ରାଜନଗର : କାମଧନ୍ଦା ପାଇଁ ହାଇଦ୍ରାବାଦରେ ଥିବା ଜଣେ ଓଡ଼ିଆ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚୋରି ସନ୍ଦେହରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ପେଟରେ ଲୁହାରଡ୍ ଭୁସି ମାରି ଦିଆଯାଇଛି। ପତ୍ନୀଙ୍କ ଅଭିଯୋଗ ଆଧାରରେ ସାଇବରାବାଦ ଅଞ୍ଚଳରେ ଥିବା ଥାନାରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ସଂଧ୍ୟାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
ସୂଚନା ଅନୁଯାୟୀ ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଚାରିପୋଖରିଆ ଗାଁର ବ୍ରହ୍ମାନନ୍ଦ ବାରିକଙ୍କ ବଡ଼ ପୁଅ ଅମର ବାରିକ (୩୩) ଦୀର୍ଘ ୧୨ ବର୍ଷ ହେଲା ହାଇଦ୍ରାବଦର ସାଇବରାବାଦ ଅଂଚଳରେ ଶ୍ରମିକ ଭାବେ ରଡ୍ ବାଇଡିଂ କାମ କରୁଥିଲେ। ୧୫ ତାରିଖ ଦିନ ହାଇଟେକ୍ ସିଟି ଅଂଚଳରେ କିଛି ଯୁବକ ଅମରଙ୍କୁ ଚୋର ସନ୍ଦେହରେ ନିର୍ମମ ମାଡ଼ ମାରିଥିଲେ। ୧୬ ତାରିଖ ସକାଳେ ଅମରଙ୍କ ପତ୍ନୀ ସତ୍ୟଭାମା ଖବର ଆସିଥିବା ସ୍ଥାନରେ ପହଞ୍ଚି ତାଙ୍କ ସ୍ବାମୀ ମରି ପଡିଥିବା ଦେଖିଥିଲେ। ଏ ନେଇ ସତ୍ୟଭାମା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ସଂଧ୍ୟାରେ ଅମରଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଅମରଙ୍କ ଦୁଇ ଝିଅ ଗାଁରେ ଥିବା ବେଳେ ୪ ବର୍ଷର ପୁଅ ସେଠାରେ ରହୁଥିଲା। ପୁଅର ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ତ ଦେବା ପାଇଁ ତାଙ୍କ ବାପା ବ୍ରହ୍ମାନନ୍ଦ ଦାବି କରିଛନ୍ତି।