ଓମ୍‌ସାର ଆନ୍ଦୋଳନ ଧମକ, ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତି ଓ ଅବସର ବୟସ ବୃଦ୍ଧିକୁ ବିରୋଧ

ଭୁବନେଶ୍ବର : ରାଜ୍ୟ ବାହାରର ଡାକ୍ତରଙ୍କ ନିଯୁକ୍ତି ସହିତ ଅବସର ସମୟସୀମା ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା। ଆସନ୍ତା ମାର୍ଚ ୧୩ ତାରିଖ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ପର୍ଯ୍ୟାୟକ୍ରମେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏହାଦ୍ବାରା ଜନସାଧାରଣଙ୍କ ସ୍ବାସ୍ଥ୍ୟବେସାର ବ୍ୟାଘାତ ହେଲେ ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଓମ୍‌ସା ପକ୍ଷରୁ ‌‌ଚେତାବନୀ ଦିଆଯାଇଛି।

ଆଜି ଓମ୍‌ସା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓମ୍‌ସା ସଭାପତି ଡା.ନାରାୟଣ ରାଉତ କହିଲେ, ରାଜ୍ୟ ସରକାର ଏକତରଫା ଭାବେ ଡାକ୍ତରଙ୍କ ଅବସର ବୟସକୁ ୬୨ରୁ ୬୫ବର୍ଷକୁ ବୃଦ୍ଧି କରିଛନ୍ତି। ଯାହାକି ସଂପୂର୍ଣ୍ଣ ଜନ ବିରୋଧୀ ନିଷ୍ପତ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ରାଜ୍ୟରେ ପ୍ରତିବର୍ଷ ୧ହଜାରରୁ ଅଧିକ ଡାକ୍ତର ଉତ୍ତୀର୍ଣ୍ଣ ହେଉଥିବା ବେଳେ ରାଜ୍ୟ ସରକାର ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ସ୍ଥାନୀୟ ଡାକ୍ତର ଉପେକ୍ଷିତ ହେବେ। ତେଣୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପ୍ରତିବର୍ଷ ଓପିଏସ୍‌ସି ଜରିଆରେ ଓଡ଼ିଶାର ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉ।

ସେହିପରି ୨୦୦୬ ମସିହାରୁ କେନ୍ଦ ସରକାର ଡାକ୍ତରଙ୍କୁ ଡିଏସିପି ପ୍ରଦାନ କରି ଆସୁଛନ୍ତି। ୨୦୧୮ ସୁଦ୍ଧା ପଡ଼ୋଶୀ ରାଜ୍ୟ ସେମାନଙ୍କ ଡାକ୍ତରଙ୍କୁ ୪,୯,୧୩ ଓ ୨୦ବର୍ଷରେ ସମୟାନୁଭିତ୍ତିକ ଡିଏସିପି ପ୍ରଦାନ କରି ଆସୁଛନ୍ତି। ତେଣୁ ରାଜ୍ୟ ସରକାର କେନ୍ଦ୍ରୀୟ ହାରରେ ଡିଏସିପି ଲାଗୁ କରାଗଲେ ନୂତନ ଡାକ୍ତର ଆକୃଷ୍ଟ ହେବା ସହିତ ଖାଲି ପଡ଼ିଥିବା ଡାକ୍ତରୀ ପଦବି ପୂରଣ ହୋଇପାରିବ। ଦନ୍ତ ଚିକିତ୍ସକ ଓଡ଼ିଶା ମେଡିକାଲ ସର୍ଭିସେସରେ ସାମିଲ ହୋଇଥିଲେ ହେଁ ସେମାନଙ୍କର କ୍ୟାଡର ପୁନର୍ବିନ୍ୟାସ ହୋଇନାହିଁ। ସେମାନଙ୍କ କ୍ୟାଡର ପୁନର୍ବିନ୍ୟାସ ସହିତ ଡିଏସିପି ପ୍ରଦାନ କରାଯାଉ। ଏହାସହ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଆଡହକ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନି‌ୟମାବଳି ଅନୁସାରେ ରାଜ୍ୟ ପାଇଁ ୪୫ହଜାର ଡାକ୍ତର ଆବଶ୍ୟକ ଥିବା ବେଳେ ୮୭୧୯ ସରକାରୀ ଡାକ୍ତର ପଦବି ରହିଛି। ୩୫ଶହରୁ କମ୍ ସରକାରୀ ଡାକ୍ତର ଡାକ୍ତରଖାନା ସମ୍ଭାଳୁଛନ୍ତି। ତେଣୁ ରାଜ୍ୟର ସ୍ବାସ୍ଥ୍ୟସେବାର ଉନ୍ନତି ଓ ଭିତ୍ତିଭୂମି ସୁଦୃଢ଼ ପାଇଁ ଡାକ୍ତର ପଦବି ପୂରଣ କରିବା ଲାଗି ଓମ୍‌ସା ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ଡା.ବିଶ୍ବଜିତ ସାମଲ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମାର୍ଚ ୧୩ତାରିଖ ପରେ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧିବେ। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ ତାହାଲେ ଓପିଡି ସେବା ବନ୍ଦ ଓ ପରବର୍ତୀ ସମୟରେ କାର୍ଯ୍ୟବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର