ଦୁବାଇରୁ ଉଦ୍ଧାର ହେଲେ ଅସୁସ୍ଥ ଓଡ଼ିଆ ଯୁବକ

‌ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକ

ଦୁବାଇ/ଭୁବନେଶ୍ବର : ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ବାଇଧରଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ କରିଥିଲେ। ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିବା ସହ ଦୂତାବାସ ସହ ନିୟମିତ ଯୋଗାଯୋଗରେ ଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର ନିରାକାରଙ୍କ ବଡ଼ପୁଅ ବାଇଧର କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ୫ମାସ ହେବ କାମ କରି ଆସୁଥିଲେ। କିନ୍ତୁ ହଠାତ୍‌ ଅସୁସ୍ଥ ହେବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ସେ ଉକ୍ତ କମ୍ପାନିରୁ ଇସ୍ତଫା ଦେଇ ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ। ହେଲେ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ବକେୟା ଦରମା ମଧ୍ୟ ଦେଉନଥିଲେ। ଅସହାୟ ବାଇଧର ସେଠାରେ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଥିଲେ ଏବଂ ଅସୁସ୍ଥତା କାରଣରୁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଏ ନେଇ ନିରାକାର ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପଣ୍ଡାଙ୍କ ଉଦ୍ୟମରେ ଆଜି ବାଇଧର ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ମହାନୀୟତା ପାଇଁ ବାଇଧରଙ୍କ ପରିବାର ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର