ରାୟଗଡ଼ା: ସୀମାନ୍ତ ଗାଁ ପ୍ରତି ଶିକ୍ଷା ବିଭାଗର ଚରମ ଅବହେଳା। ପିଲା କମ୍ ଦର୍ଶାଇ ତରବରିଆ ଭାବେ ବନ୍ଦ କରିଦେଲେ ବିଦ୍ୟାଳୟ। ଏଭଳି ଉଦାସୀନତାର ଶିକାର ହୋଇ ଓଡ଼ିଆ ପିଲା ଏବେ ଯାଉଛନ୍ତି ଆନ୍ଧ୍ର ବିଦ୍ୟାଳୟ। ଯାହା ଫଳରେ ଅସ୍ତିତ୍ବ ହରାଇବାକୁ ଯାଉଛି ଓଡ଼ିଆ ଶିକ୍ଷା। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ସୀମାକୁ ଲାଗି ରହିଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ। ତେଣୁ ତେଲୁଗୁ ଭାଷାର ଯଥେଷ୍ଟ ପ୍ରଭାବ ଏହି ଜିଲ୍ଲାରେ ଦେଖିବାକୁ ମିଳେ। ବିଶେଷ କରି ଆନ୍ଧ୍ର ସୀମାନ୍ତ ଗାଁଗୁଡ଼ିକରେ ତେଲୁଗୁ ହିଁ ପ୍ରଚଳିତ ଭାଷା। ଯେଉଁଠି ପିଲା ଓଡ଼ିଆ ମାଧ୍ୟମ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେଠାରେ ଓଡ଼ିଆ ଲେଖିବା ସହ କହୁଛନ୍ତି। କିନ୍ତୁ ଶିକ୍ଷା ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ କିଛି ଅଞ୍ଚଳରେ ଓଡ଼ିଶା ଭାଷା ଲୋପ ପାଇବାକୁ ଯାଉଛି। କାରଣ ଗତ ୫ବର୍ଷ ମଧ୍ୟରେ ସୀମାନ୍ତରେ ରହିଥିବା ୧୧ଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ବନ୍ଦ ହୋଇଯାଇଛି।
ଗାଜିଗାଁ ପଞ୍ଚାୟତର ଜଙ୍ଗେଶୁ ପ୍ରାଥମିକ ବିଦ୍ୟାଳୟ, କେରେଡ଼ା ପଞ୍ଚାୟତର ତୁଳସୀବାଲସା ଓ ଚିନାପେଡ଼ମ, ଜେମାଦେଇପେଣ୍ଠ ପଞ୍ଚାୟତର କନ୍ଧଝିମିଡି ଓ ସାନରାଇସିଂ, ହାଟଶେଷଖାଲ ପଞ୍ଚାୟତର କେଶେଡ଼ା ଓ ରଣାଗୁଡ଼ା, ବୈରାଗିହାଲୁଆ ପଞ୍ଚାୟତର ସାନଲୁକୁଟି ଓ ବଡ଼ଲୁକୁଟି, ତାଡ଼ମା ପଞ୍ଚାୟତର ହଲୁକି ଏବଂ ଉର୍ଜଗୁଡ଼ା ବିଦ୍ୟାଳୟକୁ ୨୫ରୁ କମ ପିଲା ଥିବା ଦର୍ଶାଇ ବନ୍ଦ କରାଯାଇଛି। ଏହାପରେ ବନ୍ଦ ବିଦ୍ୟାଳୟର ପିଲାମାନେ କେଉଁଠି ପାଠ ପଢ଼ିବେ ସେହି ବ୍ୟବସ୍ଥା କରାଗଲା ନାହିଁ। ଯଦି କିଛି ସ୍ଥାନରେ ବ୍ୟବସ୍ଥା କରାଗଲା ପିଲାଙ୍କୁ ଗାଁ ଠାରୁ ବହୁ ଦୂରକୁ ଯିବା ପଡ଼ିଲା। ଏମିତି ସ୍ଥିତିରେ ଶହେରୁ ଊର୍ଦ୍ଧ୍ବ ପିଲା ଶିକ୍ଷାରୁ ବଞ୍ଚିତ ହୋଇ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଗାଁ ଠାରୁ ଅଳ୍ପ ଦୂରରେ ରହିଥିବା ଆନ୍ଧ୍ର ସରକାରଙ୍କ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢ଼ୁଛନ୍ତି।
ଅପରପକ୍ଷରେ ଓଡ଼ିଶାର ପିଲାଙ୍କୁ ଆନ୍ଧ୍ର ବିଦ୍ୟାଳୟଗୁଡ଼ିକରେ ଆଦରି ନିଆଯାଇଛି। ଆନ୍ଧ୍ର ସରକାରଙ୍କ ସମସ୍ତ ସୁବିଧା ସହ ସୁଯୋଗ ପିଲାଙ୍କୁ ମିଳୁଛି। ତେଣୁ ପିଲାମାନେ ଓଡ଼ିଆ ଭାଷାକୁ ଭୁଲି ଯାଇଥିବା ବେଳେ ଗାଁରେ ବି ତେଲୁଗୁ ଭାଷାରେ କଥାବର୍ତ୍ତା କରୁଛନ୍ତି। ସେହିପରି ଅଭିଭାବକ ମଧ୍ୟ ପିଲାଙ୍କୁ ଆନ୍ଧ୍ର ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ତେଲୁଗୁ କହିବା ଉପରେ ଗୁରୁତ୍ବ ଦେଇଛନ୍ତି। ଭାଷା ସହ ଆନ୍ଧ୍ର ସଂସ୍କୃତି ବି ଧୀରେ ଧୀରେ ସୀମାନ୍ତ ଗାଁକୁ ଅକ୍ତିଆର କଲାଣି। ଓଡ଼ିଆ ଭାଷା ପ୍ରତି ଏମିତି ବିପଦ ସୃଷ୍ଟି ହେବାପରେ ବୁଦ୍ଧିଜୀବୀ ତୁରନ୍ତ ବନ୍ଦ ରହିଥିବା ବିଦ୍ୟାଳୟ ଖୋଲିବାକୁ ବାରମ୍ବାର ଦାବି କରିଛନ୍ତି। ଏପରିକି ନୂଆ ବିଦ୍ୟାଳୟ ଖୋଲିବାକୁ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ନିବେଦନ କରିଛନ୍ତି। ତଥାପି କୌଣସି ଫରକ ପଡ଼ୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ସୀମାନ୍ତ ଗାଁ ନୁହଁ ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ୩୮୮ଟି ବିଦ୍ୟାଳୟ ବନ୍ଦ ହୋଇ ସାରିଲାଣି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ବନ୍ଦ ବିଦ୍ୟାଳୟ ସଂପର୍କରେ ରିପୋର୍ଟ ଦିଆଯାଇଛି। ଯଥାଶୀଘ୍ର ସୀମାନ୍ତ ଗାଁର ବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ। ସେହିପରି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି, ଏହି ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତି।