ଗୁଜୁରାଟରେ ଓଡ଼ିଆ ଶ୍ରମିକ ମୃତ, ଗାଁକୁ ଫେରିଲା ଶବ

ଦେଓଗାଁ : ଗୁଜୁରାଟ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଶ୍ରମିକ ନନ୍ଦ ସା (୩୭ବର୍ଷ)ଙ୍କ ସେଠାରେ ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟାରେ ତାଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ପ୍ରକାଶ ଯେ ଗତ ନୂଆଁଖାଇ ପରେ ନନ୍ଦ ସା ଗୁଜୁରାଟକୁ ଦାଦନ ଖଟିବାକୁ ଯାଇଥିଳେ। ସେଠାକାର ରାଜକୋଟ ନିକଟ ମୁରବି ସହରର ପୁଥା କାରଖାନାରେ ସେ କାମ କରୁଥିଲେ। ଗତ ୧୨ ତାରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ସାଙ୍ଗରେ ଥିବା ଯୁବକମାନେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ଭାଇ ପାଣ୍ଡବ ସା କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ କମ୍ପାନି କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଶବ ପଠାଇଦେଇ ନିଜ କାମ ସାରି ଦେଇଥିବା ଅଭିଯୋଗ ହେଉଛି। ମୃତ ନନ୍ଦଙ୍କ ଘରେ ଦୁଇ ଛୋଟ ଝିଅ ଅଛନ୍ତି। ରୋଜଗାର କରିବାକୁ ଯାଇଥିବା ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ତୁରନ୍ତ ଏହି ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର