ଭୁବନେଶ୍ୱର: ଅତୀତରେ ଓଡ଼ିଆ ସିନେମାର କାହାଣୀ, ସଂଗୀତ, ଭାବାବେଗ ଅତି ଉଚ୍ଚକୋଟୀର ଥିଲା। ଓଡ଼ିଆ ସିନେମାରେ ଓଡ଼ିଶାର ସାମାଜିକ ଜୀବନ, ସାହିତ୍ୟ, କଳା, ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳୁଥିଲା। କିନ୍ତୁ ଧୀରେ ଧୀ‌ରେ ଏହି ଛାପ ରହିଲା ନାହିଁ। ଦକ୍ଷିଣୀ ଚଳଚ୍ଚିତ୍ରକୁ କପି ପେଷ୍ଟ କରିବା ଯୋଗୁଁ ଓଡ଼ିଆ ସିନେମା ଅବକ୍ଷୟର ସାମ୍ନା କଲା। କିଛି ଟା ଭଲ ସିନେମା ତିଆରି ହେଲେ ହେଁ ଭିତ୍ତିଭୂମି ଅଭାବ ଯୋଗୁଁ ପ୍ରଯୋଜକଙ୍କ ମୂଳ ଟଙ୍କା ଉଠିଲା ନାହିଁ। ମଲଟିପ୍ଲେକ୍ସମାନଙ୍କରେ ଓଡ଼ିଆ ସିନେମାକୁ ହତାଦର କରାଗଲା। ଯାହା ସିନେମାକୁ ତଳକୁ ତଳକୁ ନେଇଗଲା। ତେବେ ଓଡ଼ିଆ ସିନେମା ଶିଳ୍ପକୁ ଆଗକୁ ନେବା ପାଇଁ ଏକ ନୀତିଗତ ନିଷ୍ପତ୍ତିର ଆବଶ୍ୟକତା ରହିଛି ବୋଲି ହୋଟେଲ ନ୍ୟୁ ମାରିୟନରେ ସଂଜୟ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ଅଫ୍‌ ରିଲ୍ସ, ରୋମାନ୍ସ ଆଣ୍ଡ ରିଟେକ୍ସ’ (ସୋସିଆଲ ନ୍ୟାରେଟିଭ୍‌ସ ଅଫ୍‌ ସିନେମା ଇନ୍‌ ଓଡ଼ିଶା)ର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ।

Advertisment

ଅଭିନେତା ସୁକାନ୍ତ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଯୋଗଦେଇ ଓଡ଼ିଆ ସିନେମା ଆରମ୍ଭ ସମୟର ଅଙ୍ଗେଲିଭା‌ କଥା‌ ବଖାଣି ଥିଲେ। ମୁଖ୍ୟବକ୍ତା ମୁମ୍ବାଇର ବରିଷ୍ଠ ଆୟକର ଅଧିକାରୀ ଜାହାନଜେବ୍‌ ଅଖତାର୍‌ ଲେଖକଙ୍କ ଦୃଷ୍ଟିଭଙ୍ଗୀ, ଲେଖିବା ଶୈଳୀ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଟ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ସଂଜୟ ପଟ୍ଟନାୟକ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ପୁସ୍ତକ ସମୀକ୍ଷା କରିଥିଲେ। ପୁସ୍ତକର ଲେଖକ ଶ୍ରୀ ପଟ୍ଟନାୟକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପୁସ୍ତକର ପ୍ରକାଶନୀ ସଂସ୍ଥା ରୋଲଟଲେଜର ଅଧିକାରୀ ସତ୍ୟନାରାୟଣ ସାବତ୍‌ ଧନ୍ୟବାଦ ଦେଇଥିଲେ।