ଭୁବନେଶ୍ବର : ୟୁକ୍ରେନ୍‌ର ଖାର୍କିଭ୍ ମେଡିକାଲ ୟୁନିଭରସିଟିର ଶେଷବର୍ଷ ଛାତ୍ର ଦିନେଶ। ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ନିଦ ଭାଙ୍ଗି ଯାଇଥିଲା। ହଷ୍ଟେଲରେ ଥିବା ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଉଠି ଯାଇଥିଲେ। ବାହାରକୁ ଆସି ଦେଖିଲାବେଳକୁ ସହରରେ ଲୋକଙ୍କ ଭିଡ଼ ଜମିଯାଇଛି। ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।

Advertisment

ୟୁକ୍ରେନ୍‌ରେ ରହୁଥିବା ଓଡ଼ିଆ ଡାକ୍ତର ସ୍ବାଧୀନ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ଦିନେଶ। ଡା.ମହାପାତ୍ର ସେମାନଙ୍କୁ ସୁପର ମାର୍କେଟ୍‌ରୁ ଆବଶ୍ୟକ ଜିନିଷପତ୍ର କିଣିବା ପାଇଁ ପରାମର୍ଶ ଦେଇଥିଲେ। ସେଠାରୁ ୪/୫ଦିନ ଲାଗି ଜିନିଷପତ୍ର ଆଣିବା ପରେ ହଷ୍ଟେଲ୍‌ ଫେରିଥିଲେ। ହେଲେ ପାଣି ମେସିନ୍‌ରେ ପାଣି ନ ଥିଲା। କିଛି ଘଣ୍ଟା ଅପେକ୍ଷା କରିବା ପାଣି ଗାଡ଼ି ପହଞ୍ଚିଥିଲା। ସେଥିରୁ ୨୫ ଲିଟର ପିଇବା ପାଣି ସଂରକ୍ଷିତ କରିପାରିଛନ୍ତି ଦିନେଶ ଓ ଅନ୍ୟମାନେ। ଭାରତୀୟ ସମୟ ପ୍ରାୟ ସାଢ଼େ ୮ଟା ସମୟରେ ‘ସମ୍ବାଦ’ ପ୍ରତିନିଧିଙ୍କ ସହିତ କଥା ହେବା ସମୟରେ ଦିନେଶ କହିଥିଲେ ଯେ ସକାଳୁ ଅପରାହ୍‌ଣ ଭିତରେ ଏକାଧିକ ବୋମା ଶବ୍ଦ ଶୁଣି ସାରିଲୁଣି। ରାସ୍ତାଘାଟ ଶୂନଶୂନ ହୋଇଯିବା ସହିତ ୱାଇଫାଇ କଟି ଯାଇଛି। ହେଲେ ମୋବାଇଲ ନେଟୱାର୍କ କାମ କରୁଛି। ମାତ୍ର କେତେବେଳେ ବି ତାହା କଟି ଯାଇପାରେ। ୟୁକ୍ରେନ୍‌ରେ ଏବେ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଚଳିତ ସପ୍ତାହରେ ସମସ୍ତେ ଘରକୁ ଫେରିଯିବା ଲାଗି ନିଷ୍ପତ୍ତି ‌ନେଇଥିଲେ। ମାତ୍ର ତାହା ସମ୍ଭବ ହୋଇନାହିଁ। ଅଧିକାଂଶ ଲୋକ ମେଟ୍ରୋ‌ରେ ଆଶ୍ରୟ ନେଇଛନ୍ତି। ଏ ସମୟରେ ବାହାରେ ବୋମା ମାଡ଼ ଶବ୍ଦ ଶୁଭିଥିଲା ଓ ଦିନେଶ ମେଟ୍ରୋକୁ ଯିବାକୁ ଚାହୁଁଥିବା କହିଥିଲେ।

ସେହିପରି ଗତକାଲି ୟୁକ୍ରେନ୍‌ରୁ ଭାରତକୁ ଫେରି ଆସିଥିବା ଡାକ୍ତରୀ ଛାତ୍ର ପ୍ରତୀକ ଧଳ କହିଛନ୍ତି, ଛାତ୍ରଛାତ୍ରୀମାନେ ଭୟ ଭିତରେ ରହିଛନ୍ତି। କିଛି ହଷ୍ଟେଲରେ ପାଣି ଆସୁ ନ ଥିବା ସାଙ୍ଗମାନେ କହୁଥିଲେ। ଅଫଲାଇନ୍ କ୍ଲାସ ଚାଲୁଥିବାରୁ ଅନେକ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ରହି ଯାଇଥିଲେ। ହେଲେ ଏବେ ସ୍ଥିତି ସଂପୂର୍ଣ୍ଣ ଓଲଟି ଯାଇଛି। ଲାଇନ୍ କଟିଯିବା ଭୟରେ ଅନେକ ନିଜର ମୋବାଇଲକୁ ବନ୍ଦ ରଖିବା ଲାଗି ବାଧ୍ୟ ହେଉଛନ୍ତି।

ଅଣ୍ଡରଗ୍ରାଉଣ୍ଡରେ ରହିଛନ୍ତି ଗଞ୍ଜାମର ଛାତ୍ରଛାତ୍ରୀ

ବ୍ରହ୍ମପୁର/ଛତ୍ରପୁର : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଆଜି ଠାରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଏବେ ୟୁକ୍ରେନ୍‌ରେ ଫସିଥିବା ଜଣାପଡିଛି।

ଏହି ଛାତ୍ରଛାତ୍ରୀମାନେ ହେଲେ; ବ୍ରହ୍ମପୁର ହିଲ୍‌ପାଟଣା ନିବାସୀ ଡା. ନଳିନୀକାନ୍ତ ପାଢ଼ୀଙ୍କ ପୁଅ ଅର୍ପଣ ପାଢ଼ୀ(୨୩) ଏବଂ ତାଙ୍କ ସହିତ ଯାଇଥିବା ଆହୁରି ୮ଜଣ ଛାତ୍ରଛାତ୍ରର। କଲେଜର ଛାତ୍ରାବାସରେ ପୂର୍ବଭଳି ରହୁଥିବା ବେଳେ ଆଜି ସଂଧ୍ୟାରେ ଛାତ୍ରାବାସ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ନିରାପଦସ୍ଥାନରେ ଅଣ୍ଡରଗ୍ରାଉଣ୍ଡ କରି ରଖିଥିବା ଅର୍ପଣ ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା ବେଳେ ପାନୀୟ ଜଳର ଘୋର ଅଭାବ ରହିଥିବା ଅର୍ପଣ କହିଛନ୍ତି।

ସେଭଳି ବ୍ରହ୍ମପୁର ବିଜୟ ବିହାର ବାସିନ୍ଦା ଉମାକାନ୍ତ ମହାପାତ୍ରଙ୍କ ଝିଅ ଲିପି ମହାପାତ୍ରଙ୍କ ସମେତ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଭାରତୀୟ ଆଜି ଭାରତୀୟ ଦୂତାବାସରେ ଆଶ୍ରୟ ନେଇଥିବା କହିଛନ୍ତି। ଅନ୍ୟ ଦୁଇ ଛାତ୍ର ହେଲେ; ଡି. ଆଦର୍ଶ ପା୍ର ଓ ବିଶ୍ବମ୍ବର ବାଡ଼ତ୍ୟା ।

ସେଭଳି ଚମାଖଣ୍ଡି ଅଞ୍ଚଳର ସୁରଜ ବିଶ୍ବାସ ସେଠାରେ ଡାକ୍ତରୀ ପାଠ ପଢ଼ୁଥିବା ତୃତୀୟ ବର୍ଷର ଛାତ୍ର। ତାଙ୍କ ସୁରକ୍ଷାକୁ ନେଇ ପରିବାରଲୋକେ ଆଶାଆଶଙ୍କା ଭିତରେ ରହିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନ୍‌ରେ ଗଞ୍ଜାମ ଜିଲ୍ଲାର କେତେଜଣ ପ୍ରବାସୀ ରହିଛନ୍ତି ଏହାର ତାଲିକା ପ୍ରସ୍ତୁତ ଲାଗି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। କିପରି ସେମାନେ ସୁରକ୍ଷିତ ଭାବେ ଘରକୁ ଫେରିବେ ଏଥିପାଇଁ ପ୍ରସ୍ତୁତି ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି।