କୋଭିଡ୍ ହସ୍ପିଟାଲ୍‌ରେ ଓଏସ୍‌ଆର୍‌ଟିସି ଡ୍ରାଇଭର୍ ଏବଂ ପରିବାରର ୫ ସଦସ୍ୟ

ସଂସ୍ପର୍ଶରେ ଆସିଥିବା ୧୫ ଜଣଙ୍କ ସ୍ବାବ୍ ସଂଗ୍ରହ, ଦୁଇ ଗାଁରେ ୧୨ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ‌ବେଲଗୁଣ୍ଠା ବ୍ଲକ୍ ଗୋବରାରେ ରହୁଥିବା ଜଣେ ଓଏସ୍‌ଆର୍‌ଟିସି ବସ୍ ଡ୍ରାଇଭର୍ ଓ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ଼୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗୋବରା ଓ ବାସୁଦେବପୁରକୁ ୧୨ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହାସହ ଡ୍ରାଇଭର୍‌ଙ୍କ ସଂସ୍ପର୍ଶରେ ଆସିଥିବା ୧୫ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯାଇଛି।

ସୂଚନାନୁସାରେ, ଡ୍ରାଇଭର୍‌ ଜଣକ ଡ୍ୟୁଟି ଜାରି ରଖିଥିଲେ। କିଛି ଦିନ ତଳେ ତାଙ୍କୁ ଥଣ୍ଡା ଓ କାଶ ସହ ଭୀଷଣ ଜ୍ବର ହୋଇଥିଲା। ଔଷଧ ନଖାଇ ସୁସ୍ଥ ହେବାରୁ ସେ ସନ୍ଦେହରେ ଭଞ୍ଜନଗର ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଗତ ଶୁକ୍ରବାର ଦିନ ଶୀତଳାପଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ବାପା, ମା, ପୁଅ, ଝିଅ ଓ ପତ୍ନୀଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କର ବି ସ୍ବାବ୍ ନମୁନା ମଧ୍ୟ ସଂଗ୍ରହ ହୋଇଥିଲା। ଗତକାଲି ରାତିରେ ସମସ୍ତ ପରିବାର ସଦସ୍ୟଙ୍କୁ ମଧ୍ୟ କୋଭିଡ଼୍ ହସ୍ପିଟାଲ୍‌କୁ ପଠାଇଦିଆଯାଇଛି। ସେମାନେ ପଜିଟିଭ୍ କି ନାହିଁ, ଏନେଇ ପ୍ରାଶାସନିକସ୍ତରରେ ଆଜି ସୁଦ୍ଧା କିଛି ଘୋ‌ଷଣା କରାଯାଇନି। ଡ୍ରାଇଭର୍‌ଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ୧୫ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଗୋବରା ଗ୍ରାମ ମୁଖ୍ୟ ସଡ଼କକୁ ସାନିଟାଇଜ୍ କରାଯାଇଛି। ଅନ୍ୟପକ୍ଷରେ ‌ଆଜି ସକାଳ ୬ଟାରେ ଗୋବରା ସରପଞ୍ଚ ଇନ୍ଦିରାବାଇ ରାଜୁ ଗୋବରା ଓ ବାସୁଦେବପୁରକୁ ୧୨ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର