ତାରକସି କାରିଗରଙ୍କ ପାଇଁ ଖୁସି ଖବର : ଓଏସ୍‌ଆଇସି ବିକିବ ରୁପା କଞ୍ଚାମାଲ

କଟକ : ତାରକସି କାରିଗରଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କୁ ଆଉ ରୁପା କଞ୍ଚାମାଲ ପାଇଁ ବମ୍ବେ ବେପାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଉତ୍ତମ ଗୁଣାତ୍ମକ ମାନର ରୁପ‌ା ବଜାର ଦରଠୁ କମ୍‌ ମୂଲ୍ୟରେ ଯୋଗାଇ ଦେବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି)। ଆଜି ଏଥିପାଇଁ ଓଏସ୍‌ଆଇସି କର୍ତୃପକ୍ଷ କେନ୍ଦ୍ର ସରକାରଙ୍କ ମେଟାଲ୍‌ସ ଆଣ୍ଡ ମିନିରାଲ୍‌ ଟ୍ରେଡିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(ଏମ୍‌ଏମ୍‌ଟିସି) ସହିତ ଆଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ବିଶ୍ବ ପ୍ରସିଦ୍ଧ କଟକର ତାରକାସୀ ଶିଳ୍ପକୁ ‘ଜିଆଇ’ ଟ୍ୟାଗ୍‌ ମାନ୍ୟତା ଦେବାକୁ ବି ଓଏସ୍‌ଆଇସି ଅଣ୍ଟା ଭିଡ଼ିଛି। ଏଥିପାଇଁ ଆବଶ୍ୟକୀୟ ରେକର୍ଡ ସଂଗ୍ରହରେ ଲାଗି ପଡ଼ିଛନ୍ତି କର୍ତୃପକ୍ଷ।

ଉଲ୍ଲେଖଯୋଗ୍ୟ, କଟକକୁ ତାରକସି ଶିଳ୍ପର ହବ୍‌ କୁହାଯାଏ। ପାଞ୍ଚ ଶହ ବର୍ଷରୁ ଅଧିକ ପୁରାତନ ଏହି ସୂକ୍ଷ୍ମ ତାରକସି କାରୁକାର୍ଯ୍ୟ ସାରା ବିଶ୍ବରେ ପ୍ରସିଦ୍ଧ। ଏମିତି ଯେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କଟକର ଏଇ ନିଖୁଣ କାରୁକାର୍ଯ୍ୟରେ ଆକୃଷ୍ଟ ହୋଇ ପାଣିରେ ଭାସୁଥିବା ଏକ ରୁପାର ଗୋଲାପ ଫୁଲ ଉପହାର ଆକାରରେ ନେବା ସହିତ ଆଉ ୫୦ଟି ଫୁଲ ନେବାକୁ ସେ ସମୟରେ ବରାଦ ଦେବା ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ବିଡ଼ମ୍ବନା; ବିଶ୍ବ ବିଖ୍ୟାତ ଏଇ ତାରକସି ଶିଳ୍ପ ସଂପ୍ରତି ଆବଶ୍ୟକୀୟ ପ୍ରଚାରପ୍ରସାର ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ରୁଗ୍‌ଣ ହେବାରେ ଲାଗିଛି। କେତେବେଳେ କଞ୍ଚାମାଲକୁ ନେଇ ସମସ୍ୟା ତ କେତେବେଳେ ବେପାରରେ ମାନ୍ଦାବସ୍ଥା ବ୍ୟବସାୟୀଙ୍କୁ ନିରାଶ କରୁଛି। ଏଭଳି ସ୍ଥିତିରେ ଉତ୍ତମ ଗୁଣାତ୍ମକ ମାନର କଞ୍ଚାମାଲ ପାଇଁ ନିକଟରେ କାରିଗର ସଂଘ ଓ ବ୍ୟବସାୟୀ ସଂଘ ଓଏସ୍‌ଆଇସିର ହସ୍ତକ୍ଷେପ ଲୋଡ଼ିଥିଲା। ଓଏସ୍‌ଆଇସି କର୍ତୃପକ୍ଷ ଏ ନେଇ ଏମ୍‌ଏମ୍‌ଟିସିକୁ ଏକ ପ୍ରସ୍ତାବ ଦେବା ପରେ ଆଜି ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି। ଓଏସ୍‌ଆଇସିର ଚେୟାରମ୍ୟାନ୍ ଚିନ୍ମୟ କୁମାର ସାହୁ, ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ସାହାଣୀ କିଛି ତାରକସୀ ବ୍ୟବସାୟୀଙ୍କ ସହିତ ଭୁବନେଶ୍ବରସ୍ଥିତ ଏମ୍‌ଏମ୍‌ଟିସି ଲିମିଟେଡ୍‌ର ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇ ଜେନେରାଲ୍‌ ମ୍ୟାନେଜର୍‌ ଆର୍‌.ଏନ୍‌. ମାରାଣ୍ଡି, ମ୍ୟାନେଜର୍‌ ଉତ୍ପଳ ଚାଟାର୍ଜୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରସ୍ତାବ ମୁତାବକ ଉତ୍ତମ ଗୁଣାତ୍ମକ ମାନର କାଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଏମ୍‌ଏମ୍‌ଟିସି କର୍ତୃପକ୍ଷ ରାଜି ହୋଇଥିବା ଚେୟାରମ୍ୟାନ୍‌ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଉଭୟ କାରିଗର ଓ ବ୍ୟବସାୟୀ ସଂଘ ପୃଥକ୍‌ ଭେଟି କଞ୍ଚାମାଲ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଆମେ ଏମ୍‌ଏମ୍‌ଟିସିକୁ ପ୍ରସ୍ତାବ ଦେଇଥିଲୁ, ଯାହାକୁ ସେମାନେ ଗ୍ରହଣ କରିଛନ୍ତି। ପ୍ରସ୍ତାବନୁଯାୟୀ, କାରିଗର ଓ ବ୍ୟବସାୟୀ ସଂଘ ତରଫରୁ ଯେତିକି ପରିମାଣର କାଞ୍ଚାମାଲ ଅର୍ଡର ଆସିବ, ସେହି ଅନୁଯାୟୀ ଏମ୍‌ଏମ୍‌ଟିସିଠୁ ଅଣାଯାଇ ଯୋଗାଇ ଦିଆଯିବ। ଏହାଦ୍ବାରା କାରିଗର ଓ ବ୍ୟବସାୟୀ ଲାଭବାନ୍‌ ହେବେ।

ସମ୍ବନ୍ଧିତ ଖବର