କଟକ/ଭୁବନେଶ୍ବର/ପୁରୀ: ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ରତ୍ନଭଣ୍ଡାରରେ ସାଇତା ହୋଇଥିବା ରତ୍ନ ଓ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛନ୍ତି। ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଆଉ ୧୯୭୮ ମସିହାରେ ଗଣତି ତାଲିକାକୁ ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ୨୦୨୨ ଅଗଷ୍ଟ ୮ରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ରତ୍ନଭଣ୍ଡାର ମରାମତି ନେଇ ଚିଠି କରାଯାଇଥିଲା। ରତ୍ନଭଣ୍ଡାର ସ୍ଥିତି ଖରାପ ଯୋଗୁଁ ଏହାର ସଂରକ୍ଷଣ ଓ ମରାମତି ଆବଶ୍ୟକ ଥିବାରୁ ଏଏସ୍‌ଆଇକୁ ଏହାର ମରାମତି ପାଇଁ ଅନୁମତି ଦିଆଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରକୁ ଚିଠି ଲେଖିଥିଲା। ଆଉ ଏହାକୁ ଏକବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାବତ ନା ପରିଚାଳନା କମିଟି ନା ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଇ ନାହାନ୍ତି। ତେଣୁ ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ଗତ ମାସ୧୧ତାରିଖରେ ଶ୍ରୀମନ୍ଦିର ନିତି ପ୍ରଶାସକ କୋର୍ଟଙ୍କ ନିର୍ଦ୍ଦେଶ ମତେ ଦାଖଲ କରିଥିଲେ ସତ୍ୟ ପାଠ।

Advertisment

ସେପଟେ ରତ୍ନଭଣ୍ଡାର ସ୍ଥିତି ଖରାପ । ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସର୍ଚ୍ଚଲାଇଟ୍ ପକାଇବା ପରେ ଛାତର ସ୍ଥିତି ଖରାପ ଥିବା ଜଣାପଡିଥିଲା। ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ମାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି କି ରାଜ୍ୟ ସରକାର ଏହା କରିବାକୁ ଦେଉନାହାନ୍ତି। ରତ୍ନଭଣ୍ଡାର ଖୋଲିବା ସହ ମରାମତି ଆବଶ୍ୟକ ରହିଛି। ଆଉ ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିୟମ ରହିଛି ପ୍ରତି ୩ ବର୍ଷରେ ଗଣତି ହେବ। ହେଲେ ତାହା ବି ଅନୁପାଳନ କରାଯାଇନାହିଁ । ତେବେ କୌଣସି ଚୋରି ହୋଇନାହିଁ। କେବଳ ପ୍ରସାଶନିକଙ୍କ ଆନ୍ତରିକତା ରହିଲେ ହିଁ ଆଇନ ବିଭାଗ ଅନୁମତି ଦେଲେ ଖୋଲାଯିବ ବୋଲି କହିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର।

ଶ୍ରୀମନ୍ଦିର ପରିଚାଳନା କମିଟି ନିୟମ ଅନୁସାରେ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ସାମଗ୍ରୀ ଗଣତି ହେବା ନେଇ ନିୟମ ରହିଛି। ହେଲେ ଦୀର୍ଘ ୪୫ବର୍ଷ ଧରି ଆଉ ଗଣତି କରାଯାଉନାହିଁ। ରତ୍ନଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଛି। ଯଦି ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଚାହିଁବେ ତେବେ ପରିଚାଳନା କମିଟି ବୈଠକରେ ସଂକଳ୍ପ ଆଣି ରାଜ୍ୟ ସରକାରଙ୍କ ବିଧି ବିଭାଗକୁ ଅବଗତ କରାଇବେ। ଆଉ ସରକାରଙ୍କ ଅନୁମତି ଆସିଲେ ରତ୍ନଭଣ୍ଡାର ଖୋଲିପାରିବ ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର।