ସମ୍ବଲପୁର : ଚୁକ୍ତିଭିତ୍ତିକ ନିଯୁକ୍ତି ହିଁ ଗୁଣବତ୍ତା ହ୍ରାସର ମୁଖ୍ୟ କାରଣ। ଦେଶରେ ବେକାରୀ ସମସ୍ୟା ବଢ଼ି ଚାଲିଥିବା ବେଳେ ଯୋଗ୍ୟ ପ୍ରାର୍ଥୀଙ୍କୁ ମଧ୍ୟ ଅତି କମ୍ ଦରମାରେ ଚୁକ୍ତିଭିତ୍ତିକ ଚାକିରି କରିବାକୁ ପଡ଼ୁଛି। ଫଳସ୍ବରୂପ ଶିକ୍ଷା ହେଉ କି ସ୍ବାସ୍ଥ୍ୟ ସବୁଥିରେ ଗୁଣବତ୍ତା କମିବା ସ୍ବାଭାବିକ ହୋଇପଡ଼ିଛି।
ରବିବାର ସ୍ଥାନୀୟ ନାରୀସେବା ସଦନଠାରେ ଚାଲିଥିବା ଓଡ଼ିଶା ସେଲ୍ସ ଏକ୍ସୁକ୍ୟୁଟିଭ୍ ଆସୋସିଏସନର ଚତୁର୍ଦ୍ଦଶ ରାଜ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ ଏଭଳି ମତବ୍ୟକ୍ତ କରିଥିଲେ। ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ସଙ୍କୁ ଡାକ୍ତର କିଭଳି ଭାବେ ସମୟ ପ୍ରଦାନ କରିବେ ସେନେଇ ଏକ ବୈଠକ କରାଯାଇ ସମସ୍ୟାଗୁଡ଼ିକର ସମାଧାନ କରାଯିବ ଓ ଓଏସ୍ଇଏର ଗେଷ୍ଟ ହାଉସ୍ ପାଇଁ ସମ୍ବଲପୁରରେ ଜମି ଖଣ୍ଡେ କିଭଳି ମିଳିବ ସେନେଇ ଚେଷ୍ଟା କରିବାକୁ ଡା.ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ‘ସମ୍ବାଦ ସମ୍ବଲପୁର ସଂସ୍କରଣର ଉପ ମହାପ୍ରବନ୍ଧକ ଦେବେନ୍ଦ୍ର ସମାନ୍ତରାୟ ଉଦ୍ବୋଧନ ଦେଇ କହିଥିଲେ, ସେଲ୍ସ କ୍ଷେତ୍ରରେ ରହିଥିବା ଅଧିକାଂଶ ବ୍ୟକ୍ତି ବହୁ ସମୟରେ ଚାପଗ୍ରସ୍ତ ଓ ବିଷାଦଗ୍ରସ୍ତ ହୋଇପଡ଼ନ୍ତି। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି, ସକାରାତ୍ମକ ମନୋବୃତ୍ତି ଓ କାର୍ଯ୍ୟପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚେ ଆସିବ। ନିଜର ହକ୍ ଓ ନିଯୁକ୍ତି ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଉପସ୍ଥିତ ସେଲ୍ସ ଏକ୍ସୁକ୍ୟୁଟିଭ୍ ଓ ରିପ୍ରେଜେଣ୍ଟେଟିଭ୍ମାନଙ୍କୁ ଶ୍ରୀ ସାମନ୍ତରାୟ ପରାମର୍ଶ ଦେଇଥିଲେ।
ଜି.କେ.ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏଆଇଏଫ୍ଏସ୍ଇଏର କାର୍ଯ୍ୟକାରୀ କମିଟି ସଦସ୍ୟ ପି.କେ.ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଔଷଧ ଶିଳ୍ପକୁ ଜିଏସ୍ଟି ମୁକ୍ତ କରିବାକୁ ଦାବି କରିଥିଲେ। ସରକାରଙ୍କର ଜନ ଔଷଧି ଯୋଜନାରେ ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ, ଆଇଡିପିଏଲ୍ ଭଳି ରାଷ୍ଟ୍ରାୟତ୍ତ କମ୍ପାନି ହିଁ ସହଯୋଗ କରୁଛନ୍ତି। ମାତ୍ର ସରକାର ଏଗୁଡ଼ିକୁ ମଧ୍ୟ ଘରୋଇ କରଣ କରି ଜେନେରିକ୍ ମେଡିସିନ୍ର ଗୁଣବତ୍ତା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ସିହ୍ନା ତାଙ୍କ ବକ୍ତବ୍ୟରେ କହିଥିଲେ। ଉପସଭାପତି ଲଲିତ ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ସମୟରେ ସାଧାରଣ ସମ୍ପାଦକ ରାଣା ଚାଟାର୍ଜୀ, ୟୁନିଟ୍ ମୁଖ୍ୟ ଗଣେଶ ପରିଡ଼ା ପ୍ରମୁଖଙ୍କ ତତ୍ତ୍ବାବଧାନରେ ସମ୍ମିଳନୀ ସଂପନ୍ନ ହୋଇଥିଲା। ଅପରାହ୍ଣରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ଆସୋସିଏସନ୍ର ବିଭିନ୍ନ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ସମଗ୍ର ରାଜ୍ୟରୁ ସେଲ୍ସ ଏକ୍ସୁକ୍ୟୁଟିଭ୍ ଓ ରିପ୍ରେଜେଣ୍ଟେଟିଭ୍ମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/oaea.jpg)