୨୪ବର୍ଷ ପରେ ବାଲଟ୍‌ ବକ୍ସ ଯୋଗାଇବ ଓସ୍‌ଆଇସି

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟକୁ ଯୋଗାଇବ ୧୫ହଜାର ବକ୍ସ

ଡିସେମ୍ବର ଶେଷ ସୁଦ୍ଧା ଯୋଗାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ

କଟକ : ଦୀର୍ଘ ୨୪ବର୍ଷ ପରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି)। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ‘ବାଲଟ୍‌ ବକ୍ସ’ ଯୋଗାଇବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ୧୫ହଜାର ବାଲଟ୍‌ ବକ୍ସ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାପାଇଁ ନିର୍ଦ୍ଦେଶ ରହିଛି।

ସାରାରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବ୍ୟବହାର କରାଯିବନି। ଏଥିପାଇଁ ବାଲଟ୍‌ ବକ୍ସ ଓ ପେପର୍‌ ହିଁ ବ୍ୟବହାର କରାଯିବ। ନିର୍ବାଚନ ସମୟରେ ରାଜ୍ୟର ୩୦ଟି ଜିଲ୍ଲାର ୬୨୩୪ଟି ପଞ୍ଚାୟତରେ ଏହାକୁ ବ୍ୟବହାର କରାଯିବ। ପୂର୍ବରୁ ବିଭିନ୍ନ ନିର୍ବାଚନ ସମୟରେ ବ୍ୟବହାର ହୋଇଥିବା ବାଲଟ୍‌ ବକ୍ସକୁ ସୁରକ୍ଷିତ ରଖାଯାଇଛି। ଏହାକୁ ବାଦ୍‌ଦେଲେ ଅଧିକ ୧୫ହଜାର ବାଲଟ୍‌ ବାକ୍ସର ଆବଶ୍ୟକତା ରହିଛି। ଫଳରେ , ଏହି ବକ୍ସ ଯୋଗାଣ ପାଇଁ ସରକାର ଓଏସ୍‌ଆଇସିକୁ ଚୟନ କରିଥିଲେ। ଏହାକୁ ଯୋଗାଣ ନିମନ୍ତେ ଓଏସ୍‌ଆର୍‌ସି ନିକଟରେ ଅଭିଜ୍ଞତା ରହିଛି। ପୂର୍ବରୁ ଅର୍ଥାତ୍‌ ୧୯୯୭ ମସିହାରେ ନିଗମ ୨୫ହଜାର ବାଲଟ୍‌ ବକ୍ସ ଯୋଗାଣ କରିଥିଲା।

ତେଣୁ ତାହାକୁ ଆଧାର କରି ଓଏସ୍‌ଆଇସି ଏଥିରେ ରାଜି ହୋଇଥିଲା। ଏଥିନି‌ମନ୍ତେ ନିର୍ବାଚନ କମିସନଙ୍କ ପାଖରେ ଯୋଗାଣ ହେବାକୁ ଥିବା ବକ୍ସର ନମୁନା ଦିଆଯିବା ସହ ‌ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଲ୍‌-୧ରେ ଆସିଥିବା ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ ଚୟନ କରାଯିବା ସହ ୧୫ହଜାର ବାଲଟ୍‌ ବକ୍ସ ଯୋଗାଣ ପାଇଁ ଚିଠି କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ଟେଣ୍ଡର ନେଇଥିବା ସଂସ୍ଥା ଓଏସ୍‌ଆଇସିକୁ ଯୋଗାଇବ ଓ ଓଏସ୍‌ଆଇସି ଏହାକୁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଓଏସ୍‌ଆଇସି ପକ୍ଷରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କିପରି ଧାର୍ଯ୍ୟ ସମୟ ସୀମା‌ ମଧ୍ୟରେ ଏହି ଯୋଗାଣ କରାଯିବ ସେଥିପାଇଁ ଏକ ସମୀକ୍ଷା ବୈଠକ ମଧ୍ୟ ଟେଣ୍ଡର ନେଇଥିବା ସଂସ୍ଥା ସହିତ କରାଯାଇଛି।

ଦୀର୍ଘ ୨୪ବର୍ଷ ପରେ ଓସ୍‌ଆଇସି ଉପରେ ଆସ୍ଥା ପ୍ରକଟ କରି ବାଲାଟ୍‌ ବକ୍ସ୍‌ ଯୋଗାଣ ପାଇଁ ନିର୍ବାଚନ କମିସନ ଓ ସରକାର ନିଷ୍ପତ୍ତି ନେଇଥିବାରୁ ଓଏସ୍‌ଆଇସିର ଅଧ୍ୟକ୍ଷ ଚିନ୍ମୟ ସାହୁ ସାହୁ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର