ଭୁବନେଶ୍ବର: ଆପଣମାନେ ନିରାପଦରେ ଫେରିଥିବାରୁ ମୁଁ ଆଶ୍ବସ୍ତ...। ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ୍‌ରୁ ଫେରି ନୂଆଦିଲ୍ଲୀରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏଭଳି ଢଙ୍ଗରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ୟୁକ୍ରେନ୍‌ରେ ରହିଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ଭରସା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଫେରିବା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି।

Advertisment

ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତା କରି ପଦକ୍ଷେପ ନିଆଯିବ। ୟୁକ୍ରେନ୍‌ରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲ୍‌ପ ଡେସ୍କ ଖୋଲାଯିବ। ଏହାସହିତ ଭୁବନେଶ୍ବରରେ ପହଞ୍ଚିବା ପରେ ପିଲାମାନଙ୍କୁ ଓଟିଡିସିର ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ମୁମ୍ବାଇ ବିମାନ ବନ୍ଦରରେ ଖୋଲିବ ହେଲ୍‌ପ ଡେସ୍କ
ଓଡ଼ିଶାରୁ ଯୋଗାଯୋଗ କଲେଣି ୮୨ ଛାତ୍ରଙ୍କ ପରିବାର

ଛାତ୍ରଛାତ୍ରୀମା‌ନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ, ସେମାନେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀଙ୍କ ସହିତ ବୁକାରେଷ୍ଟ ଯାଇଥିଲେ। ସେଠାରୁ ନୂଆଦିଲ୍ଲୀକୁ ଫେରିଥିଲେ। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ସେମାନଙ୍କ ସହିତ ସବୁ ସମୟରେ ଅନଲାଇନ ଜରିଆରେ ଯୋଗାଯୋଗରେ ରହିଥିଲେ। ୟୁକ୍ରେନ୍‌ର ଖାର୍କିଭ୍‌ରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ଭାରତ ଫେରନ୍ତା ଛାତ୍ରଛାତ୍ରୀମାନେ ଅନୁରୋଧ କରିଥିଲେ।

ୟୁକ୍ରେନ୍‌ରେ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଏବେ ସୁଦ୍ଧା ଭାରତ ଫେରିଥିବା ସୂଚନା ମିଳିଛି।
ଅପରପକ୍ଷରେ ରାଜ୍ୟରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟଳୟରେ ଖୋଲିଥିବା ସହାୟତା କେନ୍ଦ୍ରକୁ ରାଜ୍ୟର ୮୨ଜଣ ଛାତ୍ରଛାତ୍ରୀଙ୍କ ପରିବାର ଲୋକ ଯୋଗାଯୋଗ କରିଛନ୍ତି। ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ନୂଆଦିଲ୍ଲୀସ୍ଥିତ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଆବାସିକ କାର୍ଯ୍ୟାଳୟକୁ ପ୍ରଦାନ କରାଯାଉଛି। ‌ଅନେକ ଛାତ୍ରଛାତ୍ରୀ ସିଧାସଳଖ ନୂଆଦିଲ୍ଲୀସ୍ଥିତ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଆବାସିକ କାର୍ଯ୍ୟାଳୟକୁ ଯୋଗାଯୋଗ କରୁଛନ୍ତି। ତେଣୁ ବର୍ତମାନ ସୁଦ୍ଧା ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ନିଜର ତଥ୍ୟ ପ୍ରଦାନ କରି ସାରିଥିବା ଅନୁମାନ କରାଯାଉଛି।