ଓଡ଼ିଆ ଛାତ୍ର ରୋନିତ୍‌ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଟପର୍‌

ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷାରେ ଈର୍ଷିତା ପ୍ରଥମ

କଟକ: କୋହ୍ଲାପୁରସ୍ଥିତ ଆର୍ମ‌୍‌ଡ ଫୋର୍ସେସ୍‌ ପ୍ରିପାରେଟୋରି ଇନ୍‌ଷ୍ଟିଚ୍ୟୁଟ୍‌(ଏଏଫ୍‌ପିଆଇ)ର ଛାତ୍ର ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍‌ ରଂଜନ ନାୟକ ୨୦୨୦ରେ ଅନୁଷ୍ଠିତ ନାସନାଲ ଡିଫେନ୍‌ସ ଏକାଡେମି(ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗୋଆସ୍ଥିତ ନାଭାଲ୍‌ ପବ୍ଲିକ୍‌ ସ୍କୁଲ୍‌ରୁ ପ୍ରଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ରୋନିତ୍‌ ସେନାବାହିନୀରେ ପ୍ରବେଶ ପାଇଁ ଏଏଫ୍‌ପିଆଇରେ ପ୍ରଶିକ୍ଷଣ ନେଉଥିଲେ। ରୋନିତ୍‌ଙ୍କ ବାପା ରଶ୍ମିରଂଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନ୍‌ଏସ୍‌ ହଂସରେ ମାଷ୍ଟର୍‌ ଚିଫ୍‌ ପେଟି ଅଫିସର୍‌(ଫାଷ୍ଟ୍‌ କ୍ଲାସ୍‌) ଭାବେ କାର୍ଯ୍ୟରତ ଥିବାବେଳେ ମା ଅନ୍ନପୂର୍ଣ୍ଣା ଜଣେ ଗୃହିଣୀ ଓ ଭଉଣୀ ରିଚାସ୍ମିତା ଇନ୍‌ଫୋସିସ୍‌ରେ ସିନିୟର୍‌ ଇଂଜିନିୟର୍‌ ଅଛନ୍ତି। ଏହି ସଫଳତା ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ, ନିଜ ପ୍ରଶିକ୍ଷକଗଣ ଓ ପିତା-ମାତାଙ୍କୁ ଶ୍ରେୟ ଦେଇଛନ୍ତି। ଏଏଫ୍‌ପିଆଇ ସଂସ୍ଥାନରୁ ଚଳିତବର୍ଷ ସମୁଦାୟ ୪ଜଣ ଛାତ୍ର ଏନ୍‌ଡିଏ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ଭିତରେ ଆଉ ଜଣେ ଓଡ଼ିଆ ଛାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଇନିପଡ଼ାର ସୂର୍ଯ୍ୟକାନ୍ତ ନାଥଙ୍କ ପୁଅ ଗୌରବ ନାଥ ମଧ୍ୟ ଅଛନ୍ତି।

ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷାରେ ପ୍ରଥମ ଈର୍ଷିତା

ଗଡ଼ପୋଷ: ଓଡ଼ିଶା ଜୁଡିସିଆଲ ସର୍ଭିସ ସେବା ଅନ୍ତର୍ଗତ ସିଭିଲ ଜଜ୍‌ ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ ଦ୍ଵାରା ଆୟୋଜିତ ପରୀକ୍ଷାରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡପୋଷ ଗ୍ରାମର ଝିଅ ଈର୍ଷିତା କେଶରୱାନୀ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ବାପା ସଞ୍ଜୟ କେଶରୱାନୀ ଜଣେ ଔଷଧ ବ୍ୟବସାୟୀ ଏବଂ ମା ମନୋରମା ଜଣେ ଗୃହିଣୀ। ୧୯୯୫ ମସିହା ମାର୍ଚ୍ଚ ୨୨ ତାରିଖରେ ଜନ୍ମିତ ଈର୍ଷିତା ପିଲାବେଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର