କାନ ପାଖରେ ଏକ ବିରାଟ ଘା: ଅସହାୟ ହୋଇ ବଞ୍ଚୁଛି ଅନାଥ ଶିଶୁ, ପଚାରିବାକୁ କେହି ନାହାନ୍ତି

ମାଥିଲି: ସଂଜୟ ପୂଜାରୀ। ବୟସ ୧୪ ବର୍ଷ ହେବ। ଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ମେକା ଗ୍ରାମରେ। ସଂଜୟକୁ ମାତ୍ର ୫ ବର୍ଷ ହୋଇଥିବା ବେଳେ ବାପା ଓ ମାଆ ଅଜଣା ରୋଗର ଶିକାର ହୋଇ ମୃତ୍ୟୁବରଣ କଲେ। ସଂଜୟ ବାପା ଓ ମାଆକୁ ହରାଇ ଏବେ ଅସହାୟ ଜୀବନ ବଂଚୁଛି। ନିଜର ବୋଲି କେହି ନଥିବାରୁ ଗ୍ରାମବାସୀଙ୍କ ସହାୟତାରେ ସେ ଦିନ କାଟୁଛି। କେହି ଦେଲେ କିଛି ଖାଉଛି ନଚେତ ଭୋକରେ ଶୋଇପଡୁଛି।

ଏବେ ସବୁଠାରୁ ବଳିଯାଇଛି ସଂଜୟର ଡାହାଣ କାନ ପାଖରେ ଏକ ବଡ ଘା ହେବା। ଦୀର୍ଘ ଦିନ ହେଲା ଏହା ଭଲ ହୋଇପାରୁନାହିଁ।ନିଜର ବୋଲି କେହି ନଥିବାରୁ ଉଚିତ ଚିକିତ୍ସା ଇପାରୁନାହିଁ। ଏହା ଧୀରେ ଧୀରେ ବଡ ହେବାକୁ ଲାଗିଲାଣି। ଏହି ଅଜଣା ରୋଗର ଶିକାର ହୋଇ ଦିନରାତି ଯନ୍ତ୍ରଣା ପାଉଥିବା ସଂଜୟ କହିଛି। ଆହା ବୋଲି ପଚାରିବାକୁ କେହି ନାହାନ୍ତି। ସେ ବାପା ମାଆଙ୍କର ମୃତ୍ୟୁ ସଂପର୍କରେ ଅବଗତ ରହିଥିଲେ ମଧ୍ୟ କିପରି ତାଂକର ମୃତ୍ୟୁ ହେଲା କିଛି କହିପାରୁନାହିଁ। ପାଠ ପଢିବାକୁ ମନ ଥିଲେ ମଧ୍ୟ ତାକୁ କେହି ପାଠ ପଢାଇବା ପାଇଁ ଉତ୍ସାହିତ କରୁନଥିବା ଦେଖିବାକୁ ମିଳିଛି।

ଅନ୍ୟଦିଗରେ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ଶିଶୁ ସଂପର୍କିତ କ୍ୟାମ୍ପ କୋର୍ଟ ଚାଲିଥିବା ବେଳେ ସଞ୍ଜୟ ବିଷୟରେ କିପରି କେହି ଜାଣିପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରହିବାକୁ ଏକ ଛୋଟିଆ କୁଡିଆ ଘର ରହିଥିବା ବେଳେ ଶୀତ କାକରରେ ସେହି ଘରେ ସଂଜୟ ପଡି ରହିଥିବା ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ତରଫରୁ ସଂଜୟକୁ ଉଦ୍ଧାର କରି ଶିଶୁ ଗୃହରେ ରଖିବା ସହ ତାର ଚିକିତ୍ସା କରାଇବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର