ୟୁକ୍ରେନ୍‌ରେ ଫସିଛନ୍ତି ୩ ହଜାର ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର : ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବ ଓ ସେଠାରୁ ନିଜର ନାଗରିକମାନଙ୍କୁ ଫେରିଯିବାକୁ ନିର୍ଦେଶ ଦେବା ପରେ ୟୁକ୍ରେନ୍‌ରେ ଥିବା ବିଦେଶୀ ନାଗରିକଙ୍କ ଚିନ୍ତା ବଢ଼ି ଯାଇଛି। ବିଶେଷକରି ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପରିବାର ଲୋକ ସେମାନଙ୍କୁ ଘନ ଘନ ଯୋଗାଯୋଗ କରୁଛନ୍ତି। କିନ୍ତୁ ୟୁକ୍ରେନ୍‌ରେ‌ ସେଭଳି କୌଣସି ଭୟର ବାତାବରଣ ନ ଥିବା ଓ ପୂର୍ବଭଳି ଜନଜୀବନ ଚାଲିଥିବା କହିଛନ୍ତି ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ। ବିଶ୍ବବ୍ୟାପୀ ୟୁକ୍ରେନ୍‌କୁ ନେଇ ଯେଉଁଭଳି ଭାବେ ଚର୍ଚା ହେଉଛି ସେଭଳି ସ୍ଥିତି ୟୁକ୍ରେନ୍‌ରେ ନଥିବା ସେମାନେ ‘ସମ୍ବାଦ’କୁ କହିଛନ୍ତି।

ଦେଶର ବିଭିନ୍ନ ଘରୋଇ ମେଡିକାଲ କଲେଜ ତୁଳନାରେ ୟୁକ୍ରେନ୍‌ରେ ମେଡିକାଲ ପଢ଼ିବା ଶସ୍ତା ଥିବାରୁ ବହୁ ଭାରତୀୟ ସେଠାରେ ପଢ଼ିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଡେଣ୍ଟାଲ, ନର୍ସିଂ ଭଳି ପାଠ୍ୟକ୍ରମକୁ ଭାରତୀୟମାନେ ଅଧିକ ପସନ୍ଦ କରୁଛନ୍ତି। ଏହାସହ କିଛି ଛାତ୍ରଛାତ୍ରୀ ମଧ୍ୟ ଏରୋସ୍ପେସ୍ ଇଞ୍ଜିନିୟରିଂରେ ମଧ୍ୟ ନାମ ଲେଖାଉଛନ୍ତି। ତେ‌ବେ ଏହା ମାତ୍ର ୫ ପ୍ରତିଶତ। ମେଡିକାଲ ପାଠ୍ୟକ୍ରମ ସାରି ଭାରତରେ ଡାକ୍ତରୀ ଆରମ୍ଭ କରିବା ଲାଗି ସେମାନଙ୍କୁ ଜାତୀୟ ମେଡିକାଲ କମିସନ ବା ଏନ୍‌ଏମ୍‌ସିର ସ୍କ୍ରିନିଂ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ। ୟ‌ୁକ୍ରେନ୍‌ରେ ଥିବା ମେଡିକାଲ ବିଶ୍ବବିଦ୍ୟାଳୟ ଶହ ଶହ ବର୍ଷ ପୁରୁଣା ଥିବାରୁ ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ମଧ୍ୟ କିଛି କମ୍‌ ନୁହେଁ। ୟୁକ୍ରେନ୍‌ ବ୍ୟାପୀ ପ୍ରାୟ ୩ ହଜାର ଓଡ଼ିଆ ଛାତ୍ରଛାତ୍ରୀ ଥିବା ବେଳେ ଖାର୍କିଭ୍‌ରେ ହିଁ ସର୍ବାଧିକ ସଂଖ୍ୟକ ଓଡ଼ିଆ ଛାତ୍ରଛାତ୍ରୀ ରହୁଛନ୍ତି। ଖାର୍କିଭ୍‌ ଜାତୀୟ ମେଡିକାଲ ବିଶ୍ବବିଦ୍ୟାଳୟ ଓ ଅନ୍ୟ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଉଛନ୍ତି।

ୟୁକ୍ରେନ୍‌ର ଖାର୍କିଭ୍‌ରେ ମେଡିକାଲ ପଢ଼ୁଥିବା କଟକ ବାଦାମବାଡ଼ିର ପ୍ରତୀକ ଧଳ କହିଛନ୍ତି, ସେଠାରୁ ଋଷର ସୀମା ୩୦-୩୫ କି.ମି ଦୂର। ଏବେ ଜନଜୀବନ ସ୍ବାଭାବିକ ରହିଛି। ଅଫ୍‌ଲାଇନ୍‌ ପାଠପଢ଼ା ମଧ୍ୟ ଚାଲିଛି। ସହର ଭିତରେ କୌଣସି ପ୍ରକାର ସେନା ଚଳାଚଳ ନାହିଁ। ମାତ୍ର ଋଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ବୋଲି ଆମେରିକା କହିବା ପରେ ଘରେ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ସେମାନଙ୍କୁ ଭିଡିଓ କଲ୍‌ ଜରିଆରେ ସବୁକିଛି ଜଣାଇବା ପରେ ଘର ଲୋକ ଆଶ୍ବସ୍ତ ଲାଭ କରିଛନ୍ତି। ମାତ୍ର ଅନ୍ୟ ଦେଶର ନାଗରିକ ଓ ଛାତ୍ରଛାତ୍ରୀ ୟୁକ୍ରେନ୍‌ ଛାଡ଼ି ଚାଲି ଯାଉଥିବାରୁ ଏଠାରେ ରହୁଥିବା ଅନ୍ୟ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭିତରେ ଚିନ୍ତା ବଢ଼ିଛି। ଏପରିକି କିଛି ଭାରତୀୟ ଛାତ୍ରଛାତ୍ରୀମାନେ ଘରକୁ ଫେରି ଯାଇଛି। ଅଧିକ ବିମାନ ଉପଲବ୍ଧ ନ ହେଉଥିବାରୁ ଦର ବହୁତ ବୃଦ୍ଧି ପାଇଛି। ହେଲେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସୂଚନା ଦିଆଯାଉଛି। ଆବଶ୍ୟକ ପଡ଼ିଲେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍‌ରୁ ଘରକୁ ଫେରିବାର ବନ୍ଦୋବସ୍ତ କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିବା ପ୍ରତୀକ କହିଛନ୍ତି।

ସେହିପରି ନୟାଗଡ଼ ଅଞ୍ଚଳର ମେଡିକାଲ ଶେଷବର୍ଷ ଛାତ୍ର ଦୀନେଶ କୁମାର ସାହୁ କହିଛନ୍ତି, ଏ ପର୍ଯ୍ୟନ୍ତ କୌଣସି ପ୍ରକାର କଟକଣା ନାହିଁ। ଜନଜୀବନ ପୂର୍ବଭଳି ଥିବା ବେଳେ କ୍ଲାସ୍ ଜାରି ରହିଛି। ଭାରତୀୟ ଦୂତାବାସ ପକ୍ଷରୁ କୌଣସି ପ୍ରକାର ଭୟଭୀତ ନ ହେବା ଲାଗି କୁହାଯାଇଛି। ହଷ୍ଟେଲରେ ୫୦ରୁ ଅଧିକ ଓଡ଼ିଆ ପିଲା ରହିଥିବା ଦୀନେଶ ସୂଚନା ଦେଇଛନ୍ତି।

ୟୁକ୍ରେନ୍‌ରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରୁଥିବା ସ୍ବାଧୀନ ମହାପାତ୍ର କହିଛନ୍ତି ରାଜ୍ୟର ସବୁ ଜିଲ୍ଲାରୁ ପ୍ରାୟ ୩ହଜାର ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ପଢ଼ୁଛନ୍ତି। ଗଣମାଧ୍ୟମରେ ଯେଉଁଭଳି ଚର୍ଚା ହେଉଛି ଖାର୍କିଭ୍ ଓ ୟୁକ୍ରେନ୍‌ରେ ବର୍ତମାନ ସୁଦ୍ଧା ସେଭଳି କୌଣସି ସ୍ଥିତି ଦେଖିବାକୁ ମିଳିନାହିଁ। ଆଗକୁ କ’ଣ ହେବ ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ଡା.ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର