ଭୁବନେଶ୍ବର: ଗ୍ରାମୀଣ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଓରମାସ୍‌ ଆଜି ୬ଟି ପ୍ରତିଷ୍ଠିତ ସଂସ୍ଥା ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ସଂସ୍ଥା ଭିତରେ ରହିଛି, ଲୁଧିଆନା ସ୍ଥିତ ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ(ଆଇଆଇଏମ୍ଆର୍), ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍), ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲୁଏସ୍‌ସି), ସରକାରୀ ଇ-ମାର୍କେଟ୍ ପ୍ଲେସ୍ (ଜିଇଏମ୍), ଉଷା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଓ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ (ଟିଡିସିସିଓଏଲ୍)। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲକା ଆରୋରା ମିଶ୍ର ପ୍ରମୁଖ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଓରମାସ ତରଫରୁ ନିର୍ଦ୍ଦେଶିକା ତଥା ସିଇଓ ଗୁହା ପୁନମ ତାପସ କୁମାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ସ୍ୱାକ୍ଷର ଦ୍ୱାରା ଗ୍ରାମୀଣ କାରିଗର, କୃଷକ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗ, ମହିଳା ଗୋଷ୍ଠୀ, ସ୍ୱଧାର ଗୃହ ଅନ୍ତେବାସୀଙ୍କ ଦକ୍ଷତା ବିକାଶ, ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ଦିଗରେ ସହାୟକ ହୋଇପାରିବ। ଗ୍ରାମୀଣ ସାମଗ୍ରୀର ମାର୍କେଟିଂ, ଦକ୍ଷତା ବିକାଶ ଦିଗରେ ଅନେକ ସମ୍ଭାବନା ତିଆରି କରିବ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ଓରମାସ୍‌ ପ୍ରଗତି, ନବଦିଗନ୍ତ ଓ ସହଯୋଗ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଆରମ୍ଭ କରିଛି। ଏହି ବୁଝାମଣାପତ୍ର ଗୁଡ଼ିକ ସହଭାଗୀ ଲକ୍ଷ୍ୟକୁ ଆଗକୁ ନେବା ସହ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ସଚିବ ଶ୍ରୀ ଲୋହାନୀ କହିଥିଲେ, ରାଜ୍ୟ କ୍ଷେତ୍ରୀୟ ଯୋଜନା ଅଧୀନରେ ଓରମାସ ଦ୍ୱାରା ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ମିଳିତ ଉଦ୍ୟମ ପରିବର୍ତ୍ତନ ଓ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ। ଗ୍ରାମୀଣ କାରିଗରଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ନିର୍ଦ୍ଦେଶିକା ଶ୍ରୀମତୀ ଗୁହା ପୁନମ କହିଥିଲେ, ଗ୍ରାମୀଣ ଉତ୍ପାଦକ ଓ ଓରମାସ ଦ୍ୱାରା ଗଠିତ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ସାମାଜିକ ବିକାଶ ଆଭିମୁଖ୍ୟ ଦିଗରେ ଅଭିଯାନ ଆରମ୍ଭ ହୋଇଛି।