ଭୁବନେଶ୍ବର : ବିଜ୍ଞାନ ଶିକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଇସ୍ରୋ ଓ ନାସା ପରିଦର୍ଶନରେ ପଠାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଓଡ଼ିଶା ବିଜ୍ଞାନ ଏକାଡେମିର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦିଆଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନର ନିର୍ଦେଶିକା ଡା.ସଂଘମିତ୍ରା ପତି ବକ୍ତବ୍ୟ ରଖିଥିବା ବେଳେ ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବ‌ୈଜ୍ଞାନିକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ଜ୍ୟୋତିରଂଜନ ରାୟ, ମାମୋନୀ ଦାଶ, ପ୍ରଫେସର ନାରାୟଣ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଏକାଡେମି ଦ୍ବାରା ପ୍ରକାଶିତ ବିଜ୍ଞାନ ଦିଗସ୍ତ, ସାଇନ୍ସ ହରାଇଜନ୍ ପତ୍ରିକା ଉନ୍ମୋଚିତ ହୋଇଥିଲା।

Advertisment

ଏହା ପୂର୍ବରୁ ଦୁଇଦିନ ଧରି ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ବିଶ୍ବରଂଜନ ସାସମଲ, ବିଜ୍ଞାନ ଓ ବୈଷୟିକ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀଧର ଦାସ, ବିଶିଷ୍ଟ ଭୂବିଜ୍ଞାନୀ ପ୍ରଫେସର ଶ୍ରୀରୂପ ଗୋସ୍ବାମୀ, ଉଦ୍ୟାନବିତ୍ ଜୟନ୍ତ ଜେନା, ଭୁବନେଶ୍ବର ପ୍ଲାନେଟୋରିୟମ ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଏକାଡେମିର ପତ୍ରିକାର ସଂପାଦକ ମୁରାରୀ ମୋହନ ଦାସ, ମାୟାଧର ସ୍ବାଇଁ ପ୍ରମୁଖ ବିଦ୍ୟାର୍ଥୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏକାଡେମି ସଂପାଦକ ନରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।