ଖଲ୍ଲିକୋଟ : ଓମାନ୍ର ମାସ୍କଟ୍ ସହରରୁ ଭିଟାମାଟିକୁ ଫେରୁଥିଲେ ଜଣେ ଓଡ଼ିଆ ଶ୍ରମିକ। ସ୍ବଦେଶ ଫେରିବା ପରେ ହଠାତ୍ ମୁମ୍ବାଇରେ ସେ ନିଖୋଜ ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ନିଖୋଜ ଶ୍ରମିକ ଜଣକ ହେଲେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ କନକା ପଞ୍ଚାୟତ କୁମ୍ଭିଢ଼ିପ ଗ୍ରାମର ଏକାଦଶୀ ଜେନା। ସାତଦିନ ହେଲା ତାଙ୍କର ଖୋଜଖବର ମିଳୁ ନଥିବାରୁ ପରିବାରବର୍ଗ ଏବେ ଆଶାଆଶଙ୍କା ଭିତରେ। ଏକାଦଶୀ ଜଣେ ଠିକାଦାରଙ୍କ ଜରିଆରେ ଓମାନ୍ର ମାସ୍କଟ୍ ସହରକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଏକ କମ୍ପାନିରେ ତିନିମାସ କାମ କରିବା ପରେ ମାଲିକ ମାତ୍ର ୧୨ ହଜାର ଟଙ୍କା ଦରମା ଦେଇଥିଲେ। ସେଠାରେ ଏକାଦଶୀ ହଠାତ୍ ଅସୁସ୍ଥ ହୋଇଯିବାରୁ ୨୫ହଜାର ଟଙ୍କା ପଠାଇବାକୁ ଘରକୁ ଫୋନ୍ କରିଥିଲେ। କିନ୍ତୁ ଟଙ୍କା ଆସିବାରେ ବିଳମ୍ବ ହେବାରୁ କମ୍ପାନି କର୍ତ୍ତୃପକ୍ଷ ଟିକେଟ୍ କରି ଗତ ୨୭ ତାରିଖରେ ଗାଁକୁ ପଠାଇଥିଲେ। ଏକାଦଶୀ ଗାଁକୁ ଆସୁଥିବା ବିଷୟରେ ସୁରତରେ ରହୁଥିବା ତାଙ୍କର ଜଣେ ବନ୍ଧୁ ତାଙ୍କ ଭିଣୋଇଙ୍କୁ ଫୋନ୍ କରି ଜଣାଇଥିଲେ।
ଏକାଦଶୀ ଭୋର୍ ୫ଟାରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ଭିଣୋଇ ସକାଳ ୬ଟାରେ ତାଙ୍କୁ ନେବାକୁ ଆସିଥିଲେ। କିନ୍ତୁ ଏକାଦଶୀ ସେତେବେଳକୁ ହଠାତ୍ ନିଖୋଜ ହୋଇଗଲେ। ଭିଣୋଇ ଖୋଜାଖୋଜି କରି ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ। ଫଳରେ ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ସେ ସହାୟତା ଲୋଡ଼ିଥିଲେ। ଏକାଦଶୀ ବିମାନବନ୍ଦରରୁ ବାହରିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଥିଲା। ତାଙ୍କ ଭିଣୋଇ ବହୁ ଖୋଜାଖୋଜି କରିବା ପରେ ଶେଷରେ ମୁମ୍ବାଇର ଏକ ଥାନାରେ ଏତଲା ଦେଇଥିଲେ। ଏହାମଧ୍ୟରେ ୮ଦିନ ବିତି ଯାଇଥିଲେ ହେଁ, ଏକାଦଶୀଙ୍କ ପତ୍ତା ମିଳୁନି। ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହେଉଥିବାରୁ ପରିବାର ସଦସ୍ୟ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଅପହରଣ କରି ନିଆଯାଇଥିବା ଆଶଙ୍କା କରାଯାଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।