ସମ୍ବଲପୁର : କାମ ଅନୁସନ୍ଧାନରେ ପଞ୍ଜାବକୁ ଯାଇଥିବା ସୋନପୁର ଜିଲ୍ଲାର ଗରିବ ମାଧ ବେହେରାଙ୍କ ପୁଅ ହରିଶ୍ଚନ୍ଦ୍ର ବେହେରା ଆଉ ସେଠାରୁ ଫେରିନାହାନ୍ତି। ଅମୃତସର ବିମାନ ବନ୍ଦରକୁ ଅନଧିକାର ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜେଲ୍ ହାଜତକୁ ପଠେଇ ଦିଆଯାଇଥିବା ବେଳେ ଏବେ ତାଙ୍କର ସନ୍ଧାନ ମିଳୁପାରୁ ନାହିଁ। ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ହରିଶ୍ଚନ୍ଦ୍ରଙ୍କ ଫେରିବା ବାଟକୁ ତାଙ୍କ ଗରିବ ବୃଦ୍ଧା ପିତାମାତା ଅନାଇ ବସିଛନ୍ତି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକ ନନ୍ଦନମାଳ ଗ୍ରାମର ହରିଶ୍ଚନ୍ଦ୍ର ଅଧିକ ଦୁଇ ପଇସା ରୋଜଗାର ଆଶାରେ ପଞ୍ଜାବକୁ ଯାଇଥିଲେ। ଅମୃତସର୍ ବିମାନ ବନ୍ଦରକୁ ଅନଧିକୃତ ଭାବେ ଚାଲି ଯାଇଥିଲେ। ପୁଲିସ ଏଫ୍ଆଇଆର୍ ଅନୁସାରେ ଗତ ୧୨ ଅଗଷ୍ଟ ୨୦୧୧ରେ ଅନଧିକୃତ ଭାବରେ ଅମୃତସର ବିମାନ ବନ୍ଦର ପରିସରକୁ ପ୍ରବେଶ କରିଆସିଥିବା ହେତୁ ତାଙ୍କୁ ଗିରଫ କରାଯାଇଥିଲା। ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇ ତାଙ୍କୁ ଅମୃତସର୍ କେନ୍ଦ୍ରୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏହି ଖବର ପାଇବା ପରେ ତାଙ୍କର ଗରିବ ବାପା ମାଧ ବେହେରା ତାଙ୍କୁ ଦେଖା କରିବାକୁ ୨୦୧୩ ମସିହାରେ ଅମୃତସର୍ ଯାଇଥିଲେ। ସେ ଆଇନର ସମ୍ବନ୍ଧରେ ଅନଭିଜ୍ଞ ଓ ଅର୍ଥାଭାବ ହେତୁ ଖାଲି ହାତରେ ଘରକୁ ଫେରି ଆସିଥିଲେ। ଯେତେବେଳେ ସେ ଦ୍ୱିତୀୟ ଥର ଦେଖାକରିବାକୁ ଯାଆନ୍ତି, ଜେଲ୍‌ କତ୍ତୃର୍ପକ୍ଷ ହରିଶ୍ଚନ୍ଦ୍ର ବେହେରା ନାମରେ କେହି ସେଠାରେ ନଥିବା କହିଥିଲେ। ତା’ ପରଠାରୁ ହରିଶ୍ଚନ୍ଦ୍ରଙ୍କ ବିଷୟ କିଛି ଖୋଜ୍ ଖବର ମିଳି ନାହିଁ।

ଗତ ୨୦୧୯ ମସିହାରେ ଯେତେବଳେ ଜ୍ଞାନଦତ୍ତ ଚୌହାନ(ସେ ସମୟର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର ଏବଂ ବର୍ତ୍ତମାନ ଓକିଲ) ଏ ସମ୍ବନ୍ଧରେ ଜାଣିବା ପରେ ସେ ପଞ୍ଜାବ ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ‌ଚୌହାନଙ୍କ ଅଭିଯୋଗକୁ ମାନବ ଅଧିକାର ଆୟୋଗ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ଶ୍ରୀ ଚୌହାନଙ୍କ କହିବା ଅନୁସାରେ, ଅମୃତସର୍ ପୁଲିସ କମିଶନର ଦ୍ଵାରା ପଞ୍ଜାବ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିକଟରେ ଜମା କରାଯାଇଥିବା ତଥ୍ୟ ଅନୁଯାୟୀ ହରିଶ୍ଚନ୍ଦ୍ରଙ୍କୁ ଗତ ୧୧ ନଭେମ୍ବର ୨୦୧୩ରେ ଅମୃତସର୍ କେନ୍ଦ୍ରୀୟ ଜେଲରୁ ଜାମିନରେ ଛଡ଼ା ଯାଇଥିଲା। ତେବେ, ପରବର୍ତ୍ତୀ ସମୟରେ ସେ କୋର୍ଟରେ ହାଜର ନହେବାରୁ ଗତ ୯ ମାର୍ଚ୍ଚ ୨୦୧୭ରେ ପଳାତକ ଘୋଷଣା କରାଯାଇଛି। କିନ୍ତୁ, ଏହି ରିପୋର୍ଟରେ ଜାମିନ କିମ୍ବା ଅନ୍ୟ କୌଣସି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ଯଦି, ଏହି ରିପୋର୍ଟରେ ସତ୍ୟତା ଥାଆନ୍ତି, ତାହେଲେ କାହିଁକି ଜଣ ବ୍ୟକ୍ତିଙ୍କର କିଛି ବି ଅପରାଧିକ ପୃଷ୍ଠଭୂମି ନଥିବା ସତ୍ତ୍ୱେ ଘରକୁ ଫେରି ନଥାନ୍ତା ବୋଲି ଅଭିଯୋଗକାରୀ ଜ୍ଞାନଦତ୍ତ ଚୌହାନ ଆପତ୍ତି ଉଠାଇଛନ୍ତି। ଏହା ସଂପୂର୍ଣ୍ଣ ଭାବେ ମୌଳିକ ଅଧିକାର ଏବଂ ମାନବାଧିକାର ଉଲ୍ଲଂଘନ ହୋଇଥିବା ଶ୍ରୀ ଚୌହାନ ଅଭିଯୋଗ କରିଛନ୍ତି। ବିଚାର ବିଭାଗୀୟ ହେପାଜତରୁ ହିଁ ବ୍ୟକ୍ତି ଜଣକ ଅଦୃଶ୍ୟ ହେଇଥିବା ସେ ମାନବ ଅଧିକାର ଆୟୋଗଙ୍କୁ ଦର୍ଶାଇଛନ୍ତି। ଏହି ମୋକଦ୍ଦମାର ଶୁଣାଣି ପାଇଁ ଆସନ୍ତା ୧ ମେ ୨୦୨୨ରେ ତାରିଖ ଧାର୍ଯ୍ୟ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ହରିଶ୍ଚନ୍ଦ୍ର ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଗତ ୨୦୧୧ ମସିହାରୁ ନିଖୋଜ ହେବା ପରେ ତାଙ୍କ ପିତାମାତା ଅଭାବ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି। ଅନେକ ଅଧିକାରୀଙ୍କଠାରେ ଗୁହାରି କରି ନିରାଶ ହୋଇଛନ୍ତି। ସେମାନଙ୍କର ଏକମାତ୍ର ପୁଅ ଦିନେ ନା’ ଦିନେ ଘରକୁ ଫେରି ଆସିବାର ଆଶା ନେଇ ସେମାନେ ଜୀବିତ ରହିଛନ୍ତି।