ବିଦେଶରେ ଭିକ ମାଗୁଛନ୍ତି ଓଡ଼ିଆ ଶ୍ରମିକ

ଭିସା, ପାସ୍‌ପୋର୍ଟ ହଜିଯିବାରୁ ଜେଲ୍‌ଦଣ୍ଡ ଭୋଗିଲେ, ପ୍ରଶାସନର ପାଖରେ ଫେରାଦ ହେଲେ ପରିବାର

ଛତ୍ରପୁର : କତାରକୁ ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନ୍‌ଏସି ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମର ବିଷ୍ଣୁପ୍ରସାଦ ଡାକୁଆ ଏବେ ସେଠାରେ ଭିକ୍ଷାବୃତ୍ତି କରି ଚଳୁଛନ୍ତି। ନିଜର ପାସ୍‌ପୋର୍ଟ ହଜି ଯାଇଥିବାରୁ ସେ ଘରକୁ ଫେରି ପାରୁନାହାନ୍ତି। ଏହି ଘଟଣା ଜାଣିବାପରେ ତାଙ୍କୁ ସୁରକ୍ଷିତ ଭାବେ ଗାଁକୁ ଆଣିବାପାଇଁ ବାପାମାଆ ଓ ପରିବାରବର୍ଗ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।

ରୋଜଗାର ଉଦ୍ଦେଶ୍ୟରେ ବିଷ୍ଣୁ ଗତବର୍ଷ କତାରର ଦୋହା ସହରକୁ ଯାଇଥିଲେ। ସେଠାକାର ଏକ କମ୍ପାନିରେ ସେ ହେଲ୍‌ପର୍ ଭାବେ କାମ କରୁଥିଲେ। ଦୁଇବର୍ଷ କାମ କରିବାପରେ କମ୍ପାନି ନିଜ ଖର୍ଚ୍ଚରେ ତାଙ୍କୁ ଘରକୁ ପଠାଇବ ବୋଲି ଚୁକ୍ତି ହୋଇଥିଲା। ସେଠାରେ ବ‌ର୍ଷେ ଧରି କାମ କରିବା ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ମାତ୍ର ୬ ମାସର ଦରମା ଦେଇଥିଲେ। ଛଅମାସର ବକେୟା ପ୍ରାପ୍ୟ ନଦେଇ କ୍ୟାମ୍ପ୍‌ରୁ ବାହାର କରି ଦେଇଥିଲେ। ତେବେ; କ୍ୟାମ୍ପ୍‌ରେ ତାଙ୍କ ଭିସା, ପାସ୍‌ପୋର୍ଟ ଓ ମୋବାଇଲ୍ ହଜି ଯାଇଥିଲା। ବିନା ଭିସା ଓ ପାସ୍‌ପୋର୍ଟରେ ବୁଲୁଥିବାରୁ ସେଠାକାର ପୁଲିସ ତାଙ୍କୁ ଗିରଫ କରି ଦୁଇମାସ ଜେଲ୍‌ରେ ରଖି ଛାଡ଼ିଦେଇଥିଲା। ଏବେ ଚଳିବାକୁ ପାଖରେ ଟଙ୍କାଟିଏ ବି ନଥିବାରୁ ଶେଷରେ ବାଧ୍ୟହୋଇ ଭିକ୍ଷାବୃତ୍ତି ଆରମ୍ଭ କଲେ ବିଷ୍ଣୁ। ଭୋକରେ ରାସ୍ତାକଡ଼ରେ ବସି କାନ୍ଦୁଥିବା ସମୟରେ ଜ‌ଣେ ଭାରତୀୟ ତାଙ୍କର ସବୁ କଥା ଶୁଣିଥିଲେ। ଆଉ ବିଷ୍ଣୁଙ୍କ ପରିବାର ଲୋକଙ୍କୁ ଫୋନ୍ କରି ତାଙ୍କ ଦୁର୍ଦ୍ଦଶା ବିଷୟରେ ଜଣାଇଥିଲେ। ପରେ ପରିବାରବର୍ଗ ସେଠାରେ ରହୁଥିବା କୋଦଳାର ଜଣେ ଶ୍ରମିକଙ୍କ ସହ ଯୋଗାଯୋଗ କରି ବିଷ୍ଣୁଙ୍କୁ ତାଙ୍କ ପାଖରେ ଛାଡ଼ିଛନ୍ତି। ମାତ୍ର, ଭିସା ଓ ପାସପୋର୍ଟ ନଥିବାରୁ ବିଷ୍ଣୁ ଗାଁକୁ ଆସିପାରୁ ନାହାନ୍ତି। ଲୁଚିଛପି କ୍ୟାମ୍ପ୍‌ରେ ଆଶ୍ରୟ ନେଉଛନ୍ତି।

ଏଭଳି ପରିସ୍ଥିତିରେ ବିଷ୍ଣୁ ଏକ ଭିଡ଼ିଓ ଜାରି କରି ତାଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ନେଇଯିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଆଜି ତାଙ୍କ ବାପାମାଆ ଓ ଭାଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ଗୁହାରି ଜଣାଇଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଚାହିଁଲେ ତାଙ୍କ ପୁଅ ଫେରିଆସିବ ବୋଲି ବାପା ଗଙ୍ଗାଧର କୋହଭରା କଣ୍ଠରେ କହିଛନ୍ତି।

ଅନ୍ୟପକ୍ଷରେ, ଏନେଇ ରାଜ୍ୟ ଶ୍ରମ କମିସନର୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି। ଏହାସହ ଯେଉଁ ଦଲାଲ୍‌ ଓ ଜାଲ୍‌ସଂସ୍ଥା ଗୁଡ଼ିକ ନିରୀହ ଶ୍ରମିକଙ୍କୁ ଠକୁଛନ୍ତି , ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର