ସତର୍କ ରହିବାକୁ ଜିଲ୍ଲାମାନଙ୍କୁ ଚିଠି ଲେଖିଲା ଓସାକ୍ସ

ମଙ୍କିପକ୍ସ ପରୀକ୍ଷା ପାଇଁ ଆରଏମ୍‌ଆରସିକୁ ଅନୁମତି ଦେବାକୁ ନିବେଦନ କଲେ ନବ

ଭୁବନେଶ୍ବର: ଦେଶରେ ମଙ୍କିପକ୍ସ ଜନିତ ମାମଲା ବଢ଼ିବାରେ ଲାଗିଛି। ବର୍ତମାନସୁଦ୍ଧା ୮ଜଣ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ତେବେ ଓଡ଼ିଶାରେ ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି। ସମଲିଙ୍ଗୀ, ତୃତୀୟଲିଙ୍ଗୀ ଓ ‌ଯୌନକର୍ମୀଙ୍କ କ୍ଷେତ୍ରରେ ଅଧିକ ସଂଖ୍ୟାରେ ମଙ୍କିପକ୍ସ ମାମଲା ନଜରକୁ ଆସୁଛି। ତେଣୁ ଏଥିପାଇଁ ସତର୍କ ରହିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସକୁ ଚିଠି ଜାରି ହୋଇଥିଲା। ଓସାକ୍ସ ପକ୍ଷରୁ ଏବେ ଜିଲ୍ଲାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଏସ୍‌ଓପି ସହିତ ସତର୍କ ରହିବା ଲାଗି କୁହାଯାଇଛି। ଓସାକ୍ସ ଅଧୀନରେ ଥିବା ସମନ୍ବିତ କାଉନସେଲିଂ ଓ ପରୀକ୍ଷା କେନ୍ଦ୍ର ବା ଆଇସିଟିସିକୁ ଆସୁଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ଚିହ୍ନଟ ଓ ସଚେତନ କରିବା ଲାଗି ନିର୍ଦେଶ ଦିଆଯାଇଥିବା ଓସାକ୍ସ ପକ୍ଷରୁ ସୂଚନା ମିଳିଛି।

ଦେଶର ୧୫ଟି ଲାବୋରେଟାରିକୁ ମଙ୍କିପକ୍ସର ପରୀକ୍ଷା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଭୁବନେଶ୍ବରରେ ଥିବା ଆରଏମ୍‌ଆରସିକୁ ଏ ପର୍ଯ୍ୟନ୍ତ ଅନମୁତି ମିଳିନାହିଁ। ଯେହେତୁ ଏକାଧିକ ରାଜ୍ୟରେ ଏହି ମାମଲା ନଜରକୁ ଆସିଲାଣି ଏ ଦୃଷ୍ଟିରୁ ଆରଏମ୍‌ଆରସିକୁ ପରୀକ୍ଷଣ ଲାଗି ଅନୁମତି ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅନୁରୋଧ କରିଛନ୍ତି। କୋଭିଡ ସମୟରେ ଆରଏମ୍‌ଆରସି କୋଭିଡ ପରୀକ୍ଷଣ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇଥିଲା। ଯାହାଫଳରେ ରାଜ୍ୟବାସୀ ମଧ୍ୟ ଉପକୃତ ହୋଇଥିଲେ। ତେଣୁ ଆରଏମ୍‌ଆରସିକୁ ଅନୁମତି ଓ ଆବଶ୍ୟକ କିଟ୍‌ ଯୋଗାଇଦେବାର ଏବେ ସମୟ ଆସିଥିବା ଶ୍ରୀ ଦାସ କହିଛନ୍ତି।
ଅପରପକ୍ଷରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍କିପକ୍ସର ଚିହ୍ନଟ ଓ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସା ପାଇଁ ଭେଷଜ ବିଭାଗର ପ୍ରଫେସର ଡା.ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ଭେଷଜ, ଶିଶୁରୋଗ ଓ ଚର୍ମରୋଗ ଓ ଓସାକ୍ସ ଅଧୀନରେ ଥିବା ସମସ୍ତ ଜିଲ୍ଲାସ୍ତରୀୟ ପରାମର୍ଶ ଅଧିକାରୀଙ୍କୁ ରୋଗ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ। ଆସନ୍ତା ୧୦ତାରିଖ ସୁଦ୍ଧା ଏହି ତାଲିମ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର