ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପ୍ରଦାନ କରିବେ।
ଏହି ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ। ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋତିର୍ମୟୀ ଦାଶଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇଁ ଚୟନ କରାଯାଇଛି। ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯିବ।
ଓଡ଼ିଶାର ଜଗତସିଂହପୁର ଜିଲ୍ଲା ମାନପୁରର ଯୋଗେନ୍ଦ୍ର ନାଥ ୟୁପି ସ୍କୁଲ, ତରିକୁନ୍ଦ ହାଇସ୍କୁଲରେ ସ୍କୁଲ ଶିକ୍ଷା ଲାଭ କରିବା ପରେ ଜଗତସିଂହପୁରର ସ୍ବାମୀ ବିବେକାନନ୍ଦ କଲେଜରେ ବିଏସ୍ସି ଶିକ୍ଷା ଶେଷ କରି କଟକ ରେଭେନ୍ସା
କଲେଜରେ ଏମ୍ଏସ୍ସି ପାଠ୍ୟକ୍ରମରେ ପ୍ରଥମ ଣ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଜ୍ୟୋତିର୍ମୟୀ। ବାପା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ ଥିବା ଯୋଗୁଁ ସମସ୍ତ କ୍ଷେତ୍ରରେ ପ୍ରେରଣା ପାଇ ଆସୁଥିଲେ।
ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ ଜ୍ୟୋର୍ତିମୟୀ ଆଇଆଇଟି କାନପୁରରୁ ସିନଥେଟିକ ଅର୍ଗାନିକ କେମେଷ୍ଟ୍ରିରେ ପିଏଚ୍ଡି କରିଥିଲେ। ଏହାପରେ ଏଫ.ୟୁ ବିଶ୍ୱବିଦ୍ୟାଳୟ, ବର୍ଲିଂ ଜର୍ମାନୀରୁ ଆଲେକ୍ଜାଣ୍ଡେର ଭନ୍ ହୁମ୍ ବନ୍ ଡଟ୍ ଫେଲୋସିପ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ମ୍ୟାରୀ କ୍ୟୁରୀ ଫେଲୋସିପ୍ ଏହଂ ଇଏସପିସିଆଇ, ପ୍ୟାରିସ୍ ଫ୍ରାନ୍ସରୁ ଫେଲୋସିପ୍ ପାଇଁ ସେ ତାଙ୍କର ପୋଷ୍ଟ ଡକ୍ଟରରାଲ ଗବେଷଣା ଶେଷ କରିଥିଲେ। ଏହା ପରେ ୨୦୦୯ରେ କୋଲକାତା ଆଇଜର୍ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ନିଯୁକ୍ତି ପାଇ ୪ବର୍ଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ୨୦୧୨ରେ କଲିକତାସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଫର୍ ଦ କଲଟିଭେସନ ଅଫ ସାଇନ୍ସ (ଆଇଏସିଏସ୍)ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ଯୋଗ ଦେବା ପରେ ବର୍ତ୍ତମାନ ସେ ଆଇଏସିଏସରେ ପ୍ରଫେସର ରୂପେ କାର୍ଯ୍ୟ କରୁଛନ୍ତି।
ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ପାଇଁ ମନୋନୀତ ହେବା ପରେ ସେ ନିଜର ଖୁସି ବ୍ୟକ୍ତ କରିବା ସହ ଏଭଳି ଏକ ସମ୍ମାନଜନକ ପୁରସ୍କାର ଆଗକୁ ବିଜ୍ଞାନ ଗବେଷଣା ପ୍ରତି ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମକୁ ସମର୍ପିତ ତଥା ନୂଆ ଉଦ୍ଭାବନ ସହ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗ ମୋର ଗବେଷଣାର ଲକ୍ଷ୍ୟ ରହିଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜ୍ୟୋତିର୍ମୟୀଙ୍କର ଏହି ଉପଲବ୍ଧି ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦର ସୁଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Oriya-scientist-Jyotirmoyee-will-receive-the-Shanti-Swarup-Bhatnagar-Prize.jpg)