ମହିଳା ବ୍ଲାକ୍‌ମେଲର୍‌ଙ୍କ ପାଲରେ ଓଡ଼ିଆ ଯୁବକ, ଦିଲ୍ଲୀରୁ ଆସୁଛି ଫ୍ରେଣ୍ଡ୍ ରିକୁଏଷ୍ଟ୍; କ୍ରାଇମ୍‌ବ୍ରାଞ୍ଚ୍‌ର ହାଇଆଲର୍ଟ

କଟକ : ଆପଣଙ୍କ ସହିତ କୌଣସି ଅଜଣା ଯୁବତୀ ମୁହଁ ଘୋଡ଼ାଇ ହ୍ବାଟସ୍‌ଆପ୍‌ କଲ୍‌ରେ ଅଶ୍ଳୀଳ ଭିଡିଓ ଚାଟ୍‌ କରୁଛନ୍ତି କି? ସାବଧାନ! ସାଇବର୍‌ ମହିଳା ବ୍ଲାକ୍‌ମେଲର୍‌ଙ୍କ ପାଲରେ ପଡ଼ିଯିବେ। କରୋନା ସମୟରେ ଓଡ଼ିଶାର ବହୁ ଯୁବକ ଏଭଳି ଠକେଇରେ ପଡ଼ିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। କୌଣସି ଅଜଣା ଯୁବତୀ ଫେସ୍‌ବୁକରେ ହ୍ବାଟ୍‌ସ୍‌ଆପ ନମ୍ବର ମାଗିଲେ ନଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦିଲ୍ଲୀ ତିଲକ୍‌ ନଗର, ମହାବୀର ନଗର, ବସନ୍ତ ବିହାର, ମୋହନ ଗାର୍ଡେନ୍‌, ସାହାଦରର ପୂର୍ବ ବାବରପୁର ସମେତ ବିହାର, ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ଅଛି। ଏହି ବ୍ଲାକ୍‌ମେଲରମାନେ ସାଧାରଣତଃ ଯୁବତୀ। କିନ୍ତୁ ଏମାନେ ଦିଲ୍ଲୀର ସ୍ଥାୟୀ ବାସିନ୍ଦା ନୁହନ୍ତି। ସେମାନେ ସିକିମ୍‌ କିମ୍ବା ତ୍ରିପୁରାର ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ କରୋନା ସମୟରେ ଏକାଧିକ ଜିଲ୍ଲାରେ ବ୍ଲାକ୍‌ମେଲ୍‌ କରି ଟଙ୍କା ଠକିଥିବା ଅଭିଯୋଗ ଆସିଛି। ପ୍ରଥମେ ଏହି ଗ୍ୟାଙ୍ଗ୍‌ର ଯୁବତୀ ଫେସବୁକରେ ଯୁବକଙ୍କୁ ଫ୍ରେଣ୍ତ ରିକୁଏଷ୍ଟ ପଠାଉଛନ୍ତି। ମେସେଞ୍ଜରରେ କଥାବାର୍ତ୍ତା କିଛି ଦିନ ଚାଲିଲା ପରେ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ହ୍ବାଟସ୍‌ଆପ୍‌ ନମ୍ବର ମାଗୁଛି। ନମ୍ବର ମିଳିଲା ପରେ ହ୍ବାଟସ୍‌ଆପ୍‌ରେ ଚାଟ୍‌ ଓ ପରେ ଭିଡିଓ କଲ୍‌ରେ କଥାବାର୍ତ୍ତା ଆରମ୍ଭ ହେଉଛି। ଧୀରେଧୀରେ ଯୁବତୀ ନିଜ ଆଡ଼ୁ ଅଶ୍ଳୀଳ ଭିଡିଓ କଲ୍‌ କରୁଛି। କିନ୍ତୁ ଭିଡିଓ କଲ୍‌ରେ ନିଜ ମୁହଁକୁ କପଡ଼ାରେ ଘୋଡ଼ାଇ ରଖି ଯୁବକଙ୍କୁ ସେଭଳି କରିବାକୁ କହୁଛି । ଯୁବକ ଜଣକ ଅଶ୍ଳୀଳ ଭିଡିଓ କଲ୍‌ କଲେ ସମ୍ପୃକ୍ତ ଯୁବତୀ ସ୍କ୍ରିନ୍‌ ରେକର୍ଡର‌୍‌ କିମ୍ବା ଭିଡିଓ ରେକର୍ଡର‌୍‌ ଆପ୍ଲିକେସନ୍‌ ମାଧ୍ୟମରେ ରେକର୍ଡି˚ କରି ଦେଉଛି। ସମ୍ପୃକ୍ତ ଯୁବକଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଏବ˚ ସୋସିଆଲ୍‌ ମିଡିଆରେ ଭିଡିଓ ସେୟାର କରିଦେବାକୁ ଧମକ ଦେଉଛି। ନିର୍ଦ୍ଦିଷ୍ଟ ଭାବେ ଗୁଗୁଲ ପେ, ଫୋନ୍‌ ପେ, କିମ୍ବା ଅନ୍ୟ କୌଣସି ୟୁପିଆଇ ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପଠାଇବାକୁ ବାଧ୍ୟ କରୁଛନ୍ତି ଏହି ଅନ୍‌ଲାଇନ୍‌ ବ୍ଲାକମେଲର‌୍‌ ଗ୍ୟାଙ୍ଗ୍‌। ଓଡ଼ିଶାର ଏକାଧିକ ଯୁବକ କରୋନା ସମୟରେ ଏଭଳି ଠକାମିରେ ପଡ଼ିଛନ୍ତି। ଏମାନେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିବା ବେଳେ ଲୋକ ଲଜ୍ଜା ଭୟରେ ନିଜ ନାମ ଗୋପାନ ରଖିବାକୁ କହିଛନ୍ତି। ସୋସିଆଲ୍‌ ମିଡିଆରେ କେହି ଅଜଣା ବ୍ୟକ୍ତି ଫ୍ରେଣ୍ତ ରିକୁଏଷ୍ଟ ପଠାଉଥିଲେ କିମ୍ବା ହ୍ବାଟସ୍‌ଆପ୍‌ରେ ଭିଡିଓ କଲ୍‌ କରୁଥିଲେ, ବିନା ଯାଞ୍ଚରେ ବନ୍ଧୁତା ନ ଯୋଡ଼ିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ୨୦୧୮ରେ ୮୬୭ଟି ସାଇବର‌‌ ଅପରାଧ ମାମଲା ରୁଜୁ ହୋଇଛି। ଏହି ବର୍ଷ କେବଳ ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା। ୨୦୧୯ରେ ୧ ହଜାର ୪୭୫ଟି ସାଇବର‌୍‌ ଅପରାଧ ମାମଲା ହୋଇଥିବା ବେଳେ ୩ ଜଣ ମହିଳା ଗିରଫ ହୋଇଛନ୍ତି। ୨୦୨୦ ବର୍ଷରେ ୧ ହଜାର ୯୩୧ ମାମଲା ହୋଇଥିବାବେଳେ ୧୦ ଜଣ ମହିଳା ଗିରଫ ହୋଇଛନ୍ତି। ଗଲା ୩ ବର୍ଷ ଭିତରେ ରୁଜୁ ହୋଇଥିବା ସମସ୍ତ ମାମଲାରୁ ୨ ହଜାର ୭୦୪ଟି ଅର୍ଥ ଠକେଇ ମାମଲା ରହିଥିବା ବେଳେ କରୋନା ସମୟରେ ପୂର୍ବ ବର୍ଷ ତୁଳନାରେ ମହିଳାଙ୍କ ଗିରଫଦାରୀ ସ˚ଖ୍ୟା ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ଅନଲାଇନ୍‌ ବ୍ଲାକମେଲର‌୍‌ ଗ୍ୟାଙ୍ଗ୍‌ର ସଦସ୍ୟ ଥିବାରୁ କ୍ରାଇମବ୍ରାଞ୍ଚ ଚିନ୍ତାରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର