଅଧିକ ରହିଲା। ସିଏଚଏସଇ ବୋର୍ଡରେ ଯୁକ୍ତ ଦୁଇ କଳାରେ ରାଜ୍ୟରେ ମାତ୍ର ଜଣେ ଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖିଥିବା ବେଳେ ସିବିଏସଇ ଓ ଆଇସିଏସଇ ବୋର୍ଡରେ ବହୁ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ। ତୃତୀୟ କାରଣ ହେଉଛି କରୋନା ସ୍ଥିତି ଯୋଗୁଁ ଚଳିତ ବର୍ଷ ରାଜ୍ୟ ବାହାରକୁ ଯାଇ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ପ୍ରକାର ଶୂନ ହୋଇଯାଇଛି। ପ୍ରାୟତଃ ସବୁ ଛାତ୍ରଛାତ୍ରୀ ରାଜ୍ୟ ଭିତରର ବିଭିନ୍ନ କଲେଜରେ ନାମ ଲେଖାଇବାକୁ ଆବେଦନ କରିଛନ୍ତି। କିନ୍ତୁ ଏହାଦ୍ବାରା ସିଏଚଏସଇ ଅଧୀନରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଯେ ସିଧାସଳଖ ପ୍ରଭାବିତ ହେବାକୁ ଯାଉଛନ୍ତି, ତାହାକୁ ନେଇ କୌଣସି ଆଶଙ୍କା ନାହିଁ।

ଜଣେ ଅଭିଭାବକ ବିକାଶ ଦାସ କହିବା ଅନୁଯାୟୀ ଆମ ପିଲା ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ରେଭେନ୍ସାରେ ପସନ୍ଦର ବିଷୟରେ ନାମ ଲେଖାଇବାର ସୁଯୋଗ ପାଇବ ନାହିଁ, ଏହା କଳ୍ପନା ବାହାରେ। ଖାତା ଦେଖା ବ୍ୟବସ୍ଥାରେ ଯାହା ତ୍ରୁଟି ହୋଇଛି, ତାହାକୁ ସରକାର ଅନ୍ୟୁନ ଚଳତି ବର୍ଷ ପାଇଁ ଭଲ କଲେଜରେ ସିଟ ଅଧିକ ବଢାଇ ଭରଣା କରିବା ଆବଶ୍ୟକ। ପ୍ରାଧ୍ୟାପକ ଡକ୍ଟର ପ୍ରସନ୍ନ ସ୍ବାଇଁଙ୍କ ମତରେ କରୋନା ପରିସ୍ଥିତିରେ ଏହା ଏକ ବିଭ୍ରାଟ ହୋଇଛି। କିନ୍ତୁ ଏହାର ସହଜ ବିକଳ୍ପ ବାଟ ବି କିଛି ନାହିଁ। ରେଭେନ୍ସାରେ ପଢିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀ ଯଦି ଅପେକ୍ଷାକୃତ କମ ମାନର କଲେଜରେ ପଢିବାକୁ ବାଧ୍ୟ ହୁଅନ୍ତି, ତେବେ ନିଶ୍ଚିତ ଭାବେ ସେମାନଙ୍କ ଉପରେ ମାନସିକ ପ୍ରଭାବ ପଡିବ।

ସମ୍ବନ୍ଧିତ ଖବର