ଗଣଶିକ୍ଷା ସଚିବଙ୍କୁ ଓଏସ୍‌ସିପିସିଆର ଅଧ୍ୟକ୍ଷଙ୍କ ପ୍ରସ୍ତାବ: ୬ଷ୍ଠରୁ ୮ମ ଶ୍ରେଣୀ ଖୋଲଯାଉ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହଜାରେ ଉପରେ ରହୁଛି। ସେଥିମଧ୍ୟରୁ ଶତାଧିକ ଶିଶୁ ଆକ୍ରାନ୍ତ ହେଉଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ଏହି ଲହରରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା’ପରେ ବି ପ୍ରାଥମିକ ବିଦ୍ୟାଳୟର ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଓଡ଼ିଶା ଅଭିଭାବକ ମହାସଂଘ ଏଭଳି ପ୍ରସ୍ତାବକୁ ବିରୋଧ କରିଛି। ଶିଶୁଙ୍କ ପ୍ରତି ବିପଦ ରହିଥିବା ବେଳେ ଏଭଳି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ଓଏସ୍‌ସିପିସିଆର ଅଧ୍ୟକ୍ଷା ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଗତ ୧୨ ତାରିଖରେ ଆକ୍ସନଏଡ୍‌ ଓ ୱାର୍ଲ୍ଡଭିଜନ ସହାୟତାରେ ଏକ ଆଲୋଚନାଚକ୍ର ହୋଇଥିଲା। ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ସିଭିଲ୍‌ ସୋସାଇଟ୍‌, ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସାମିଲ ହୋଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ମତ ଦେଇଥିଲେ। ତେବେ ପ୍ରାଥମିକ ବଦଳରେ ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ଆୟୋଗ ପ୍ରସ୍ତାବ ଦେଉଛନ୍ତି। ପ୍ରତି କ୍ଲାସ ପାଇଁ ଅତି କମ୍‌ରେ ସପ୍ତାହକୁ ଦୈନିକ କିମ୍ବା ଦୁଇ ଦିନ ବ୍ୟବଧାନରେ ଦେଢ଼ ଘଣ୍ଟା ଲେଖାଏଁ କ୍ଲାସ କରାଯାଉ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ପରାମର୍ଶ ନିଆଯାଇ ଦିନ ଧାର୍ଯ୍ୟ ହେଉ। ଏଥିସହ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଓ କ୍ଲାସରୁମ୍‌ ପ୍ରସ୍ତୁତ ଲାଗି ଏସ୍‌ଏମ୍‌ସିଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଅର୍ଥ ଦିଆଯାଉ। ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାଜନିତ କ୍ଷତିପୂରଣ ଦେବା ପାଇଁ ୨୦୧୫ରେ ବ୍ୟବସ୍ଥା କରାଯାଇଛି। ତେଣୁ ତାହାକୁ କୋଭିଡ୍‌-୧୯ କ୍ଷେତ୍ରରେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର