ସ୍ୱାଧୀନ ଭାରତର ନବନିର୍ମାଣରେ ଓଡ଼ିଆଙ୍କ ବଳିଷ୍ଠ ଭୂମିକା ରହିଥିଲା

ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ମଧ୍ୟରାତ୍ର ଆଭାସ ସ୍ୱାଧୀନତା ସମାରୋହ

ଭୁବନେଶ୍ବର: ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତୁଳନୀୟ ଥିଲା। ପରବର୍ତ୍ତୀ କାଳରେ ସ୍ୱାଧୀନ ଭାରତର ନବନିର୍ମାଣରେ ମଧ୍ୟ ଓଡ଼ିଆମାନଙ୍କର ବଳିଷ୍ଠ ଭୂମିକା ରହିଥିଲା। ବିଶ୍ବ ଓଡ଼ିଶା ସମାଜ(ବି.ଓ.ସ) ପକ୍ଷରୁ ଆୟୋଜିତ ମଧ୍ୟରାତ୍ର ଆନ୍ତର୍ଜାତିକ ଆଭାସି ସ୍ୱାଧୀନତା ସମାରୋହରେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ନେତୃବୃନ୍ଦ ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି। ‘ବୀର ପାଇକର ଗୌରବ ଗାଥା’ ଶୀର୍ଷକ ଏହି ୱେବିନାର୍‌କୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିଥିଲେ। ଡ. ପାତ୍ର ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟ ଓ ଓଡ଼ିଆମାନଙ୍କର ମନ, ପ୍ରାଣ ଓ ହୃଦୟ ସଦାସର୍ବଦା ଜନ୍ମ ମାଟିର କଲ୍ୟାଣ ପାଇଁ ଆନ୍ଦୋଳିତ ହେଉଛି ବୋଲି କହିଥିଲେ।

ସମାରୋହରେ ପୌରୋହିତ୍ୟ କରି ‘ବିଶ୍ୱ ଓଡ଼ିଶା ସମାଜ’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓଡ଼ିଶାର ଉତ୍କର୍ଷତାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା (ବି.ଓ.ସ)ର ମୂଳ ଲକ୍ଷ୍ୟ ବୋଲି କହିଥି‌ଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ସୁପୁତ୍ର ସୁନୀଲ ଶାସ୍ତ୍ରି ଓଡ଼ିଆମାନଙ୍କୁ ରତ୍ନ ଆଖ୍ୟା ଦେଇ ସବୁ ଜାଗାରେ ସେମାନେ ଦେଶ ଓ ଜାତି ପାଇଁ ଯଶ ଅର୍ଜନ କରୁଥିବା ଦର୍ଶାଇଥିଲେ। ଭାରତବର୍ଷର ଗୌରବ ବର୍ଦ୍ଧନ କରି ଆସିଥିବା ଓଡ଼ିଶାର ବିଶେଷ ଯୋଗଦାନ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ ମସିହାର ପାଇକ ବିଦ୍ରୋହରୁ ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ଶାସ୍ତ୍ରୀ ସୂଚାଇଥିଲେ।

କେନିଆର ସାଂସଦ ଡ. ସ୍ୱରୂପ ରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆମର ଶକ୍ତି ଓ ସାମର୍ଥ୍ୟକୁ ପୁନର୍ଜୀବିତ କରି ନିଜର ଉତ୍କୃଷ୍ଟତାକୁ ପ୍ରମାଣିତ କରିବାକୁ ସାରା ବିଶ୍ୱର ଓଡ଼ିଆ ସମ୍ପ୍ରଦାୟକୁ ଆହ୍ୱାନ ଜଣାଇଥିଲେ।

ରାଜ୍ୟ ଯୁବ, କ୍ରୀଡ଼ା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଆଜିର ଯୁବପିଢ଼ି ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ଆଦର୍ଶ ଓ ବଳିଦାନରୁ ପ୍ରେରଣା ଲାଭ କରିବାକୁ ପରାମର୍ଶ ଦେଇଥି‌ଲେ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡା. ଅଶୋକ ମହାପାତ୍ର ଉଭୟ ଭିତର ଓ ବାହାରର ଶକ୍ତି ଆମ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଥିବା ସୂଚାଇ ଏଥିପ୍ରତି ସତର୍କ ରହିବାକୁ ଉପଦେଶ ଦେଇଥିଲେ। ଆୟକର ପ୍ରମୁଖ କମିସନର ମନୋରଞ୍ଜନ ପାଣିଗ୍ରାହୀ ଭାରତୀୟ ସ୍ୱାଧୀନତା ସମଗ୍ର ପୃଥିବୀ ଇତିହାସରେ ବିରଳ ବୋଲି କହିଥିଲେ।

ବି.ଓ.ସର ବରିଷ୍ଠ ସଦସ୍ୟ ଅକ୍ଷୟ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଲୋଚନାରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ. ନଳିନୀ ପତି, ଓଡ଼ିଶା ସମାଜ ୟୁକେର ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ନ୍ୟୁଜିଲାଣ୍ଡରୁ ପ୍ରେମ ନେପାକ, ଦକ୍ଷିଣ କୋରିଆରୁ ଡ. ସିତାଂଶୁ ଶେଖର ନନ୍ଦ, ବାହାରିନ୍‌ରୁ ସୁବାସ ସାହୁ, ଭୁବନେଶ୍ୱରୁ ହୃଷୀକେଶ ପାତ୍ର ଓ ଦୁର୍ଗାମାଧବ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର