ରାଜ୍ୟର ସମସ୍ତ ଅଞ୍ଚଳ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅଧୀନରେ ଥିବା ପିତୃମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁମାନଙ୍କର ସର୍ବେକ୍ଷଣ କରାଯିବ

ଭୁବନେଶ୍ବର : ରାଜ୍ୟର ସମସ୍ତ ଅଞ୍ଚଳ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅଧୀନରେ ଥିବା ପିତୃମାତୃହୀନ ଶିଶୁ ଏବଂ ଏକକ ଅଭିଭାବକ ଥିବା ଶିଶୁମାନଙ୍କର ସର୍ବେକ୍ଷଣ କରାଯିବ। ପ୍ରତି ଜିଲ୍ଲାରେ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତା ନିଆଯିବ। ଶିଶୁମାନଙ୍କ ସୁରକ୍ଷିତ ଶୈଶବ ଓ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯାଉଛି।

ମହିଳା ଓ ଶିଶୁ ବିକାଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବେକ୍ଷଣ ପାଇଁ ଏକ ଫର୍ମାଟ୍ ପ୍ରସ୍ତୁତ କରାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏହି ଫର୍ମାଟ୍‌ରେ ଅଙ୍ଗନବାଡ଼ି ସୁପର୍‌ଭାଇଜର୍‌ମାନଙ୍କୁ ଦେବେ। ଅଙ୍ଗନବାଡ଼ି ସୁପର୍‌ଭାଇଜର୍‌ମାନେ ଏହାକୁ ଭଲ ଭାବେ ଯାଞ୍ଚ କରିବା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଦୁଇଟି ଫର୍ମାଟ୍‌ ମଧ୍ୟରୁ ଗୋଟିଏରେ ପିତୃମାତୃହୀନ ଶିଶୁ ଏବଂ ଆଉ ଗୋଟିଏ ଫର୍ମାଟ୍‌ରେ ଏକକ ଅଭିଭାବକ ଥିବା ଶିଶୁଙ୍କ ସମସ୍ତ ତଥ୍ୟ ସଂଲଗ୍ନ କରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମୋଦନ ପରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍‌ ଶକ୍ତି ବିଭାଗକୁ ପଠାଇବେ। ସର୍ବେକ୍ଷଣ ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୫ ତାରିଖ ଭିତରେ ଏହା ଶେଷ ହେବ। ଏ ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ନିରାପଦ ଜୀବନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଶିଶୁ ପ୍ରଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ ଓ ବିଜୁ ଶିଶୁ ସୁରକ୍ଷା ଯୋଜନା ଆଦି କାର୍ଯ୍ୟକାରୀ ହେଉଛି। କିନ୍ତୁ ଠିକ୍ ଭାବେ ଚିହ୍ନଟ ହୋଇପାରି ନ ଥିବାରୁ ଅନେକ ସମୟରେ ଏହି ଶିଶୁମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ସମ୍ଭବ ହେଉ ନାହିଁ। ତେଣୁ ଏହି ବର୍ଗର ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଶିଶୁ ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରୟାସ କରାଯାଉଛି ବୋଲି ପ୍ରମୁଖ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର