ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆନ୍ତରିକତା ଏମିତି, ଏପର୍ଯ୍ୟନ୍ତ ନିର୍ମାଣ ଶୈଳୀ ହୋଇନି

ବର୍ଷେ ହେଲା ରୂପରେଖ ପ୍ରସ୍ତୁତ କରି ଦେଲାଣି ଉଚ୍ଚଶିକ୍ଷା ବିଭାଗ, ଚିଠି ଚାପି ବସିଛନ୍ତି ପୂର୍ତ ବିଭାଗ ମୁଖ୍ୟଯନ୍ତ୍ରୀ(କୋଠା)

ଭୁବନେଶ୍ବର: ଓଡ଼ିଆ ବିଶ୍ବବିଦ୍ୟାଳୟ ଏ ବର୍ଷ ହେବ। ଆର ବର୍ଷକୁ ଛାତ୍ରଛାତ୍ରୀ ପଢ଼ିବେ। ପ୍ରଥମେ ଭୁବନେଶ୍ବରରେ ଅସ୍ଥାୟୀ ଭାବେ ଚାଲିବ। ଗୋଟିଏ ବର୍ଷ ଭିତରେ ଛିଡ଼ା ହେବ। ୪ ବର୍ଷ ହେଲା ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ଲାଗି ଏମିତି ଗୋଲାପି ଚିତ୍ର ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲା ସତ୍ୟବାଦୀରେ ଭିତ୍ତିପ୍ରସ୍ତର ପଡ଼ିବାକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିନି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଓଡ଼ିଆ ବିଶ୍ବବିଦ୍ୟାଳୟ କେଉଁ ଢାଞ୍ଚାରେ ଗଢ଼ାଯିବ ସେନେଇ ଏପର୍ଯ୍ୟନ୍ତ ନକ୍ସା ପ୍ରସ୍ତୁତ ହୋଇପାରି ନାହିଁ। ବର୍ଷେ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ କ୍ୟାମ୍ପସର ନିର୍ମାଣ ଶୈଳୀ ପ୍ରସ୍ତୁତ କରି ଦେବାକୁ କୁହାଯାଇଥିଲା। ହେଲେ ବାବୁ ଜଣକ ଫାଇଲ୍‌ ଚାପି ବସିପଡ଼ିଛନ୍ତି। ନିର୍ମାଣ ଶୈଳୀ ପ୍ରସ୍ତୁତ କରିବେ କ’ଣ, ଧରାଛୁଆଁ ବି ଦେଉନାହାନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ୨୦୧୯ ଅକ୍ଟୋବର ୧୪ରେ ମୁଖ୍ୟଯନ୍ତ୍ରୀ (କୋଠା)ଙ୍କୁ ଚିଠି ଲେଖି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ନିର୍ମାଣ ଶୈଳୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ନିର୍ମାଣ ଶୈଳୀ ମିଳି ନାହିଁ। ଘଟଣାରେ ହସ୍ତକ୍ଷେପ କରି ନିର୍ମାଣ ଶୈଳୀ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ରୂପରେଖ ଅନୁଯାୟୀ ୧୦ ହଜାର ୫୦୦ ବର୍ଗ ଫୁଟ୍‌ ଜମିରେ ପ୍ରଶାସନିକ କୋଠା ନିର୍ମାଣ ହେବ। କ୍ୟାମ୍ପସରେ ୧୫ ହଜାର ବର୍ଗ ଫୁଟ୍‌ ଅଞ୍ଚଳରେ ପ୍ରେକ୍ଷାଳୟ, ୩ ହଜାର ବର୍ଗ ଫୁଟ୍‌ରେ କାଫେଟେରିଆ, ୧୦୦ ଶର୍ଯ୍ୟା ବିଶିଷ୍ଟ ଗୋଟିଏ ଲେଖାଏ ଛାତ୍ରାବାସ ଓ ଛାତ୍ରୀନିବାସ, ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟରେ ୫ଟି ବିଭାଗ ତଥା ସ୍କୁଲ ଖୋଲିବ। ସମସ୍ତ ସ୍କୁଲ ପାଇଁ ଅଲଗା ଅଲଗା କୋଠା ନିର୍ମାଣ ହେବ। ୧୯ ହଜାର ୯୨୦ ବର୍ଗ ଫୁଟ୍‌ରେ ପ୍ରତି ବିଲ୍‌ଡିଂ ନିର୍ମାଣ ହେବ। ଏହିପରି ଭା‌ବେ ୯୯ ହଜାର ୬୦୦ ବର୍ଗ ଫୁଟ୍‌ ଜାଗାରେ ୫ଟି ସ୍କୁଲ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି। ‌ଗୋଟିଏ ସ୍କୁଲରେ ୨ଟି ବଡ଼ କ୍ଲାସ ରୁମ୍‌(୨୫୦୦ ବର୍ଗଫୁଟ୍‌), ୩ଟି ଛୋଟ କ୍ଲାସରୁମ୍‌(୨୨୫୦ ବର୍ଗଫୁଟ୍‌), ଗୋଟିଏ ଡିନ୍‌ ରୁମ୍‌ ଓ ୩ଟି ହେଡ୍‌ ରୁମ୍‌ ସହ ମୋଟ ୧୨ଟି ଅଧ୍ୟାପକ ରୁମ୍‌, ଗୋଟିଏ ସେମିନାର ରୁମ୍‌, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏ କମନ୍‌ ରୁମ୍‌, ପାଠଗାର ଓ କମ୍ପ୍ୟୁଟର ଲ୍ୟାବ୍‌, ଅଫିସ୍‌ ଓ ଷ୍ଟୋର, ସମ୍ମିଳନୀ କକ୍ଷ, ୪ଟି କମନ୍‌ ୱାସ୍‌ରୁମ୍‌ ଓ ୪ଟି ପର୍ସନାଲ ୱାସ୍‌ରୁମ୍‌ ରହିଛି। ଏହାବ୍ୟତୀତ ପ୍ରତି ସ୍କୁଲ ଲାଗି କମନ୍‌ ଏରିଆ, କରିଡର, ଶୌଚାଳୟ ଆଦି ସୁବିଧା ବି ରହିବ। ‌

ସେହିପରି ପ୍ରଶାସନିକ କୋଠାରେ କୁଳପତି, କୁଳସଚିବଙ୍କ କାର୍ଯ୍ୟଳୟ ସମେତ ସେମାନଙ୍କ ପିଏ ଓ ପିଏସ୍‌ଙ୍କ କାର୍ଯ୍ୟାଳୟ ରହିବ। ଏଥିସହ ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ଉପ ପରୀକ୍ଷା ନିୟନ୍ତ୍ରକ, ଉପ-କୁଳସଚିବ, ଷ୍ଟୋର୍‌ ରୁମ୍‌, ପ୍ରଶାସନିକ ହଲ୍‌-୧, ପରୀକ୍ଷା ହଲ୍‌-୨, ସମ୍ମିଳନୀ କକ୍ଷ, କୁଳପତିଙ୍କ ପାଇଁ ସ୍ବତନ୍ତ୍ର ଭାବେ ଛୋଟ ସମ୍ମିଳନୀ କକ୍ଷ, ମହିଳା ଓ ପୁରୁଷଙ୍କ ପାଇଁ ୪ଟି ଲେଖାଏ ୱାସ୍‌ ରୁମ୍‌ ଆଦି ରହିବ। ନିର୍ମାଣ ଶୈଳୀ ପ୍ରସ୍ତୁତ ସମୟରେ ଆବଶ୍ୟକତାଠାରୁ ଅଧିକ ଜମି ବ୍ୟବହାର ନ କରିବା ଉପରେ ଧ୍ୟାନ ଦିଆଯିବ। କ୍ୟାମ୍ପସରେ ଜମି ଖାଲି ରହିଲେ ସେଥିରେ ଆଗକୁ ସମ୍ପ୍ରସାରଣ ହୋଇପାରିବ। ସବୁଜ କ୍ୟାମ୍ପସ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ସମ୍ପୂର୍ଣ୍ଣ କ୍ୟାମ୍ପସରେ ଓଡ଼ିଶାର ସ୍ଥାପତ୍ୟ ସ୍ଥାନ ପାଇବ। ନିର୍ମାଣରେ ପାରମ୍ପରିକ ସାମଗ୍ରୀ ବ୍ୟବହାର କରିବା, ବହୁ ମହଲା କୋଠା ନିର୍ମାଣ ନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର