ଭୁବନେଶ୍ବର : ନିଜ କର୍ମଚାରୀଙ୍କୁ ବସ୍ ଲିଜ୍ରେ ଦେବା ଘଟଣାରେ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ନିଗମ ଅଧୀନରେ ଯେତିକି ସଂଖ୍ୟକ ବସ୍ ଚାଲୁଛି ତହିଁର ୪୦ ପ୍ରତିଶତ ବସ୍ ଏବେ ଲିଜ୍ରେ ଚାଲୁଛି। ଏପରିକି ଏହାକୁ ଶତ ପ୍ରତିଶତ କରିବା ପାଇଁ ନିଗମ ପକ୍ଷରୁ ଉଦ୍ୟମ କରଯାଇଥିଲା। ମାତ୍ର ତାହା ସମ୍ଭବ ହୋଇପାରି ନାହିଁ। ତେବେ ନିଜ କର୍ମଚାରୀ ବସ୍ ମାଲିକା ହେବା ଘଟଣା ଧୀରେ ଧୀରେ ବିବାଦୀୟ ମୋଡ଼ ନେବାକୁ ବସିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଗମ ଅଧୀନରେ ସମୁଦାୟ ୪୬୩ଟି ବସ୍ ଚାଲୁଛି। ତହିଁରୁ ପ୍ରାୟ ୧୮୫ଟି ବସ୍କୁ ଲିଜ୍ରେ ଦେଇ ଦେଇଛି ନିଗମ। ୧୯୭୮ରେ ନିଗମର ପରିଚାଳନା ନେଇ ନିୟମ ପ୍ରଣୟନ ହୋଇଥିଲା। ମାତ୍ର ସେ ସମୟରେ ନିଜ କର୍ମଚାରୀଙ୍କୁ ବସ୍ ଲିଜ୍ରେ ଦେବାକୁ ନେଇ କୌଣସି ନିୟମ ନ ଥିଲା। ପ୍ରାୟ ୯/୧୦ବର୍ଷ ତଳେ ୧୨ ପର୍ଯ୍ୟାୟ ଚାର୍ଟରିଂ ବ୍ୟବସ୍ଥାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବସ୍ରେ କ୍ଷତିରେ ଚାଲୁଥିବା ଦର୍ଶାଇ ନିଜ କର୍ମଚାରୀଙ୍କୁ ଲିଜ୍ରେ ଦେବାକୁ ଆରମ୍ଭ କରିଥିଲା ନିଗମ। ନିଗମର ବୋର୍ଡରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଯାହାକି ଆଇନଗତ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଏବେ ପରିସ୍ଥିତି ଏପରି ହୋଇଛି ଯେ ସୌଖୀନ ବସ୍ଠାରୁ ଆରମ୍ଭ କରି ଏସି ଡିଲକ୍ସ ଓ ସାଧାରଣ ବସ୍ର ମାଲିକ ନିଗମର କର୍ମଚାରୀ ପାଲଟି ଯାଇଛନ୍ତି। ସେମାନଙ୍କ ହାତରେ ରହିଛି ନିଗମ ବସ୍ର ଭାଗ୍ୟ।
କିଛିବର୍ଷ ପୂର୍ବରୁ ଲିଜ୍ରେ ଦିଆଯାଇଥିବା ବସ୍ ପ୍ରକୃତରେ ଲାଭ କରୁଛି କି ନାହିଁ ତାହା ସଂପର୍କରେ ସମୀକ୍ଷା ହୋଇଥିଲା। ଲିଜ୍ ବ୍ୟବସ୍ଥାର ଆରମ୍ଭ ହେବାର ୫ବର୍ଷ ପୂର୍ବରୁ ନିଗମ ଅଧୀନରେ ଥିବା ବସ୍ କେତେ ବ୍ୟବସାୟ କରୁଥିଲା ଓ ଲିଜ୍ ଦିଆଯିବାର ୫ବର୍ଷ ପରେ କେତେ ବ୍ୟବସାୟ ହେଉଛି ତାହାର ଅନୁଧ୍ୟାନ କରାଯାଇଥିଲା। ମାତ୍ର ଏଥିରେ ଲିଜ୍ରେ ଦିଆଯିବା ଯୋଗୁଁ ସେଭଳି କୌଣସି ଆଖିଦୃଶିଆ ଲାଭ ହୋଇ ନ ଥିବା ଜଣାପଡ଼ିଥିଲା। ଏଭଳି ଘଟଣାକୁ ନେଇ ନିଗମର ଅଧିକାରୀମାନେ ପ୍ରଶ୍ନ ଉଠାଇଥିଲେ। ମାତ୍ର ପରବର୍ତୀ ସମୟରେ ଏହା ଦବି ଯାଇଥିଲା।
ତେବେ ୨ବର୍ଷ ପୂର୍ବରୁ ନିଗମ କୋଟି କୋଟି ଟଙ୍କାର ମୂଲ୍ୟରେ କିଣିଥିବା ସୌଖୀନ ଭଲ୍ଭୋ ବସ୍କୁ ମଧ୍ୟ ସମାନ ଢଙ୍ଗରେ ଲିଜ୍ ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଧାର୍ଯ୍ୟ ରୁଟ୍ରେ ବସ୍ ଚଳାଇବାରେ ବିଫଳ ହୋଇଥିବା ନିଗମ ମାତ୍ର କିଛି ମାସ ପରେ ଏହାକୁ ଲିଜ୍ରେ ଦେବାକୁ ସ୍ଥିର କରିଥିଲା। ପୁରୀ-କୋଲକାତା ଓ ଜୟପୁର-ରାଜମେହନ୍ଦ୍ରୀ ରୁଟ୍ରେ ଚାଲୁଥିବା ସୌଖୀନ ବସ୍କୁ ମଧ୍ୟ ନିଜ କର୍ମଚାରୀଙ୍କୁ ଲିଜ୍ ଆକାରରେ ଦିଆଯାଇଛି। ମାତ୍ର ଲିଜ୍ ଘଟଣାକୁ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ନାପସନ୍ଦ କରିଛନ୍ତି। ନିଗମ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କେଉଁ ପରିସ୍ଥିତିରେ ଏହି ଲିଜ୍ ଦିଆଗଲା ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏପରିକି ଆଗାମୀ ଦିନରେ ଏହି ବ୍ୟବସ୍ଥା ସଂପୂର୍ଣ୍ଣଭାବେ ବନ୍ଦ ହୋଇ ଯାଇପାରେ।
ଅପରପକ୍ଷରେ ବସ୍ ଚଳାଚଳକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହାର ଯାଞ୍ଚ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବିଭାଗ ବିଶେଷ ଗୁରୁତ୍ବ ଦେବା ଆରମ୍ଭ କରିଛି। ବସ୍ଗୁଡ଼ିକର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାହାଫଳରେ ନିଗମ ନିଜର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଜରିଆରେ ବସ୍ ଚଳାଇ ଲାଭ କରିପାରିବ। ଯେଉଁ ଯେଉଁ ରୁଟ୍ରେ ବସ୍ କ୍ଷତିରେ ଚାଲୁଛି ସେସବୁ ରୁଟ୍ରେ କ’ଣ ସମସ୍ୟା ରହିଛି ତାହା ଜାଣିବା ଲାଗି ବିଭାଗ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)