ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସଓୟୁ) ସହ ଖେଳ ଖେଳାଯାଉଛି। ନାକ୍‌ ମାନ୍ୟତା ନାହିଁ ବୋଲି ୟୁଜିସି ନାମଲେଖାକୁ ଅନୁମତି ଦେଲା ନାହିଁ। ଆଉ ନାକ୍ ମାନ୍ୟତା ନମିଳିବା ପଛର କାରଣ ଶିକ୍ଷକ ପଦବି ନାହିଁ। ସବୁ ଜାଣିଥିଲେ ରାଜ୍ୟ ସରକାର। କିନ୍ତୁ ଶିକ୍ଷକ ଦେଲେନି। ଝୁଲାଇ ରଖାଗଲା ପ୍ରସ୍ତାବ। ବୈଠକ ଓ ଚିଠିପତ୍ରର ଗୋଲକଧନ୍ଦା ଭିତରେ ଛନ୍ଦି ହୋଇଗଲା ଓଏସ୍‌ଓୟୁ ପ୍ରସଙ୍ଗ। ପରିଣାମ ସ୍ବରୂପ ସ୍ନାତକ ଓ ସ୍ନାତକୋତ୍ତରର ୨୫ଟି ପାଠ୍ୟକ୍ରମରେ ବନ୍ଦ ରହିଛି ନାମଲେଖା। ନାମଲେଖାଇବାକୁ ଆଶା ବାନ୍ଧିଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗତ ଏପ୍ରିଲ ୧୦ ତାରିଖ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଏସଓୟୁରେ ଶିକ୍ଷକ ଓ ଅଣଶିକ୍ଷକ ସ୍ୱୀକୃତିପ୍ରାପ୍ତ ପଦବି ନଥିବାରୁ ଏକ ଆଲୋଚନା ବୈଠକ ହୋଇଥିଲା। ବୈଠକରେ ଉନ୍ନୟନ ଆୟୁକ୍ତ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ସମ୍ବଲପୁର ଓଏସ୍‌ଓୟୁ କୁଳପତି ପ୍ରମୁଖ ଯୋଗଦେଇଥିଲେ। ନାକ୍ ମାନ୍ୟତା ପାଇଁ ଶିକ୍ଷକଙ୍କ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ପରେ ୪୩ଟି ଶିକ୍ଷକ, ୧୪ଟି ଅଣଶିକ୍ଷକ, ୨ଟି ବିଭାଗୀୟ ଅଧିକାରୀ, ୪ଟି ବରିଷ୍ଠ ସହାୟକ ଏବଂ ୮ଟି କନିଷ୍ଠ ସହାୟକ ପଦ ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Advertisment

ଏହା ସହ ବିଶ୍ୱବିଦ୍ୟାଳୟର ସୁପରିଚାଳନା ନେଇ ମଧ୍ୟ ଅନ୍ୟ କେତେକ ନିଷ୍ପତ୍ତି ବୈଠକରେ ଗୃହୀତ ହୋଇଥିଲା। ହେଲେ, ଏଯାଏଁ କୌଣସି ଗୋଟିଏ ନିଷ୍ପତ୍ତି କାର୍ଯ୍ୟକାରୀ ହେଲାନି। ଅନ୍ୟ ପକ୍ଷରେ ଗତ ଜୁଲାଇରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅନୁସଚିବ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କେମିତି ପରିଚାଳନା ହେଉଛି? କେତେ ଶିକ୍ଷକ ଅଛନ୍ତି? କେତେ ରହିବା ଦରକାର? କେତେ ପିଲା ନାମ ଲେଖାଇଛନ୍ତି? ଏଭଳି କିଛି ତଥ୍ୟ ଲୋଡ଼ିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତ ଏପ୍ରିଲରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକର ନିଷ୍ପତ୍ତିକୁ ଉଚ୍ଚଶିକ୍ଷା ବିଭାଗ ଭୁଲିଗଲା କେମିତି? ନିଷ୍ପତ୍ତି କାର୍ଯ୍ୟକାରୀ କରିବା ବଦଳରେ ବିଶ୍ୱବିଦ୍ୟାଳୟକୁ ଚିଠି କରିବା ପଛର କାରଣ କଣ ହୋଇପାରେ? ନା ସବୁ ଜାଣିଶୁଣି ମୁକ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦିଆଯାଇଛି? ନାକ୍ ମାନ୍ୟତାରୁ ବଂଚିତ ମୁକ୍ତ ବିଶ୍ୱବିଦ୍ୟାଳୟ ନାମଲେଖା ଅନୁମତି ନପାଇ ନିଜର ସତ୍ତା ହରାଇବାକୁ ଆଡ଼କୁ ଗତି କଲାଣି। ଏଣୁ ଉଚ୍ଚଶିକ୍ଷା ବିଭାଗ ସବୁ ଜାଣିଶୁଣି ଓଏସ୍‌ଓୟୁ ସହ ଏଭଳି ଖେଳଖେଳିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।