ଚନ୍ଦ୍ରଶେଖରପୁର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦେଉଛନ୍ତି। ସବୁ କ୍ଷେତ୍ରରେ ଅନ୍ଲାଇନ୍ ସେବା ବି ଆରମ୍ଭ ହେଉଛି। ଅନ୍ଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ କରିବାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ମଧ୍ୟ ପଛରେ ପଡ଼ିନାହିଁ। ଅନ୍ଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥାର ପ୍ରଚଳନ ଓ ବିଭିନ୍ନ ସୁଧାରମୂଳକ ବ୍ୟବସ୍ଥା ମାଧ୍ୟମରେ ଏହି ନିଗମକୁ ଲୋକପ୍ରିୟ କରାଇବା ଓ ଏକ ଲାଭଜନକ ସଂସ୍ଥାରେ ପରିଣତ କରାଇବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହାର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ମାତ୍ର ସରକାରୀ ବସ୍ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ଅଭିଯୋଗର ଫର୍ଦ୍ଦ ଲମ୍ବା ହୋଇ ଚାଲିଛି। ନିକଟରେ ଅନ୍ଲାଇନ୍ରେ ବସ୍ ଟିକଟ କାଟି କେମିତି ଜଣେ ଯାତ୍ରୀ ହଟହଟାର ଶିକାର ହୋଇଛନ୍ତି ତାହା ଏବେ ପଦାକୁ ଆସିଛି।
ରାଜଧାନୀରେ ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ପୁରୀର ସୁବ୍ରତ ବିଶୋଇ ନାମକ ଜଣେ ଯୁବକ ନିଜ ବନ୍ଧୁମାନଙ୍କ ସହିତ ଦଶହରା ଛୁଟିରେ କୋରାପୁଟ ବୁଲିବାକୁ ଯାଇଥିଲେ। ଅକ୍ଟୋବର୍ ୧ ତାରିଖରେ ସେଠାରୁ ଫେରିବା ନିମନ୍ତେ ଓଏସ୍ଆର୍ଟିସି ବସ୍ରେ ସେପ୍ଟେମ୍ବର ୨୫ ତାରିଖରେ ୫ଟି ଟିକେଟ୍ ଅନ୍ଲାଇନ୍ରେ ବୁକିଂ କରିଥିଲେ। ‘ମେକ୍ ମାଇଁ ଟ୍ରିପ୍’ରେ ଦୁଇଟି ଟିକେଟ୍ ଓ ‘ମୁଭିକୁଇକ୍’ରେ ୩ଟି ଟିକେଟ୍ ବୁକିଂ କରିଥିଲେ। ଅକ୍ଟୋବର୍ ୧ତାରିଖ ସନ୍ଧ୍ୟା ୭ଟାରେ ସେ କୋରାପୁଟରୁ ଫେରିଥାନ୍ତେ। ମାତ୍ର ସୁବ୍ରତ ଏବଂ ତାଙ୍କ ବନ୍ଧୁମାନେ ଉକ୍ତ ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ବସ୍ଷ୍ଟାଣ୍ଡ୍ରେ ପହଞ୍ଚିବା ବେଳକୁ ଯେଉଁ ବସ୍ ପାଇଁ ଟିକେଟ୍ ବୁକିଂ କରିଥିଲେ ସେହି ବସ୍ଟି ବାତିଲ୍ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ବସ୍ଟି ହଠାତ୍ କୌଣସି କାରଣରୁ ବାତିଲ୍ ହୋଇନଥିଲା। ବରଂ ଏହି ସମୟରେ କୌଣସି ବସ୍ ନଥିବା ସେଠାରେ ଉପସ୍ଥିତ ଓଏସ୍ଆର୍ଟିସି କର୍ମଚାରୀମାନେ କହିଥିଲେ। ବିନା କୌଣସି ପୂର୍ବ ସୂଚନାରେ ଏପରି ବସ୍ ବାତିଲ୍ କଥା ଶୁଣି ସୁବ୍ରତ ହତବାକ୍ ହୋଇପଡ଼ିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କ ଏହି ସଂସ୍ଥାର ଗ୍ରାହକ ସେବାକେନ୍ଦ୍ର ସହିତ ଯୋଗାଯୋଗ କରିିବାରୁ ଉତ୍ତର ମିଳିଥିଲା ଦୁର୍ଗାପୂଜାରେ ଭିଡ଼କୁ ଦୃଷ୍ଟିରେ ରଖି କେତେକ ସଂସ୍ଥା ଅନ୍ଲାଇନ୍ରେ ଏପରି ମିଥ୍ୟା ସୂଚନା ଦେଇଥିବା କୁହାଯାଇଥିଲା।
ସୁବ୍ରତ ବହୁ କଷ୍ଟରେ ଭୁବନେଶ୍ୱର ଫେରିବା ପରେ ଓଏସ୍ଆର୍ଟିସି କାର୍ଯ୍ୟାଳୟରେ ଏନେଇ ଅଭିଯୋଗ କରିବାରୁ କର୍ତ୍ତୃପକ୍ଷ ବେପରୁଆ ଭାବେ ତାଙ୍କୁ ଉତ୍ତର ଦେଇଥିଲେ। ଟିକଟ ଅର୍ଥ ଫେରାଇବା ନିମନ୍ତେ କହିବାରୁ ତାଙ୍କୁ କହିଥିଲେ ତୁମେ ଓଏସ୍ଆରଟିସି ଓ୍ଵବସାଇଟରେ ଟିକେଟ୍ ବୁକିଂ କରିନ। ଯେଉଁ ଘରୋଇ ସଂସ୍ଥା ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲ ସେହି ସଂସ୍ଥା ସହିତ ଯୋଗାଯୋଗ କର। ସୁବ୍ରତ ଏହାପରେ ଟିକେଟ୍ ବୁକିଂ କରିଥିବା ମୁଭି କୁଇକ୍ ସଂସ୍ଥାକୁ ଯୋଗାଯୋଗ କରିବାରୁ ତାଙ୍କୁ କୁହାଯାଇଥିଲା ଯେ, ଓଏସ୍ଆରଟିସି ବସ୍ ସେବା ବନ୍ଦ କରିଛି ବୋଲି ଆମକୁ ଜଣାଇନି। ଆମେ ଟିକେଟ୍ ବୁକିଂ କରିବାକୁ ଅନୁମତି ପାଇଛୁ। ତେଣୁ ବୁକିଂ ରଖିଲୁ। ଯଦି ଓଏସ୍ଆରଟିସି କର୍ତ୍ତୃପକ୍ଷ କହିବେ ଯେ, ସେଦିନ ବସ୍ ବାତିଲ୍ କରାଯାଇଥିଲା ତେବେ ଆମେ ଟିକେଟ ଅର୍ଥ ଫେରସ୍ତ କରିବୁ। ଅର୍ଥହାନି ପ୍ରାଣପୀଡ଼ା ନ୍ୟାୟରେ ଏପର୍ଯ୍ୟନ୍ତ ସେ ଟିକେଟ୍ ବାବଦରେ ପୈଠ କରିଥିବା ୩୩୩୫ ଟଙ୍କା ମଧ୍ୟ ଫେରସ୍ତ ପାଇନାହାନ୍ତି। ଏହା ମଧ୍ୟରେ ୧୦ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। କେବଳ ସୁବ୍ରତ ନୁହନ୍ତି, ତାଙ୍କ ଭଳି ଅନେକ ଶିକ୍ଷିତ ଯୁବକ ଓଏସ୍ଆର୍ଟିସି ବସ୍ରେ ଯାତ୍ରା ନିମନ୍ତେ ଅନ୍ଲାଇନରେ ଟିକେଟ୍ କରି ହନ୍ତସନ୍ତ ହେଉଥିବା ନାମ ଗୋପନ ସର୍ତ୍ତରେ ଉକ୍ତ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।